ଯାହାର ନାମ ଆଗେ ଥିଲା ଫ୍ରି ସ୍କୁଲ ଷ୍ଟ୍ରିଟ, ସେହି ମିର୍ଜା ଗାଲିବ ଷ୍ଟ୍ରିଟର ଲ୍ୟାଜର୍ସ ନିଲାମ ଦୋକାନରେ ପ୍ରତି ରବିବାର ସକାଳେ ସହଦେବବାବୁଙ୍କୁ ଦେଖା ଯିବା ଆରମ୍ଭ ହେଇଛି ଏଇ ପ୍ରାୟ ତିନି ମାସ ହେଲା । ପ୍ରଥମ ଅବସ୍ଥାରେ ଲୋକାଲ ଟ୍ରେନରେ ଚଟି ବହି, ଗୋପାଳ ଭାଣ୍ଡ ବହି, ଖନାବଚନ ବହି, ପାଂଚାଳି ବହି ଏଇ ସବୁ ବିକ୍ରି କରୁଥିଲେ, ତା’ପରେ ନାନା ରକମ ଦଲାଲି କାମ କରି କମିଶନି ଟଙ୍କା ଜମାଇ ଗୋଟେ ଛୋଟମୋଟ ବ୍ୟବସାୟ ଆରମ୍ଭ କରି ଏଇ ପ୍ରାୟ ପାଂଚ ବର୍ଷ ହେବ ଇଲେକଟ୍ରିକ କ୍ୟାବଲର ବ୍ୟବସାୟ କରି ସହଦେବ ଘୋଷ ଆଜି ଆସି ଯେଉଁଠାରେ ଠିଆ ହେଇଛନ୍ତି ସେଠି ତାଙ୍କର ସଦାନନ୍ଦ ରୋଡରେ ଗୋଟେ ସୁଦୃଶ୍ୟ ଫ୍ଲାଟ, ଗୋଟେ ଫିଆଟ ଗାଡି, ଟେଲିଫୋନ, ଟେଲିଭିଜନ, ଦୁଇଟା ଚାକର, ଗୋଟେ ପୂଜାରୀ, ଗୋଟେ ଆଲସିସିଆନ କୁକୁର । ଆଗେ ଯେଉଁମାନେ ତାଙ୍କର ଖୁବ ପାଖର ଲୋକ ଥିଲେ, ଏବେ ସେମାନେ ତାଙ୍କୁ ଦେଖିଲେ ଚଟ କରି ଚିହ୍ନି ପାରନ୍ତି ନାହିଁ, ବା ଚିହ୍ନିଲେ ବି କଥା କହିବାକୁ ସାହସ କରି ଆଗେଇ ଆସନ୍ତି ନାହିଁ । ସହଦେବବାବୁଙ୍କର ବି ଖୁବ ଇଚ୍ଛା ନାହିଁ ଯେ ସେମାନେ ତାଙ୍କୁ ଚିହ୍ନନ୍ତୁ ; ସେଥିପାଇଁ ସେ ନିଶ ରଖିଛନ୍ତି, କଲିକୁ ଇଂଚେ ବଢାଇଛନ୍ତି, ଆଉ ଆଖି ଖରାପ ହେଇ ନଥିଲେ ବି ଗୋଟେ ପାଓାରଲେସ ସୁନାର ଚଷମା ନେଇଛନ୍ତି । ଅବସ୍ଥାରେ ଉନ୍ନତି ସଙ୍ଗେ ସଙ୍ଗେ ତାଙ୍କର ନୂଆ ସାଙ୍ଗ ବି ଜୁଟିଛନ୍ତି, ଯେଉଁମାନେ ପ୍ରତି ଦିନ ସନ୍ଧ୍ୟାବେଳେ ତାଙ୍କ ଘରକୁ ଆସି ଭଲ ଚା...