କିଛି ଦିନ ତଳେ ଭୁବନେଶ୍ୱର ନିକଟସ୍ଥ ବାଲିପାଟଣାର ଆମଣାକୁଦ ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀ ଛାତ୍ରର “ମୁଁ ଇସ୍କୁଲୁରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢୁଛି, ମୁଁ ଶୁଣିଲି କୁଆଡେ ଆମ ଇସ୍କୁଲୁ ଉଠିଯାଉଛି” କଥାଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ପରେ ତା’ ଉପରେ ଆଧାରିତ ଏକ ଓଡିଆ ‘ରାପ’ ଗୀତ ମଧ୍ୟ ବେଶ ଆଦୃତ ହୋଇଥିଲା । ହେଲେ ସ୍କୁଲ ଉଠିବା ନେଇ ପିଲାଟି ଉଠାଇଥିବା ମୂଳ ପ୍ରଶ୍ନଟି ସେମିତି ଅସମାହିତ ରହିଗଲା । କମ ଛାତ୍ର ଥିବା ଦର୍ଶାଇ ସ୍କୁଲଗୁଡିକୁ ବନ୍ଦ କରି ପାଖ ସ୍କୁଲରେ ମିଶାଇ ଦେବାର ରାଜ୍ୟ ସରକାରଙ୍କ ଆଦେଶକୁ ଓଡିଶା ହାଇକୋର୍ଟ ମଇ ୪, ୨୦୨୧ରେ ଦେଇଥିବା ରାୟରେ ଖାରଜ କରି ଦେଇଛନ୍ତି । ଫଳରେ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ମାର୍ଚ୍ଚ ୧୧, ୨୦୨୦ରେ ପ୍ରକାଶିତ ମୂଳ ବିଜ୍ଞପ୍ତି ତଥା ଡିସେମ୍ୱର ୧୪, ୨୦୨୦ରେ ପ୍ରକାଶିତ ସଂଶୋଧିତ ବିଜ୍ଞପ୍ତି ରଦ୍ଦ ହୋଇଛି । ରାଜ୍ୟର ଶତାଧିକ ସ୍କୁଲକୁ ବନ୍ଦ ନ କରିବାକୁ ଓ ବନ୍ଦ ହୋଇ ଅନ୍ୟ ସ୍କୁଲରେ ମିଶ୍ରଣ ହୋଇ ସାରିଥିବା ସ୍କୁଲଗୁଡିକୁ ପୁନଃପ୍ରତିଷ୍ଠା କରିବା ଲାଗି କୋର୍ଟ ଆଦେଶ ଦେଇଛନ୍ତି । ଯୌକ୍ତିକତା (ରାସନାଲାଇଜେସନ) ଓ ସୁଦୃଢୀକରଣ (କନସୋଲିଡେସନ)ର ନୀତିକୁ ଆଧାର କରି ମେ’ ୧୪, ୨୦୧୮ରେ ରାଜ୍ୟ ସରକାରଙ୍କ ଦ୍ୱାରା କମ ଛାତ୍ର ଥିବା ସ୍କୁଲଗୁଡିକୁ ବନ୍ଦ କରି ସେଗୁଡିକୁ ଗୋଟିଏ ଗୋଟିଏ ପାଖ ସ୍କୁଲରେ ମିଶାଇ ଦେବା ଲାଗି ନୀତିଗତ ନିଷ୍ପତ୍ତି ନିଆ ଯାଇଥିଲା ।...