Skip to main content

Posts

Showing posts from June, 2021

ଶବ ମାଗୁଛି ମର୍ଯ୍ୟାଦା

ଗଙ୍ଗା ନଦୀରେ ଅନେକ ଶବ ଭାସୁଥିବାର ଦୃଶ୍ୟ ଅସଂଖ୍ୟଙ୍କୁ ବ୍ୟଥିତ କରିଛି । ନିଜକୁ କେତେ ଅସହାୟ ମଣିଲେ ଯାଇ ଜଣେ ପ୍ରିୟଜନଙ୍କ ମୃତ ଶରୀରକୁ ନଦୀରେ ଭସାଇବାର ଚରମ ନିଷ୍ପତ୍ତି ନେଇପାରେ ? ମୃତ୍ୟୁର ଆଘାତରୁ ବର୍ତ୍ତିବା ପୂର୍ବରୁ ସମ୍ଭବତଃ ମୃତକଙ୍କ ଆତ୍ମୀୟମାନେ ଆମ୍ୱୁଲାନ୍ସ, ପଣ୍ଡା, ଶ୍ମଶାନରେ ଏପରି ଶୋଷଣର ଶିକାର ହୋଇଥିବେ ଯେ ଆର୍ଥିକ ଅସ୍ୱଚ୍ଛଳତା କାରଣରୁ ମୃତଦେହକୁ ନଦୀରେ ଭସାଇବା ଭିନ୍ନ ସେମାନଙ୍କ ଆଗରେ ଅନ୍ୟ ବିକଳ୍ପ ନ ଥିବ । ଏପରି କ୍ଷେତ୍ରରେ ଶବ ପ୍ରତି ହେଉଥିବା ଅମର୍ଯ୍ୟାଦାକୁ ପ୍ରତିହତ କରିବାକୁ ସରକାର ବା ସମାଜକୁ ଆଗେଇ ଆସିବାର ଥିଲା । ମୃତଦେହଗୁଡିକ ପ୍ରତି ହେଉଥିବା ପାରିବାରିକ, ସାମାଜିକ ଓ ସରକାରୀ ସ୍ତରରେ ଅମର୍ଯ୍ୟାଦା ଚିନ୍ତାଜନକ ଓ ତାହା ସୁଧାରିବାର ଆବଶ୍ୟକତା ରହିଛି ।      କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ କହିବାର ଥିଲା ଦୈହିକ ଦୂରତା ରକ୍ଷା କର । କୁହାଗଲା ସାମାଜିକ ଦୂରତା ରକ୍ଷା କର । ପାଶ୍ଚାତ୍ୟ ସମାଜରେ ସାମାଜିକ ଦୂରତାକୁ ଯେଉଁ ଅର୍ଥରେ ବୁଝାଯାଏ, ଭାରତରେ ତା’ର ଅର୍ଥ ଠିକ୍ ସେଇଆ ନୁହେଁ । ଅନେକେ ସାମାଜିକ ଦୂରତାକୁ ସାମାଜିକ ବାଛନ୍ଦ ବୋଲି ଧରି ନେଇ ତଦନୁଯାୟୀ ଆଚରଣ କରିବାକୁ ଲାଗିଲେ । ଲୋକେ ସମାଜଠାରୁ ଦୂରେଇ ରହିଲେ ଓ ସେମାନଙ୍କଠାରେ ନିଜର ଓ ନିଜ ପରିବାରର କୋଷା ଭିତରେ ରହିବାର ପ୍ରବୃତ୍ତି କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଲା । ଏପରିକି ଘର ଭିତରେ କେହି କୋଭିଡ ଆକ୍ରାନ୍ତ

ସଫଳ ହେବ କି ବିଜେପି ବିରୋଧରେ ଟିଏମସିର ବିସ୍ତାର ଯୋଜନା ?

ଜଣେ ମହିଳା ହୋଇ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନିର୍ବାଚନୀ ମ୍ୟାସିନ କୁହାଯାଉଥିବା ମୋଦୀ-ସାହାଙ୍କ ଅପରାଜେୟ ଯୋଡିକୁ ମାତ୍ ଦେଇ ବିଜେପିର ନିର୍ବାଚନୀ ଅଶ୍ୱମେଧର ଅଶ୍ୱକୁ ଆଗେଇବାକୁ ନ ଦେଇ ଦଳର ପୂର୍ବୋଦୟର ସ୍ୱପ୍ନକୁ ଆପାତତଃ ଧୂଳିସାତ କରିଥିବା ଯୋଗୁ ଜାତୀୟ ରାଜନୀତିରେ ମମତା ବାନାର୍ଜୀଙ୍କ ଉଚ୍ଚତା ହଠାତ୍ ଅଧିକ ହୋଇଯାଇଛି । ଏଥି ସହିତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପ୍ରତିହତ କରିବାରେ ସେ ଯେ ଏକ ବଡ ଭୂମିକା ନିର୍ବାହ କରି ପାରିବେ ତାହା ଅନେକଙ୍କ ବିଶ୍ୱାସ । ଟିଏମସିର ଏହି ଅପୂର୍ବ ନିର୍ବାଚନୀ ସଫଳତା ମଧ୍ୟ ମମତାଙ୍କଠାରେ ଯଥେଷ୍ଟ ଆତ୍ମବିଶ୍ୱାସ ଜନ୍ମାଇଛି, ଯାହା ଜାତୀୟ ସ୍ତରରେ ଦଳର ବିସ୍ତାର ପାଇଁ ତାଙ୍କୁ ଅନୁପ୍ରେରିତ କରିଛି । ପଶ୍ଚିମବଙ୍ଗରେ ନିର୍ବାଚନ ସରିବା ପରେ ସେଠାରେ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ମାଇକରେ ପ୍ରଚାର କରି, ଅନଶନ କରି, ଲଣ୍ଡା ହୋଇ ତୃଣମୂଳ କଂଗ୍ରେସରେ ମିଶିବାର ଖବର ମିଳୁଛି । ଏହାର କାରଣ ନିର୍ବାଚନୀ ପରବର୍ତ୍ତୀ ହିଂସା ହୋଇପାରେ ବା ନିଜ ଅନିଶ୍ଚିତ ରାଜନୈତିକ ଭବିଷ୍ୟତ ନେଇ ଆଶଙ୍କା ହୋଇପାରେ । ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ମୁକୁଳ ରାୟଙ୍କ ତୃଣମୂଳରେ ଯୋଗଦାନ ପରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ସେଠାରେ ବିଜେପି ଦୁର୍ବଳ ହେଉଥିବାର ସୂଚନା ମିଳୁଛି । ବିଜେପିକୁ ପଶ୍ଚିମବଙ୍ଗରେ ଦୁର୍ବଳ କରିବା ସହ ଅନ୍ୟତ୍ର ତାକୁ ପ୍ରତିରକ୍ଷାତ୍ମକ କରି ପା

ଲକ୍ଷ୍ୟରେ ଲାକ୍ଷାଦ୍ୱୀପ

ଲାକ୍ଷାଦ୍ୱୀପରେ ସବୁ ବେଳେ ଶାନ୍ତି ଏତେ ଅଧିକ ବିରାଜମାନ କରୁଥାଏ ଯେ ତାହା ଜାତୀୟ ଗଣମାଧ୍ୟମରେ ଖବରର ଶିରୋନାମ ପାଲଟିବା ପ୍ରାୟ କେହି କେବେ ଦେଖନ୍ତି ନାହିଁ । ହେଲେ ଏବେ ଅଶାନ୍ତ ସେହି ଲାକ୍ଷାଦ୍ୱୀପ । ସେଠାରେ ନବନିଯୁକ୍ତ ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲ ଡିସେମ୍ୱର ୫, ୨୦୨୦ରେ କାର୍ଯ୍ୟରେ ଯୋଗଦାନ କରିବା ପରଠାରୁ ପ୍ରଶାସନର କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦର ସ୍ୱର କ୍ରମଶଃ ବୃଦ୍ଧି ପାଉଛି । ତାଙ୍କର କିଛି ନିଷ୍ପତ୍ତି ଓ କାର୍ଯ୍ୟ ଦ୍ୱୀପ ତଥା ଦ୍ୱୀପାଞ୍ଚଳ ଅଧିବାସୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ଦର୍ଶାଇ ତୀବ୍ର ବିରୋଧ ହେଉଥିବାରୁ ଜନ ଅସନ୍ତୋଷର କାରଣଗୁଡିକୁ ଜାଣିବାର ଆବଶ୍ୟକତା ରହିଛି ।    ଏକଦା ମାଡ୍ରାସ ପ୍ରେସିଡେନ୍ସିରେ ମାଲାବାର ଜିଲ୍ଲାର ଅଂଶ ବିଶେଷ ଥିବା ଲାକ୍ଷାଦ୍ୱୀପକୁ କେରଳ ରାଜ୍ୟ ଗଠନ ପରେ ୧୯୫୬ ମସିହାରେ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରାଗଲା । ଆୟତନ ଦୃଷ୍ଟିରୁ ଲାକ୍ଷାଦ୍ୱୀପ ଭାରତର କ୍ଷୁଦ୍ରତମ କେନ୍ଦ୍ରଶାସିତ ଅଞ୍ଚଳ । ଏହା କେରଳ ଉପକୂଳର ପଶ୍ଚିମରେ ୨୨୦ରୁ ୪୪୦ କିଲୋମିଟର ଦୂର ଆରବ ସାଗରସ୍ଥିତ ୩୨ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ୩୬ଟି ଦ୍ୱୀପକୁ ନେଇ ଏକ ଦ୍ୱୀପପୁଞ୍ଜ । ଏଥି ମଧ୍ୟରୁ ଗୋଟିଏ ଦ୍ୱୀପ ପାଣିରେ ବୁଡି ସାରିଥିବାରୁ ଏବେ ଆଉ ୩୫ଟି ଦ୍ୱୀପ ଅଛି । ଏଗୁଡିକ ମଧ୍ୟରୁ ମାତ୍ର ୧୦ଟିରେ ଲୋକେ ବସବାସ କରନ୍ତି ଓ ଏଠାକାର ସମୁଦାୟ ଜନସଂଖ୍ୟା ପ୍ରାୟ ୭୦ ହଜାର । ଏଠାରେ ୪ ପ

ଗୋଟିଏ ଟଫି ନେବ ନା ଦୁଇଟି

ଗତ ଶତାବ୍ଦୀର ଷାଠିଏ ଦଶକର କଥା । ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଜଣେ ଶିକ୍ଷକ ଚାରି ବର୍ଷ ବୟସର ନର୍ସରୀ ପଢୁଥିବା ଜଣେ ଛାତ୍ର ସହ ଗୋଟିଏ କୋଠରି ଭିତରକୁ ପ୍ରବେଶ କଲେ । କୋଠରିରେ ଆଉ କେହି ନ ଥାଆନ୍ତି । ପିଲାଟି ସହ କିଛି ସମୟ କଥାବାର୍ତ୍ତା ହେଲା ପରେ ସେ ପକେଟରୁ ଗୋଟିଏ ସୁନ୍ଦର ଟଫି କାଢି ପିଲାଟି ସମ୍ମୁଖରେ ଥିବା ଟେବୁଲ ଉପରେ ରଖିଲେ । ଶିକ୍ଷକ ତାକୁ ଦେଉଛନ୍ତି ବୋଲି ଭାବି ପିଲାଟି ତୁରନ୍ତ ଟଫିଟିକୁ ନେବା ପାଇଁ ହାତ ବଢାଇଲା । ହେଲେ ଟଫିଟିକୁ ଉଠାଇ ନେଇ ଶିକ୍ଷକ ଜଣକ କହିଲେ, “ମୁଁ ଏଇଟି ତମକୁ ଦେବା ପାଇଁ ଆଣିଛି । ଏଇଟିକୁ ତମ ଆଗରେ ରଖି ଦେଇ ଦଶ ମିନିଟ ଲାଗି ବାହାରକୁ ଯାଉଛି । ମୁଁ ଫେରି ଆସିବା ବେଳକୁ ତମେ ଯଦି ଟଫିଟିକୁ ଖାଇ ନ ଥିବ ତେବେ ଏଇ ଟଫି ସହ ମୁଁ ତମକୁ ଆଉ ଗୋଟିଏ ଟଫି ଦେବି ।” ଏହା କହି ଶିକ୍ଷକ ବାହାରକୁ ବାହାରି ଗଲେ । ଶିକ୍ଷକ ଗଲା ପରେ ପିଲାଟି ଭାବିଲା, “ଦଶ ମିନିଟ କଥା ତ । ଅପେକ୍ଷା କରି ଗଲେ ଦୁଇଟି ଟଫି ମିଳିବ । ଏଇ ଟଫି ଆଡକୁ ଅନାଇବି ନାହିଁ ।” ହେଲେ ଅଳ୍ପ ସମୟ ପରେ ସେ ଆଉ ରହି ପାରିଲା ନାହିଁ । ତା’ ଆଖି ସେହି ଟଫି ଆଡକୁ ଟାଣି ହୋଇ ଯାଇ ଗୁଡା ହୋଇଥିବା ସୁନ୍ଦର ଜରି ଉପରେ ଅଟକି ଗଲା । ସେ ଆଉ ଟଫି ଉପରୁ ଆଖି ଫେରାଇ ଆଣି ପାରିଲା ନାହିଁ । କିଛି ସମୟ ପରେ ଭାବିଲା ଶିକ୍ଷକ ସିନା ଟଫିଟିକୁ ଖାଇବାକୁ ମନା କରିଛନ୍ତି, ହେଲେ ଜରି ଖୋଲି ଦେଖିବାକୁ ତ ମନା କରି ନାହାନ୍ତି । ଏହ

ଭ୍ୟାକସିନ କୂଟନୀତିର ଲମ୍ୱା ଖେଳ

ଜାତିସଙ୍ଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ୨୦୨୧ ଜାନୁଆରି ମାସ ଉଦବେଗ ପ୍ରକାଶ କରି କହିଥିଲେ, “ଆଜି ଆମେ ଏକ ‘ଭ୍ୟାକସିନ ଶୁନ୍ୟତା’କୁ ଦେଖୁଛେ । ଉଚ୍ଚ ଆୟକାରୀ ଦେଶଗୁଡିକଙ୍କ ନିକଟରେ ତୁରନ୍ତ ଭ୍ୟାକସିନ ପହଞ୍ଚି ଯାଉଥିବା ବେଳେ ବିଶ୍ୱର ଦରିଦ୍ର ଦେଶଗୁଡିକ କିଛି ପାଉ ନାହାନ୍ତି । ବିଜ୍ଞାନ ସଫଳ ହେଉଛି - ହେଲେ ପାରସ୍ପରିକ ନିର୍ଭରଶୀଳତା ବିଫଳ ହେଉଛି ।” ତାଙ୍କର ଏପରି ମନ୍ତବ୍ୟ ପଛର କାରଣ ଥିଲା କିଛି ଦେଶ ଦ୍ୱିପାକ୍ଷିକ ଚୁକ୍ତି ଜରିଆରେ ସେମାନଙ୍କ ଆବଶ୍ୟକତାଠାରୁ ଅଧିକ ଟିକା ମହଜୁଦ କରି ରଖିବା । ନିଜ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ସବୁ ସରକାରଙ୍କ କର୍ତ୍ତବ୍ୟ ହୋଇଥିଲେ ବି ଅନ୍ୟ ଦେଶ କଥା ନ ଭାବି କେବଳ ନିଜ ଦେଶ କଥା ଭାବିବା ‘ଭ୍ୟାକସିନ ଜାତୀୟତାବାଦ’କୁ ଜନ୍ମ ଦେଲା । ବସ୍ତୁତଃ  ଆମେରିକା, କାନାଡା, ପଶ୍ଚିମ ଇଉରୋପର କିଛି ଦେଶ ଏହି ଭ୍ୟାକସିନ ଜାତୀୟତାବାଦକୁ ଅନୁସରଣ କରି ଅନ୍ୟ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶମାନଙ୍କ ଆବଶ୍ୟକତାକୁ ଅଣଦେଖା କରିବାରୁ ସାରା ବିଶ୍ୱରେ ଏକ ‘ଭ୍ୟାକସିନ ଶୂନ୍ୟତା’ ଦେଖା ଦେଲା । ଏକ ଆକଳନ ଅନୁସାରେ ୨୦୨୧ ଅପ୍ରେଲ ଶେଷ ସୁଦ୍ଧା ସାରା ବିଶ୍ୱରେ ଦିଆ ଯାଇଥିବା ୧୦୦ କୋଟି ଡୋଜ ଟିକା ଭିତରୁ ମାତ୍ର ୨୦ ଲକ୍ଷ ନିମ୍ନ ଆୟକାରୀ ଦେଶମାନଙ୍କରେ ଦିଆଯାଇଥିଲା । ଚୀନ ଓ ରୁଷିଆ ଏହି ବିଶାଳ ଶୂନ୍ୟତାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବେ ଗ୍ରହଣ କରି ଲୋକସମ୍ପର୍କ ଅଭିଯାନ ମାଧ୍ୟମରେ ନିଜକୁ ବି

ଏସଡିଜି ସୂଚକାଙ୍କ ତାଲିକାରେ ଓଡିଶା ପଛରେ କାହିଁକି ?

ନୀତି ଆୟୋଗ ଦ୍ୱାରା ଗତ ତିନି ବର୍ଷ ଧରି ଦେଶରେ ଏକ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)  ସୂଚକାଙ୍କ ତାଲିକା ପ୍ରସ୍ତୁତ ହୋଇ ଆସୁଛି ଓ ସେହି ଅନୁସାରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଙ୍କର ପ୍ରଦର୍ଶନକୁ ଭିତ୍ତି କରି ସେମାନଙ୍କର ରାଙ୍କିଙ୍ଗ ପ୍ରସ୍ତୁତ ହେଉଛି । ୨୦୨୦-୨୧ ବର୍ଷ ପାଇଁ ପ୍ରସ୍ତୁତ ସୂଚକାଙ୍କ ତାଲିକାରେ ୨୮ଟି ରାଜ୍ୟ ମଧ୍ୟରେ ଓଡିଶା ୬୧ ନମ୍ୱର ପାଇ ୨୧ତମ ସ୍ଥାନରେ ରହିବା ପରେ ଓଡିଶାର ଏହି ନିମ୍ନ ପ୍ରଦର୍ଶନ ପାଇଁ ଆଲୋଚନା ହେଉଛି । ଏହି ତାଲିକାରେ ଓଡିଶା ତଳକୁ ଯେଉଁ ୭ଟି ରାଜ୍ୟ ରହିଛନ୍ତି ସେଗୁଡିକ ହେଲେ ବିହାର, ଝାରଖଣ୍ଡ, ଆସାମ, ଉତ୍ତରପ୍ରଦେଶ, ରାଜସ୍ଥାନ, ମେଘାଳୟ ଓ ଅରୁଣାଚଳ ପ୍ରଦେଶ । ଉଲ୍ଲେଖଯୋଗ୍ୟ ଯେ ୨୦୧୯-୨୦ ତାଲିକାରେ ଓଡିଶା ତଳକୁ ଥିବା ୧୦ଟି ରାଜ୍ୟ ମଧ୍ୟରୁ ଏ ବର୍ଷ ତାଲିକାରେ ଛତିଶଗଡ, ହରିଆଣା ଓ ନାଗାଲାଣ୍ଡ ରାଜ୍ୟ ଓଡିଶା ଉପରକୁ ଉଠି ଯାଇଥିବାରୁ ଓଡିଶାର ସ୍ଥାନ ତଳକୁ ଖସି ଆସିଛି । ତେବେ ଏହି ତାଲିକାଟିର ପ୍ରସ୍ତୁତି ପ୍ରକ୍ରିୟା ସହ  ଓଡିଶାର ପ୍ରଦର୍ଶନ କାହିଁକି ଆଶାନୁରୂପ ହୋଇ ପାରୁନାହିଁ ତାହା ବୁଝିବାର ଆବଶ୍ୟକତା ରହିଛି । ଜାତିସଙ୍ଘର ୧୯୩ଟି ସଭ୍ୟ ଦେଶଙ୍କ ଅନୁମୋଦନ କ୍ରମେ ଜାନୁଆରୀ ୧, ୨୦୧୬ଠାରୁ ଆଗାମୀ ୧୫ ବର୍ଷ ମଧ୍ୟରେ ୧୭ଟି ଲକ୍ଷ୍ୟ ଓ ୧୬୯ଟି ଉଦ୍ଦେଶ୍ୟ ହାସଲ କରିବା ଲାଗି ଏକ ନିରନ୍ତର ବିକାଶ ଲକ୍ଷ୍ୟ (ସସଟେନେବଲ ଡେଭଲପମେଣ୍ଟ ଗୋଲ) ଘୋଷିତ ହେଲା । ଭାରତ ମଧ୍ୟ ଏସଡିଜି

ହେଇଥାଉ ପଛେ ଚାଇନା ମାଲ !

“ଆମକୁ ଦେଶପ୍ରେମର ପାଠ ପଢେଇ ଚାଇନା ମାଲ ବର୍ଜନ କରିବାକୁ କହି ସରକାର ତ ନିଜେ ଭଲ ଚାଇନା ମାଲ ଆଣୁଛନ୍ତି ।“ “ଆମେ ଚାଇନା ମାଲ କିଣିଲେ ସେଥିରୁ ଲାଭ କରି ଚୀନ ଆମ ଉପରେ ବମ ପକାଉଛି ବୋଲି ଆମକୁ ବୁଝାଇ ଦିଆ ଯାଇଥିବାରୁ ଆମେ ଘର ପାଖରେ ମିଳୁଥିବା ୪୦ ଟଙ୍କିଆ ଚାଇନା ଟର୍ଚ୍ଚ ନ କିଣି ଏଭାରେଡିକୁ ୧୧୦ରେ କିଣିଲା ବେଳକୁ ସରକାର କାହିଁକି ଡବଲ ଦାମ ଦେଇ ଅକ୍ସିଜେନ ସିଲିଣ୍ଡର ଚାଇନାରୁ ମଗାଉଛନ୍ତି । ଏତେ ବେଳକୁ ଆଉ ଚୀନ ବମ ପକାଉନି ।” “ଦିଲ୍ଲୀକୁ ଅକ୍ସିଜେନ ଦେଇ ତ ଭାରି ବାହାଦୁରି ମାରୁଥିଲେ, ଏବେ ପୁଣି ଚାଇନାରୁ ସିଲିଣ୍ଡର ଆଣିବାକୁ ପଡୁଛି କାହିଁକି ?” “ଯେଉଁ ଚୀନ ସାରା ପୃଥିବୀରେ କରୋନା ଭାଇରସ ବାଣ୍ଟିଲା ସେ ପୁଣି ସିଲିଣ୍ଡରରେ କ’ଣ ଛାଡିଥିବ କିଏ ଜାଣେ ! ସିଲିଣ୍ଡର ମଗାଇବାକୁ କ’ଣ ଆଉ ଅନ୍ୟ ଦେଶ ମିଳିଲା ନାହିଁ କି?” “ଆମ ଟାଟା କି ଜିନ୍ଦଲଙ୍କୁ କହିଥିଲେ ପରା ଯେତେ ଦରକାର ସିଲିଣ୍ଡର ବାଡେଇ ଦେଇଥାଆନ୍ତେ, ସେଥିଲାଗି ପୁଣି ଚୀନ ଆଗରେ ହାତ ପାତିବାକୁ ହେଲା । ଆଗକୁ ପଞ୍ଚାୟତ ଇଲେକସନ ଅଛି । ମାଲ ଦରକାର । ସେଥିପାଇଁ ସବୁ ଫିସାଦି ।” ଏହିପରି କିଛି ଉକ୍ତି ଓ ପ୍ରଶ୍ନ ଗାଁ ଗଣ୍ଡାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକଙ୍କ ମନରେ ଉଙ୍କି ମାରି ଆଲୋଚନାର ବିଷୟ ପାଲଟିଥିବାର ଦେଖାଗଲା ମଇ ୩୧, ୨୦୨୧ରେ ଚୀନରୁ ଓଡିଶାକୁ ଅକ୍ସିଜେନ ସିଲିଣ୍ଡରର ପ୍ରଥମ ଖେପ ପହଞ୍ଚିବାର ଖବର ଜଣା ପଡିବା ପରେ । ଏଥିରୁ କିଛି ପ୍ରଶ୍ନ ସେମାନଙ

ରାଜାଙ୍କ ଆଖିରେ ଲୁହ

ରାଜାଙ୍କ ଉପରେ ଦୁନିଆ ଗପ । ହେଲେ କାହିଁ ରାଜାଙ୍କ କାନ୍ଦିବାର କାହାଣୀ ତ ବେଶି ଶୁଣାଯାଏ ନାହିଁ ! ରାଜାମାନେ କାନ୍ଦନ୍ତି ନାହିଁ, କାନ୍ଦି ପାରନ୍ତି ନାହିଁ । ରାଜାଙ୍କର ଅସୀମ ଶକ୍ତି ଆଉ ଲୁହ ଦୁର୍ବଳତାର ପ୍ରତୀକ । ତେଣୁ ରାଜାଙ୍କ ଆଖିରେ ଲୁହ କ’ଣ ଶୋଭାପାଆନ୍ତା ? ତା’ ଛଡା ରାଜା ଶକ୍ତିଶାଳୀ ହେଲେ ପ୍ରଜା ଆଶ୍ୱସ୍ତ ହୋଇଥାଏ । ଆଖିରେ ଲୁହ ନ ଥିଲେ ବି କଦବା କ୍ୱଚିତ ତାଙ୍କ ଆଖିରୁ ଲୁହ ଟୋପାଏ ଝରିଲେ ତାହା ଅମୂଲ୍ୟ ହୋଇଥାଏ । ରାଜା କାନ୍ଦିଲେ କାଳେ ତାଙ୍କ ଆଖିରୁ ପାଣି ନୁହେଁ ମୁକ୍ତା ଝରେ ବୋଲି କେତେକଙ୍କ ବିଶ୍ୱାସ । ସେଥିପାଇଁ  ବୋଧେ ଏକ ଅମୂଲ୍ୟ ବିରଳ ପଥରର ନାମ ‘କିଙ୍ଗସ ଟିଅରସ’ (ରାଜାଙ୍କ ଲୁହ) । ତା’ ମାନେ ରାଜା କ’ଣ ଆବେଗହୀନ ? ତାଙ୍କର ଆବେଗ ଅଛି, ସେ କାନ୍ଦନ୍ତି, କିନ୍ତୁ ଗୋପନରେ । କାରଣ ସର୍ବସାଧାରଣରେ ଲୁହ ଝରାଇବା ତାଙ୍କ ଲାଗି ନିଷେଧ । ଅଭିନେତା ଚାର୍ଲି ଚାପଲିନଙ୍କ ଏକ ପ୍ରସିଦ୍ଧ ଉକ୍ତି ‘ମୁଁ ବର୍ଷାରେ ଭିଜିବାକୁ ଭଲ ପାଏ କାରଣ କେହି ମୋ’ ଆଖିର ଲୁହକୁ ଦେଖିପାରନ୍ତି ନାହିଁ’ରେ ସାଧାରଣ ଲୋକଟିର ବି ସେହି ଲୁହ ଲୁଚାଇବାର ପ୍ରଚେଷ୍ଟାର କଥା କୁହାଯାଇଛି । ହେଲେ ଆଜିକାଲିକା ଗଣତାନ୍ତ୍ରିକ ଯୁଗର ଶାସକମାନେ ତ ବେଶ ସ୍ୱଚ୍ଛନ୍ଦରେ ସର୍ବସମକ୍ଷରେ ନିଜ ଆବେଗ ପ୍ରଦର୍ଶନ କରି ଲୁହ ଝରାଇ ପାରୁଛନ୍ତି । ତେବେ ପ୍ରଶ୍ନ ଉଠେ, ଏହା କ’ଣ ସେମାନଙ୍କ ପାଇଁ ଏକ ବାଧ୍ୟବାଧକତାରେ ପରିଣତ ହୋଇଛି ? ବିଂଶ ଶତାବ୍ଦୀର ପ