ଅବୈଧ ନିର୍ମାଣକୁ ଭାଙ୍ଗିବା ପାଇଁ ବର୍ଷ ବର୍ଷ ଧରି ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ନିୟମିତ ଭାବେ ବୁଲଡୋଜର ବ୍ୟବହୃତ ହୋଇଆସୁଛି । ତେବେ ଗତ କିଛି ବର୍ଷ ଧରି ଏହା ହଠାତ୍ ନ୍ୟାୟ ପ୍ରଦାନର ଏକ ମାଧ୍ୟମ ରୂପେ ଉଭା ହେବାକୁ ଲାଗିଲା । ବିଭିନ୍ନ କାରଣରୁ ନ୍ୟାୟ ମିଳିବାରେ ଅନେକ ବିଳମ୍ୱ ହେଉଥିବାରୁ ଓ ସ୍ଥଳ ବିଶେଷରେ ଅପରାଧୀଟିଏ ଦଣ୍ଡିତ ହେଉ ନଥିବାରୁ ନ୍ୟାୟ ବ୍ୟବସ୍ଥାର ଉପଯୋଗିତା ଉପରେ ପ୍ରଶ୍ନ ଉଠି ତାତ୍କାଳିକ ଦଣ୍ଡବିଧାନ ବ୍ୟବସ୍ଥା ପ୍ରତି ସାଧାରଣ ଜନତା ଆକୃଷ୍ଟ ହେବା ସ୍ୱାଭାବିକ । ତେଣୁ ‘ବୁଲଡୋଜର ନ୍ୟାୟ’ ପ୍ରଦାନ ବ୍ୟବସ୍ଥାଟି କ୍ରମଶଃ ଜନ ସମର୍ଥନ ହାସଲ କରିବାକୁ ଲାଗିଥିଲା ଏବଂ ଏଭଳି ଦଣ୍ଡ ବିଧାନ କରିପାରୁଥିବା ଶାସକ ଓ ପ୍ରଶାସକମାନେ କ୍ରମେ ମହିମାମଣ୍ଡିତ ହେବାକୁ ଲାଗିଥିଲେ । ତେବେ ଏହି ବିଚାର ବହିର୍ଭୁତ ତାତ୍କାଳିକ ନ୍ୟାୟ ପ୍ରଦାନ ପ୍ରକ୍ରିୟା ପ୍ରତି ଅସହମତି ପ୍ରକାଶ କରି ସୁପ୍ରିମକୋର୍ଟ ଏହାର ଯଥେଚ୍ଛା ପ୍ରୟୋଗ ଉପରେ କଟକଣା ଲଗାଇଛନ୍ତି ଏବଂ ନିକଟରେ ଏ ସଂକ୍ରାନ୍ତରେ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି । ଉତ୍ତର ପ୍ରଦେଶରେ ଗୁଣ୍ଡା, ବଦମାସ ଓ ଗାଙ୍ଗଷ୍ଟରମାନେ ନିଜ ନିଜର ଅପରାଧ ସାମ୍ରାଜ୍ୟ ବିସ୍ତାର କରି ଆସୁଥିଲେ ହେଁ ସେମାନଙ୍କୁ ଦଣ୍ଡିତ କରାଯାଇ ପାରୁ ନ ଥିବାରୁ ସେମାନେ ନିର୍ଭୟରେ ସେମାନଙ୍କ କାର୍ଯ୍ୟ କରିଚାଲିଥିଲେ । ଏହା ସାଧାରଣରେ ଭୟ ଓ କ୍ଷୋଭ ଜାତର କାରଣ ହୋଇଥିଲା । ରାଜ୍ୟରେ...