Skip to main content

ଲକ୍ଷ୍ୟରେ ଲାକ୍ଷାଦ୍ୱୀପ

ଲାକ୍ଷାଦ୍ୱୀପରେ ସବୁ ବେଳେ ଶାନ୍ତି ଏତେ ଅଧିକ ବିରାଜମାନ କରୁଥାଏ ଯେ ତାହା ଜାତୀୟ ଗଣମାଧ୍ୟମରେ ଖବରର ଶିରୋନାମ ପାଲଟିବା ପ୍ରାୟ କେହି କେବେ ଦେଖନ୍ତି ନାହିଁ । ହେଲେ ଏବେ ଅଶାନ୍ତ ସେହି ଲାକ୍ଷାଦ୍ୱୀପ । ସେଠାରେ ନବନିଯୁକ୍ତ ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲ ଡିସେମ୍ୱର ୫, ୨୦୨୦ରେ କାର୍ଯ୍ୟରେ ଯୋଗଦାନ କରିବା ପରଠାରୁ ପ୍ରଶାସନର କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦର ସ୍ୱର କ୍ରମଶଃ ବୃଦ୍ଧି ପାଉଛି । ତାଙ୍କର କିଛି ନିଷ୍ପତ୍ତି ଓ କାର୍ଯ୍ୟ ଦ୍ୱୀପ ତଥା ଦ୍ୱୀପାଞ୍ଚଳ ଅଧିବାସୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ଦର୍ଶାଇ ତୀବ୍ର ବିରୋଧ ହେଉଥିବାରୁ ଜନ ଅସନ୍ତୋଷର କାରଣଗୁଡିକୁ ଜାଣିବାର ଆବଶ୍ୟକତା ରହିଛି ।   

ଏକଦା ମାଡ୍ରାସ ପ୍ରେସିଡେନ୍ସିରେ ମାଲାବାର ଜିଲ୍ଲାର ଅଂଶ ବିଶେଷ ଥିବା ଲାକ୍ଷାଦ୍ୱୀପକୁ କେରଳ ରାଜ୍ୟ ଗଠନ ପରେ ୧୯୫୬ ମସିହାରେ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରାଗଲା । ଆୟତନ ଦୃଷ୍ଟିରୁ ଲାକ୍ଷାଦ୍ୱୀପ ଭାରତର କ୍ଷୁଦ୍ରତମ କେନ୍ଦ୍ରଶାସିତ ଅଞ୍ଚଳ । ଏହା କେରଳ ଉପକୂଳର ପଶ୍ଚିମରେ ୨୨୦ରୁ ୪୪୦ କିଲୋମିଟର ଦୂର ଆରବ ସାଗରସ୍ଥିତ ୩୨ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ୩୬ଟି ଦ୍ୱୀପକୁ ନେଇ ଏକ ଦ୍ୱୀପପୁଞ୍ଜ । ଏଥି ମଧ୍ୟରୁ ଗୋଟିଏ ଦ୍ୱୀପ ପାଣିରେ ବୁଡି ସାରିଥିବାରୁ ଏବେ ଆଉ ୩୫ଟି ଦ୍ୱୀପ ଅଛି । ଏଗୁଡିକ ମଧ୍ୟରୁ ମାତ୍ର ୧୦ଟିରେ ଲୋକେ ବସବାସ କରନ୍ତି ଓ ଏଠାକାର ସମୁଦାୟ ଜନସଂଖ୍ୟା ପ୍ରାୟ ୭୦ ହଜାର । ଏଠାରେ ୪ ପ୍ରକାର ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ଓ ଏମାନେ ସମସ୍ତେ ମୁସଲମାନ ଧର୍ମାବଲମ୍ୱୀ । ସମୁଦାୟ ଜନସଂଖ୍ୟାର ୯୫ ପ୍ରତିଶତ ଆଦିବାସୀ ହୋଇଥିବା ବେଳେ ୯୬ ପ୍ରତିଶତ ମୁସଲମାନ ଅଟନ୍ତି । ଏଠାକାର ପ୍ରଚଳିତ ଭାଷା ମାଲାୟାଲମ । ସମଗ୍ର ଦ୍ୱୀପାଞ୍ଚଳକୁ ଗୋଟିଏ ଜିଲ୍ଲା ଭାବେ ଗ୍ରହଣ କରି ଜିଲ୍ଲା ସ୍ତରରେ ଗୋଟିଏ ଜିଲ୍ଲା ପରିଷଦ ଥିବା ବେଳେ ବିଭିନ୍ନ ଦ୍ୱୀପରେ ମୋଟ ୧୦ଟି ଦ୍ୱୀପ ପଞ୍ଚାୟତ ରହିଛି । ଲାକ୍ଷାଦ୍ୱୀପରୁ ଜଣେ ଲୋକସଭା ସଦସ୍ୟ ନିର୍ବାଚିତ ହୋଇ ଥାଆନ୍ତି । ଦୀର୍ଘ ସମୟ ଧରି ଏହି ଆସନଟି କଂଗ୍ରେସ ହାତରେ ରହି ଆସିବା ପରେ ବର୍ତ୍ତମାନ ତାହା ଏନସିପି ଦଳ ଅକ୍ତିଆରରେ ରହିଛି । ପ୍ରାଶାସନିକ ଭାବେ ଏହା ଗୋଟିଏ ଜିଲ୍ଲା ହୋଇଥିବାରୁ ଏହାର ଦାୟିତ୍ୱରେ ଜଣେ ଜିଲ୍ଲାପାଳ ଅବସ୍ଥାପିତ ଓ ଜିଲ୍ଲାରେ ସମୁଦାୟ ୧୦ଟି ସବ-ଡିଭିଜନ ରହିଛି । ଦ୍ୱୀପପୁଞ୍ଜର ପ୍ରାଶାସନିକ ମୁଖ୍ୟ ଭାବେ ଜଣେ ଆଡମିନିଷ୍ଟ୍ରେଟର କାର୍ଯ୍ୟ କରିଥାଆନ୍ତି ଓ ତାଙ୍କ ଅଧୀନରେ କିଛି ବିକାଶମୂଳକ ବିଭାଗ ଅବସ୍ଥାପିତ । ଲାକ୍ଷାଦ୍ୱୀପରେ ଦ୍ୱୀପପୁଞ୍ଜ ବାହାରର ଲୋକଙ୍କ ପ୍ରବେଶ ପାଇଁ ପରମିଟର ଆବଶ୍ୟକତା ପଡିଥାଏ ।

ଦେଶରେ ଥିବା ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ପାଞ୍ଚଟି ଯଥା - ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର, ଲଦ୍ଦାଖ, ପୁଡୁଚେରି ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ,ରେ ଶାସନମୁଖ୍ୟ ଭାବେ ରାଷ୍ଟ୍ରପତିଙ୍କ ଦ୍ୱାରା ଜଣେ ଲେଖାଏଁ ଲେଫନାଣ୍ଟ ଗଭର୍ଣ୍ଣର ନିଯୁକ୍ତ ହେଉଥିବା ବେଳେ ପଞ୍ଜାବର ରାଜ୍ୟପାଳଙ୍କୁ ଚଣ୍ଡିଗଡ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ (ଆଡମିନିଷ୍ଟ୍ରେଟର) ଭାବେ ଅତିରିକ୍ତ ଦାୟିତ୍ୱ ଦିଆ ଯାଇଥାଏ । ଅବଶିଷ୍ଟ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ, ଦାଦ୍ରା ଓ ନାଗର ହଭେଲି ଏବଂ ଦାମନ ଓ ଦିଉରେ ରାଷ୍ଟ୍ରପତିଙ୍କ ଦ୍ୱାରା ଶାସନମୁଖ୍ୟ ଭାବେ ଜଣେ ଲେଖାଏଁ ପ୍ରଶାସକ (ଆଡମିନିଷ୍ଟ୍ରେଟର) ନିଯୁକ୍ତ ହୋଇ ଥାଆନ୍ତି । ପାରମ୍ପରିକ ଭାବେ ଏହି ପଦରେ ଜଣେ ଆଇଏଏସ ପ୍ରାଶାସନିକ ଅଧିକାରୀ ରହି ଆସୁଥିଲେ । ତେବେ ୨୦୧୪ରେ ଏନଡିଏ ସରକାର ଆସିବା ପରେ ଏହାର ବ୍ୟତିକ୍ରମ ଘଟି ପ୍ରଫୁଲ୍ଲ ଖୋଡା ପଟେଲ ନାମକ ଜଣେ ରାଜନୈତିକ ବ୍ୟକ୍ତିଙ୍କୁ ଦାମନ ଓ ଦିଉର ପ୍ରଶାସକ ଭାବେ ନିଯୁକ୍ତି ଦିଆଗଲା । ଆରଏସଏସ ପୃଷ୍ଠଭୂମିର ଏହି ବିଜେପି ନେତା ୨୦୦୭ରେ ପ୍ରଥମ ଥର ଲାଗି ଗୁଜରାଟରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ରାଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିଲା । ସୋହରାବୁଦ୍ଦିନ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ଅମିତ ସାହା ୨୦୧୦ରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ପଟେଲ କ୍ୟାବିନେଟ ସ୍ତରକୁ ପଦୋନ୍ନତି ପାଇ ତତକାଳୀନ ମୁଖ୍ୟମନ୍ତ୍ରୀ ମୋଦିଙ୍କର ନିକଟତର ହୋଇ ପାରିଥିଲେ । ତେବେ ୨୦୧୨ ନିର୍ବାଚନରେ ପରାଜିତ ହୋଇଥିବା ପଟେଲଙ୍କୁ ୨୦୧୪ରେ ପ୍ରଶାସକ ଭାବେ ନିଯୁକ୍ତି ପ୍ରଦାନ କରି ଥଇଥାନ କରା ଯାଇଥିଲା । ୨୦୧୬ରେ ତାଙ୍କୁ ଦାଦ୍ରା ଓ ନାଗର ହଭେଲିର ପ୍ରଶାସକ ଭାବେ ମଧ୍ୟ ନିଯୁକ୍ତି ମିଳିଲା । ଦୁଇଟି ଯାକ କେନ୍ଦ୍ର ଶାସିତ ଅଞ୍ଚଳକୁ ଜାନୁଆରି ୨୬, ୨୦୨୦ରେ ମିଶାଇ ଗୋଟିଏ କରି ଦିଆଗଲା ଓ ପଟେଲ ତାହାର ପ୍ରଶାସକ ଭାବେ ଦାୟିତ୍ୱ ନିର୍ବାହ କଲେ । ଲାକ୍ଷାଦ୍ୱୀପର ପ୍ରଶାସକ ଦୀନେଶ୍ୱର ଶର୍ମାଙ୍କର ମୃତ୍ୟୁ ହେବା ପରେ ଡିସେମ୍ୱର ୫, ୨୦୨୦ରୁ ଅତିରିକ୍ତ ଭାବେ ପଟେଲଙ୍କୁ ପାଞ୍ଚ ବର୍ଷ ଲାଗି ପ୍ରଶାସକ ଦାୟିତ୍ୱ ଅର୍ପଣ କରାଗଲା । ଅର୍ଥାତ୍, ଏବେ ଦୁଇଟି ଯାକ କେନ୍ଦ୍ର ଶାସିତ ଅଞ୍ଚଳର ସେ ହିଁ ଏକ ମାତ୍ର ପ୍ରଶାସକ । ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାକୁ ଲାକ୍ଷାଦ୍ୱୀପକୁ ପଠାଯାଇଛି, ଆଉ ସେହି ଲକ୍ଷ୍ୟଟିର ରୂପରେଖ ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ହୋଇ ‘ଟ୍ରାନ୍ସଫର୍ମିଙ୍ଗ ଆଇଲାଣ୍ଡସ ଥ୍ରୁ କ୍ରିଏଟିଭିଟି ଆଣ୍ଡ ଇନୋଭେସନସ’ ପୁସ୍ତିକାରେ ୨୦୧୯ ମସିହା ମେ ମାସରୁ ପ୍ରକାଶ ପାଇ ସାରିଛି ।

ଲାକ୍ଷାଦ୍ୱୀପରେ ପ୍ରାୟ ୪୦୦୦ ବର୍ଗ କିଲୋମିଟର ବ୍ୟାପ୍ତ ଏକ ବିଶାଳ ଲାଗୁନ (ଉପହ୍ରଦ) ଅଞ୍ଚଳ ଥିବାରୁ ଏହାକୁ ‘ଲାଗୁନର ସ୍ୱର୍ଗ’ ବୋଲି କୁହା ଯାଇଥାଏ । ତେଣୁ ଏହି ଅଞ୍ଚଳରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ଥିବାରୁ ତାକୁ ଆଧାର କରି ସମଗ୍ର ଦ୍ୱୀପାଞ୍ଚଳର ବିକାଶ କରିବା ଉପରେ ନୀତି ଆୟୋଗ ଗୁରୁତ୍ୱ ଦେଉଛି । ବସ୍ତୁତଃ, ଲାକ୍ଷାଦ୍ୱୀପଠାରୁ ମାତ୍ର କେଇ ଶହ କିଲୋମିଟର ଦୂରରେ ଅବସ୍ଥିତ ମାଲଦିଭର ତଳରୂପ (ଟୋପୋଗ୍ରାଫି) ପ୍ରାୟ ଏକା ପ୍ରକାର ହୋଇ ତାହା ଏକ ପ୍ରମୁଖ କେନ୍ଦ୍ର ଭାବେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ପାରିଥିବାରୁ, ଲାକ୍ଷାଦ୍ୱୀପକୁ ସେହି ଢାଞ୍ଚାରେ ବିକଶିତ କରା ଯାଇ ପାରିଲେ ତାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସକ୍ଷମ ହେବ ବୋଲି ବିଶ୍ୱାସ । ତେଣୁ ସେଥିପାଇଁ ଆବଶ୍ୟକ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ଦରକାର । ତଦ୍ଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ପର୍ଯ୍ୟଟନର ବିକାଶ ମାଧ୍ୟମରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଏଥିସହ ମାଛ ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ତଥା ନଡିଆର ରପ୍ତାନୀ ବୃଦ୍ଧି ମାଧ୍ୟମରେ ଦ୍ୱୀପାଞ୍ଚଳର ବିକାଶ ଓ ସ୍ଥାନୀୟ ଅଧିବାସୀଙ୍କ ଜୀବନଧାରଣର ମାନକୁ ଉନ୍ନତ କରାଯାଇ ପାରିବ । ଏହି ଯୋଜନାର ରୂପରେଖ ପାଇଁ ପ୍ରଶାସକ ପଟେଲଙ୍କୁ ପଠାଯାଇଥିଲେ ବି ତାଙ୍କ ଏପରି କିଛି ପଦକ୍ଷେପ ଦ୍ୱାରା ସେ ଲୋକଙ୍କ ବିଶ୍ୱାସଭାଜନ ହେବା ତ ଦୂରର କଥା ବରଂ ବିରୋଧର ସମ୍ମୁଖୀନ ହେଲେ ।       

ପ୍ରଶାସକ ପଟେଲ କାର୍ଯ୍ୟରେ ଯୋଗ ଦେବା ପରେ ସେ ତୁରନ୍ତ ବାହାରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ସଂକ୍ରାନ୍ତୀୟ ସଙ୍ଗରୋଧ ବ୍ୟବସ୍ଥାଟିକୁ କୋହଳ କରି ଦେଲେ । ପୂର୍ବ ବ୍ୟବସ୍ଥା ଅନୁଯାୟୀ ଲାକ୍ଷାଦ୍ୱୀପକୁ ଆସୁଥିବା ପ୍ରତ୍ୟେକଙ୍କୁ କେରଳର କୋଚି ବା ଲାକ୍ଷାଦ୍ୱୀପର ରାଜଧାନୀ କାଭାରାତିଠାରେ ୭ ଦିନ ଲାଗି ସଙ୍ଗରୋଧରେ ରହିବାକୁ ପଡୁଥିଲା । ନୂତନ ବ୍ୟବସ୍ଥା ଅନୁଯାୟୀ ୪୮ ଘଣ୍ଟା ପୂର୍ବର ନେଗେଟିଭ ଆରଟିପିସିଆର ପରୀକ୍ଷା ରିପୋର୍ଟ ସହ ଯେ କୌଣସି ବ୍ୟକ୍ତିଙ୍କୁ ଦ୍ୱୀପକୁ ପ୍ରବେଶ କରିବାର ଅନୁମତି ଦିଆଗଲା । ଫଳସ୍ୱରୂପ, ସେଠାରେ ଜାନୁଆରି ୨୦୨୧ ଯାଏଁ କୌଣସି ବ୍ୟକ୍ତି କୋଭିଡ ସଂକ୍ରମଣର ଶିକାର ହୋଇ ନ ଥିବା ବେଳେ ମେ ୨୮, ୨୦୨୧ ସୁଦ୍ଧା ସମୁଦାୟ ଜନସଂଖ୍ୟାର ୧୦ପ୍ରତିଶତ ଅର୍ଥାତ୍ ୭୩୦୦ ଜଣ  ଆକ୍ରାନ୍ତ ହୋଇଗଲେ ଓ ଏଥି ମଧ୍ୟରୁ ୨୮ ଜଣ ମୃତ୍ୟୁବରଣ କରିଥିଲେ । ସେଠାରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସେତେ ଉନ୍ନତ ହୋଇ ନ ଥିବାରୁ ସଂକ୍ରମଣ ବ୍ୟାପିବା ପରେ ଉପଯୁକ୍ତ ଚିକିତ୍ସା ଅଭାବରୁ ତାହା ଏକ ପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲିଗଲା । ପ୍ରଶାସକଙ୍କ ସଙ୍ଗରୋଧ ଉଠାଇବା ନିଷ୍ପତ୍ତିକୁ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ବୋଲି ଦାୟୀ କରି ତା’ ବିରୁଦ୍ଧରେ ଜନମତ ସୃଷ୍ଟି ହେବାକୁ ଲାଗିଲା । କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତା ସମ୍ପର୍କରେ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରି ସହ ସମ୍ପୃକ୍ତ ଲାକ୍ଷାଦ୍ୱୀପର ଏକମାତ୍ର ମହିଳା ଚିତ୍ର ନିର୍ମାତା ଆଈଷା ସୁଲତାନା ଏକ ଟେଲିଭିଜନ ଆଲୋଚନାରେ ମତ ଦେବା ପରେ ତାଙ୍କ ବିରୁଦ୍ଧରେ ଏକ ଦେଶଦ୍ରୋହ ମାମଲା ରୁଜୁ କରାଗଲା । ଏହି ଘଟଣା ମଧ୍ୟ ସ୍ଥାନୀୟ ଅଧିବାସୀଙ୍କୁ ଅଧିକ ଉତ୍ତେଜିତ କଲା ।

ପ୍ରଶାସକଙ୍କ ଏକ ଆଦେଶ କ୍ରମେ ସେଠାରେ ଗୋମହିଷାଦି କାଟିବା ପୂର୍ବରୁ ଅଧିକାରୀଙ୍କ ନିକଟରୁ ସାର୍ଟିଫିକେଟ ହାସଲ କରିବା ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ରହିଛି । ଏଥିସହ ଗୋମାଂସ ବିକ୍ରି, ପରିବହନ ଓ ଭଣ୍ଡାରଣ ଉପରେ ନିଷେଧାଦେଶ ଜାରି କରା ହେବ । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ବର୍ଷେ ଜେଲ ସହ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ପ୍ରାବଧାନ ରହିଛି । ସେଠାକାର ୯୫ ପ୍ରତିଶତରୁ ଅଧିକ ଲୋକ ଆଦିବାସୀ ଏବଂ ମୁସଲମାନ ଓ ଗୋମାଂସ ଭକ୍ଷଣ ସେମାନଙ୍କ ପାରମ୍ପରିକ ଖାଦ୍ୟାଭ୍ୟାସର ଅଂଶ ବିଶେଷ । ଦେଶର ବିଭିନ୍ନ ରାଜ୍ୟରେ ଗୋ ସଂରକ୍ଷଣ ପାଇଁ ଆଇନ ପ୍ରଣୀତ ହୋଇଥିଲେ ବି ଏବେ ମଧ୍ୟ ବିଜେପି ଶାସିତ ଗୋଆ ସମେତ ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ଗୋମହିଷାଦି କାଟିବା ଓ ଗୋମାଂସ ଭକ୍ଷଣ ଉପରେ କୌଣସି ପ୍ରତିବନ୍ଧ ନ ଥିବାରୁ ଜଣେ ପ୍ରଶାସକଙ୍କ ମାଧ୍ୟମରେ ଲାକ୍ଷାଦ୍ୱୀପରେ ତାହା କରିବା କେତେ ଯୁକ୍ତିଯୁକ୍ତ । ତା’ ଛଡା ପ୍ରଶାସକଜଣକ ଯେଉଁ ଧାର୍ମିକ ଓ ରାଜନୈତିକ ମତାଦର୍ଶର ପୃଷ୍ଠଭୂମିରୁ ଆସିଛନ୍ତି ସେଥିରେ ତାଙ୍କର ନିଜସ୍ୱ ଖାଦ୍ୟ ପସନ୍ଦ ଓ ନାପସନ୍ଦ ଥାଇପାରେ । ତେବେ ସେହି ପସନ୍ଦ ବା ନାପସନ୍ଦକୁ ଏକ ଅଞ୍ଚଳର ଲୋକଙ୍କ ଉପରେ ଲଦି ଦେବାର ଅର୍ଥ ସ୍ଥାନୀୟ ଲୋକଙ୍କ ସଂସ୍କୃତି ଓ ଖାଦ୍ୟାଭ୍ୟାସକୁ ଅସମ୍ମାନ କରି ଜୋର ଜବରଦସ୍ତ ବଦଳାଇବାର ଅପଚେଷ୍ଟା କରିବା । କେବଳ ସେତିକି ନୁହେଁ ସେଠାରେ ସ୍କୁଲମାନଙ୍କରେ ମିଡ-ଡେ-ମିଲ ଯୋଜନାରେ ଦିଆ ଯାଉଥିବା ମାଂସକୁ ମଧ୍ୟ ବନ୍ଦ କରି ତା’ ସ୍ଥାନରେ କେବଳ ମାଛ ଓ ଅଣ୍ଡା ଦେବାକୁ ସ୍ଥିର ହୋଇଛି ।

ଜନଭାବନାକୁ ସମ୍ମାନ ଜଣାଇ ଲାକ୍ଷାଦ୍ୱୀପର ଜନ ବସତି ଥିବା ସବୁ ଦ୍ୱୀପରେ ଏବେ ସମ୍ପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟ କରୁଛି । କେବଳ ଜନମାନବଶୂନ୍ୟ ବଙ୍ଗାରାମ ଦ୍ୱୀପର ରିସର୍ଟରେ ପର୍ଯ୍ୟଟକଙ୍କ ପାଇଁ ପାନୀୟ ଯୋଗାଇ ଦିଆ ଯାଇଥାଏ । ପ୍ରଶାସନର ଏବର ଆଦେଶ ଅନୁଯାୟୀ ସେଠାରେ ଜନବସତି ଥିବା ସବୁ ଦ୍ୱୀପରେ ମଧ୍ୟ ପର୍ଯ୍ୟଟକଙ୍କୁ ମଦ ଯୋଗାଇ ଦେବା ପାଇଁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । ଏହା ହେଲେ ସ୍ଥାନୀୟ ଅଧିବାସୀମାନେ ବି ମଦର ବିଷ ବଳୟକୁ ପ୍ରବେଶ କରି ତା’ର କୁପ୍ରଭାବରେ ଅତି ବେଶି ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେଠାରେ ସମ୍ପୂର୍ଣ୍ଣ ନିଶା ନିବାରଣକୁ କାର୍ଯ୍ୟକାରୀ କରି ମଦ ଦୋକାନ ଖୋଲିବାର ପ୍ରାଶାସନିକ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଲାଗି ଦାବି ଜୋର ଧରିଛି ।

ଲାକ୍ଷାଦ୍ୱୀପରେ ‘ପ୍ରିଭେନସନ ଅଫ ଆଣ୍ଟି-ସୋସିଆଲ ଆକ୍ଟିଭିଟିଜ ରେଗୁଲେସନ’ ନାମକ ଏକ ନୂଆ ନିୟମର ଚିଠା ପ୍ରସ୍ତୁତ ହୋଇଛି, ଯେଉଁଥିରେ ଯେ କୌଣସି ଲୋକ ଅସାମାଜିକ କାର୍ଯ୍ୟ କରି ଶାନ୍ତି ରକ୍ଷାରେ ବାଧକ ସାଜୁଥିବା ଦର୍ଶାଇ ପ୍ରଶାସନ ତାକୁ କୌଣସି ପ୍ରକାର ଆଇନଗତ ସହାୟତା ପାଇବାରୁ ବଞ୍ଚିତ ରଖି ଛଅ ମାସରୁ ବର୍ଷେ ପର୍ଯ୍ୟନ୍ତ ଅଟକ କରି ରଖିବାର ପ୍ରାବଧାନ ରହିଛି । ପ୍ରଶାସନ ତରଫରୁ ସେଠାରେ ହେବାକୁ ଯାଉଥିବା ଜନବିରୋଧୀ କାର୍ଯ୍ୟଗୁଡିକ ବିରୁଦ୍ଧରେ ଲୋକମାନଙ୍କ ପ୍ରତିବାଦର ସ୍ୱରକୁ ଦବାଇ ଦେବା ପାଇଁ ଏହି ଦମନମୂଳକ ଆଇନଟି ପ୍ରଣୀତ ହେଉଛି ବୋଲି ଲୋକଙ୍କ ଦୃଢ ବିଶ୍ୱାସ ।  ଉଲ୍ଲେଖଯୋଗ୍ୟ ଯେ ଏନସିଆରବିର ତଥ୍ୟ ଅନୁଯାୟୀ ସେଠାରେ ବିଭିନ୍ନ ଅପରାଧର ହାର ଜାତୀୟ ହାରଠାରୁ ଯଥେଷ୍ଟ କମ ।

ଦ୍ୱୀପର ଅଧିବାସୀଙ୍କ ଲାଗି ସବୁଠାରୁ ଉଦବେଗଜନକ ହେଉଛି ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଚିଠା ‘ଲାକ୍ଷାଦ୍ୱୀପ ଡେଭଲପମେଣ୍ଟ ଅଥରିଟି ରେଗୁଲେସନ’ । ଦ୍ୱୀପଗୁଡିକର ବିକାଶ ପାଇଁ ‘ପ୍ଲାନିଙ୍ଗ ଆଣ୍ଡ ଡେଭଲପମେଣ୍ଟ ଅଥରିଟି’ର ପ୍ରତିଷ୍ଠା କରାଯିବ । ସେହି ସଂସ୍ଥାରେ ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ନ ହୋଇ ପ୍ରଶାସକଙ୍କ ଦ୍ୱାରା ମନୋନୀତ ହେବାକୁ ଥିବାରୁ ଦ୍ୱୀପବାସୀଙ୍କ ମତକୁ କୌଣସି ଗୁରୁତ୍ୱ ଦିଆଯିବ ନାହିଁ । ଏହି ସଂସ୍ଥା ଦ୍ୱାରା ସେଠାରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଜମିର ଅଧିଗ୍ରହଣ ଓ ବ୍ୟବହାରରେ ବ୍ୟାପକ ଅଦଳ ବଦଳ କରାଯାଇ ପାରିବ । ଏହା ଦ୍ୱାରା ଆଦିବାସୀଙ୍କର କ୍ଷୁଦ୍ର ଜମିଗୁଡିକୁ ପ୍ରଶାସନ ଦଖଲକୁ ନେଇ ପାରିବ ଯଦ୍ଦ୍ୱାରା ସେମାନେ ଭୂମିହୀନ ହୋଇ ପଡିବେ । ପରୋକ୍ଷରେ ତାହା ସେମାନଙ୍କୁ ଗାଁ ଗଣ୍ଡା ଛାଡି ପଳାୟନ କରିବାକୁ ବାଧ୍ୟ କରିବ ଓ ସେମାନଙ୍କ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ହୋଇ ପଡିବ ବୋଲି ସେମାନଙ୍କ ଧାରଣା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏ ଭଳି ଆଇନର ଖସଡା ପ୍ରସ୍ତୁତି ପୂର୍ବରୁ ଜନସାଧାରଣ ଓ ପଞ୍ଚାୟତଗୁଡିକ ସହ କୌଣସି ବିଚାର ବିମର୍ଶ ହୋଇ ନାହିଁ ।       

ଚିଠା 'ପଞ୍ଚାୟତ ରେଗୁଲେସନ, ୨୦୨୧'ରେ ମଧ୍ୟ ପରିବର୍ତ୍ତନ କରା ଯାଉଛି ଯଦ୍ଦ୍ୱାରା ଦୁଇଟି ସନ୍ତାନରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ବିଶେଷ ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ । ଏହି ଧରଣର ଆଇନ ଦେଶର ଅନ୍ୟତ୍ର ଥିଲେ ବି ଏହି ପରିବର୍ତ୍ତନକୁ ଲୋକମାନେ ଗ୍ରହଣ କରି ପାରୁ ନାହାନ୍ତି ଓ ସେଠାକାର ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ଏନସିପି ମଧ୍ୟ ଏହାର ବିରୋଧ କରୁଛନ୍ତି । ଅବଶ୍ୟ ଏହି ଆଇନ ପିଛିଲା ଭାବେ ଲାଗୁ ହେଉ ନ ଥିଲେ ବି ପ୍ରଶାସନ ଲୋକଙ୍କୁ ବୁଝାଇବାକୁ ସମର୍ଥ ହୋଇନାହିଁ ।

ଦ୍ୱୀପଗୁଡିକର ବିକାଶ ପାଇଁ ପ୍ରସ୍ତୁତ ପୁସ୍ତିକାରେ ସରକାରଙ୍କ ଘୋଷିତ ଭିଜନ ହେଉଛି, ‘ପରିବେଶଗତ ଭାବେ ସଂରକ୍ଷିତ ଦ୍ୱୀପରେ ସୁଖୀ ଓ ସମୃଦ୍ଧଶାଳୀ ଦ୍ୱୀପବାସୀ’ (ହାପି ଆଣ୍ଡ ପ୍ରସପରସ ଆଇଲାଣ୍ଡର୍ସ ଇନ ଇକୋଲୋଜିକାଲି ପ୍ରୋଟେକ୍ଟେଡ ଆଇଲାଣ୍ଡସ) । ଅର୍ଥାତ୍, ବିକାଶର କେନ୍ଦ୍ରରେ ଦ୍ୱୀପର ପରିବେଶଗତ ସୁରକ୍ଷା ଓ ଦ୍ୱୀପବାସୀ । ସେହି ଦ୍ୱୀପବାସୀଙ୍କ ସହ ବା ସେମାନଙ୍କ ନିର୍ବାଚିତ ପ୍ରତିନିଧିଙ୍କ ସହ ବିଚାର ବିମର୍ଶ ନ କରି ବା ସେମାନଙ୍କୁ ବିଶ୍ୱାସକୁ ନ ନେଇ ଉପରୁ ପ୍ରସ୍ତୁତ ହୋଇଥିବା ଯେ କୌଣସି ଯୋଜନା, ଯେତେ ଭଲ ହୋଇଥିଲେ ବି, ଦ୍ୱୀପବାସୀଙ୍କୁ ଖୁସି କରି ପାରିବ ନାହିଁ ।  ଏହାଦ୍ୱାରା ଉପରୋକ୍ତ ଭିଜନର ବିରୁଦ୍ଧାଚରଣ ହେବ । ପରିବେଶ ଦୃଷ୍ଟିରୁ ସମ୍ୱେଦନଶୀଳ ଦ୍ୱୀପାଞ୍ଚଳରେ ବୃହଦ୍ ପର୍ଯ୍ୟଟନ ପ୍ରକଳ୍ପମାନ ପ୍ରତିଷ୍ଠା କରାଗଲେ ତାହା ସେଠାକାର ଭଙ୍ଗୁର ପରିବେଶ ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି । ତେଣୁ ଏହି ଧରଣର ବିକାଶମୂଳକ କାର୍ଯ୍ୟ ହାତକୁ ନେବାକୁ ହେଲେ ପ୍ରଶାସକଙ୍କୁ ପ୍ରଥମେ ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଉଦ୍ୟମ କରିବାର ଥିଲା, ଯେଉଁଥିରେ ସେ ଆପାତତଃ ବିଫଳ ହୋଇଛନ୍ତି । ସେଠାକାର ସ୍ଥିତି ଏବେ ଏପରି ଯେ ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କ ଯୋଗୁ ଲୋକଙ୍କ ମାନବାଧିକାର ହନନ ହେଉଥିବା ଦର୍ଶାଇ ତାଙ୍କୁ ସେଠାରୁ ତୁରନ୍ତ ପ୍ରତ୍ୟାହାର କରିବାର ଦାବି ଜୋର ଧରିଲାଣି । ତେଣୁ ପ୍ରସ୍ତାବିତ ଆଇନ ଓ ନିଷ୍ପତ୍ତିଗୁଡିକୁ ସାମୟିକ ଭାବେ ସ୍ଥଗିତ ରଖି ପ୍ରଶାସକ ପ୍ରଥମେ ସେଠାକାର ଲୋକଙ୍କ ବିଶ୍ୱାସଭାଜନ ହେବା ପାଇଁ ବିଶେଷ ଉଦ୍ୟମ କରିବା ଆବଶ୍ୟକ । ନ ହେଲେ ଏକ ଶାନ୍ତ ଅଞ୍ଚଳ ପ୍ରାଶାସନିକ ବ୍ୟର୍ଥତା ଯୋଗୁ ଏକ ଅଶାନ୍ତ ଦ୍ୱୀପାଞ୍ଚଳରେ ପରିଣତ ହେବାର ଆଶଙ୍କା ସୃଷ୍ଟି ହୋଇପାରେ ।


Published in Odisha Reporter on June 18, 2021  


Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍