ନୂଆ ବର୍ଷ ଆରମ୍ଭରେ ‘ବୁଲ୍ଲୀ ବାଈ’ ନାମକ ଏକ ଆପ୍ (ଆପ୍ଲିକେସନ)ରେ ରେଡିଓ ମିର୍ଚି ୯୮.୩ ଏଫଏମର ‘ଆରଜେ ସାୟେମା’ ଭାବେ ଖ୍ୟାତ ରେଡିଓ ଜକି ସାୟେମା ରେହମାନ ନିଜ ଫଟୋ ନିଲାମ ଉଦ୍ଦେଶ୍ୟରେ ଥିବା ଦେଖି ବିସ୍ମିତ ଓ ବିଚଳିତ ହୋଇ ପଡିଥିଲେ । କେବଳ ତାଙ୍କର ନୁହେଁ, ଏହି ୱେବସାଇଟରେ ପ୍ରାୟ ୧୦୦ ଜଣ ମୁସଲମାନ ମହିଳାଙ୍କ ଫଟୋ ନିଲାମ ଉଦ୍ଦେଶ୍ୟରେ ରଖାଯାଇଥିଲା ଓ ସେମାନଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ପ୍ରଦାନ କରାଯାଉଥିଲା । ଏହି ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କଲା । ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଏହି ପ୍ରଭାବଶାଳୀ ମହିଳାମାନଙ୍କ କୃତ୍ରିମ ଭାବେ ପରିବର୍ତ୍ତିତ (ଡକ୍ଟରଡ୍) ଫଟୋ ଓ ପ୍ରୋଫାଇଲ ନିଲାମ ଉଦ୍ଦେଶ୍ୟରେ ‘ବୁଲ୍ଲୀ ବାଈ’ ୱେବସାଇଟରେ ରଖି ନିଲାମ ଡାକ ପାଇଁ ଆମନ୍ତ୍ରଣ କରାଯିବାର ଉଦ୍ଦେଶ୍ୟ ଥିଲା ସେମାନଙ୍କୁ ନିନ୍ଦିତ ଓ ଭୟଭୀତ କରାଇବା । ସାମାଜିକ ଗଣମାଧ୍ୟମରେ ବେଶ ସକ୍ରିୟ ଥିବା ଏହି ମହିଳାମାନଙ୍କ ବୟସ ୧୭ରୁ ୭୦ ମଧ୍ୟରେ ଥିଲା । ଏକ ୱେବସାଇଟରେ ମୁସଲମାନ ମହିଳାଙ୍କ ନିଲାମ ଡକା ଯାଉଥିବା ଖବର ସେତେବେଳେ ଜଣାପଡିଲା, ଯେତେବେଳେ ‘ଦି ୱାୟାର’ ନାମକ ନିଉଜ ୱେବସାଇଟର ସାମ୍ୱାଦିକା ଇସମତ ଆରା ତାଙ୍କ ଫଟୋ ‘ବୁଲ୍ଲୀ ବାଈ’ ୱେବସାଇଟରେ ଥିବା କଥା ଟ୍ୱିଟ କରି ଜଣାଇଲେ, “ଏହା ଅତି ଦୁଃଖଦାୟକ ଯେ ଜଣେ ମୁସଲମାନ ମହିଳା ଭାବେ ମୋତେ ଭୟ ଓ ଘୃଣା ମଧ୍ୟ ଦେଇ ନୂଆ ବର୍ଷ (୨୦୨୨) ଆରମ୍ଭ କରିବାକୁ ପଡିଲା । ଅବଶ୍ୟ ଏହ...