ଭଦ୍ରଲୋକଙ୍କ ଖେଳ ବୋଲି କୁହାଯାଉଥିବା କ୍ରିକେଟ ମୂଳରୁ ବର୍ଣ୍ଣବୈଷମ୍ୟବାଦ ଓ ପକ୍ଷପାତିତାର ଶିକାର ବୋଲି ଅଭିଯୋଗ ହୋଇଥାଏ । ଭାରତୀୟ କ୍ରିକେଟରେ ମଧ୍ୟ ପକ୍ଷପାତିତାର ରହିଛି ବୋଲି ଅନେକଙ୍କ ଧାରଣା । ସ୍ୱାଧୀନତା ପୂର୍ବରୁ ଏହା ରାଜା, ମହାରାଜା ଓ ବିତ୍ତଶାଳୀ ଉଚ୍ଚ ବର୍ଗର ନିୟନ୍ତ୍ରଣରେ ରହି ଆସିଥିଲା ଓ ତାହା ଏବେ ମଧ୍ୟ ସେମାନଙ୍କ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିନାହିଁ । ଭାରତୀୟ କ୍ରିକେଟର ଖେଳାଳି ଚୟନରେ ପଛୁଆ ବର୍ଗ, ବିଶେଷ କରି ଦଳିତ ଓ ଆଦିବାସୀଙ୍କୁ ଉପେକ୍ଷା କରାଯାଇଥାଏ ବୋଲି ଅଭିଯୋଗ ହୁଏ । ଭାରତର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ାଟିର ଏହି ବିଭାବ ସମ୍ପର୍କରେ ଏକ ବିଶଦ ଆଲୋଚନା କରାଯିବା ମଧ୍ୟ ଆବଶ୍ୟକ । କୁହାଯାଏ କ୍ରିକେଟରେ ଜନ୍ମ, ଜାତି, ଧର୍ମ, ଶିକ୍ଷାଗତ ଯୋଗ୍ୟତା, ଆର୍ଥିକ ସ୍ଥିତି ଆଦିର କୌଣସି ସ୍ଥାନ ନାହିଁ, କାରଣ ଏଠି କେବଳ ପ୍ରତିଭାକୁ ସମ୍ମାନ ଦିଆଯାଇଥାଏ । ହେଲେ ୧୯୩୨ରୁ କ୍ରିକେଟ ଟେଷ୍ଟ ମ୍ୟାଚ ଖେଳି ଆସୁଥିବା ଭାରତରେ ଗତ ୯୦ ବର୍ଷରେ ଖେଳିଥିବା ୩୦୨ ଜଣ ଟେଷ୍ଟ ଖେଳାଳୀଙ୍କ ମଧ୍ୟରୁ ବ୍ରାହ୍ମଣଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ । ଅବଶ୍ୟ ଏମାନଙ୍କ ମଧ୍ୟରେ କିଛି ଅସାଧାରଣ ଭାବେ ପ୍ରତିଭାବାନ ଖେଳାଳୀ ଅଛନ୍ତି । ଅନ୍ୟ ପକ୍ଷରେ ଏଯାବତ୍ ଦେଶ ପାଇଁ ଏକନାଥ ସୋଲକାର, କର୍ସନ ଘାବରି, ବିନୋଦ କାମ୍ୱଲିଙ୍କ ଭଳି ମାତ୍ର ୮ ଜଣ ଅନୁସୂଚିତ ଜାତିର ଖେଳାଳୀ ଖେଳିଥିବା ବେଳେ କୌଣସି ଆଦିବାସୀ ଖେଳାଳି ଖେ...