ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସୁପାରିଶ କ୍ରମେ ଜାତିସଂଘର ନାର୍କୋଟିକ ଡ୍ରଗସ ଆୟୋଗ ୨ ଡିସେମ୍ୱର ୨୦୨୦ରେ, ଗଞ୍ଜେଇ (କାନାବିସ)କୁ ୧୯୬୧ର ସିଙ୍ଗଲ କନଭେନସନ ଅନ ନାର୍କୋଟିକ ଡ୍ରଗସର ଚତୁର୍ଥ ଅନୁଚ୍ଛେଦରୁ ବାଦ ଦେଇଛି । ଏହି ଆୟୋଗରେ ଥିବା ସମୁଦାୟ ୫୩ଟି ଦେଶ ମଧ୍ୟରୁ ୨୭ଟି ଦେଶ ଗଞ୍ଜେଇକୁ ସେହି ଅନୁଚ୍ଛେଦରୁ ବାଦ ଦେବା ସପକ୍ଷରେ ଭୋଟ ଦେଇଥିବା ବେଳେ ୨୫ଟି ଦେଶ ବିପକ୍ଷରେ ଭୋଟ ଦେଇଥିଲେ ଓ ୟୁକ୍ରେନ ଭୋଟ ଦେବାରୁ ବିରତ ଥିଲା । ଉଲ୍ଲେଖନୀୟ ପାକିସ୍ତାନ, ଚୀନ, ରୁଷିଆ, ଜାପାନ ଭଳି ଦେଶ ଏହା ବିପକ୍ଷରେ ଭୋଟ ଦେଇଥିବା ବେଳେ ଆମେରିକା ଓ ୟୁରୋପୀୟ ୟୁନିଅନର ଦେଶମାନଙ୍କ ସହ ଭାରତ ଏହା ସପକ୍ଷରେ ଭୋଟ ଦେଇଥିଲା । ଅବଶ୍ୟ ଭାରତ ଏହା ସପକ୍ଷରେ ଭୋଟ ଦେବାର କାରଣ ସ୍ପଷ୍ଟ କରି ନ ଥିଲେ ବି ଏହା ପରେ ଭାରତରେ ମଧ୍ୟ ଗଞ୍ଜେଇକୁ ନେଇ ଥିବା ଆଇନରେ ପରିବର୍ତ୍ତନ ହେବାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି । ଏହି ନିଷ୍ପତ୍ତି ଫଳରେ ସାରା ପୃଥିବୀରେ ଗଞ୍ଜେଇ ଉପରେ ଗବେଷଣା ଏବଂ ଏହାର ଔଷଧୀୟ ବ୍ୟବହାର ଉପରେ ସୁଦୂର ପ୍ରସାରୀ ପ୍ରଭାବ ପଡିବାକୁ ଯିବ ବୋଲି କୁହାଯାଉଥିଲେ ବି ଏହାର ସମ୍ଭାବିତ ଅନ୍ୟ ପ୍ରଭାବ ଉପରେ ମଧ୍ୟ ବିତର୍କ ହେବା ଆବଶ୍ୟକ । ଏଥି ପୂର୍ବରୁ ହେରୋଇନ, ମେଥାଡୋନ, ମର୍ଫିନ, ଅଫିମ, କୋକେନ ଭଳି ମାରାତ୍ମକ ଡ୍ରଗ ସହ ଗଞ୍ଜେଇ ମଧ୍ୟ ଏହି ଅନୁଚ୍ଛେଦରେ ଥିଲା । ନିଶାଦ୍ରବ୍ୟ ନିର୍ଭରତା ଉପରେ ଗଠିତ ବିଶେଷଜ୍ଞ କମିଟିଙ୍କ ରିପୋର୍ଟ ଅନୁ...