ଚଉକି କ୍ଷମତାର ପ୍ରତୀକ l ସରକାରୀ କାର୍ଯ୍ୟାଳୟରେ ଚଉକି ଖଣ୍ଡେ ପାଇଥିବା ଲୋକଟିର କ୍ଷମତା ଯେ କେତେ ଅଧିକ ତାହା ଯେ କେହି ହୃଦୟଙ୍ଗମ କରିଥିବେ l କିନ୍ତୁ ସେହି ଚଉକି ଉପରେ ଯେତେବେଳେ ଧଳା ଟର୍କିସ ଟାଓ୍ଵେଲ (ତଉଲିଆ) ଖଣ୍ଡେ ପଡିଯାଏ, ସେହି ଚଉକିର ଅଧିକାରୀଙ୍କ କ୍ଷମତା ଯେ ନିଶ୍ଚିତ ଭାବେ ସ୍ଵତନ୍ତ୍ର, ତାହା ବୁଝିବାକୁ ଆଉ ବାକି ରହେନାହିଁ l ତେବେ ଭାରତରେ ପ୍ରଚଳିତ ଏହି ଧଳା ଟର୍କିସ ଟାଓ୍ଵେଲ ପିନ୍ଧା ଚଉକି ବ୍ୟବସ୍ଥା ବିଦେଶରେ ଦେଖାଯାଏ ନାହିଁ, ଭାରତରେ ମଧ୍ୟ ତାହା ଅତୀତରେ ନ ଥିଲା l ଇଂରେଜ ଶାସନର ଶେଷ ବେଳକୁ ସେମାନେ ଭାରତୀୟ ଅମଲାଙ୍କ ପାଇଁ ଏହି ବ୍ୟବସ୍ଥାଟି ଆରମ୍ଭ କଲେ, କାରଣ ଭାରତୀୟମାନେ ମୁଣ୍ଡରେ ତେଲ ଲଗାଉଥିବାରୁ ଚଉକିରେ ଦାଗ ଲାଗି ଯାଉଥିଲା l ଚଉକିଗୁଡିକୁ ତେଲ ଦାଗ ଲାଗିବାରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରଚଳିତ ଏହି ବ୍ୟବସ୍ଥା ସେମାନଙ୍କ ପାଇଁ ଲାଗୁ ନଥିଲା l ଅର୍ଥାତ୍, ସେମାନେ ବସୁଥିବା ଚଉକି ଉପରେ ଟର୍କିସ ଟାଓ୍ଵେଲ ପଡୁ ନଥିଲା l ସେମାନଙ୍କର ଭାରତୀୟଙ୍କ ତେଲମଖା ମୁଣ୍ଡ ପ୍ରତି ଘୃଣାରୁ ଉତ୍ପନ୍ନ ଏହି ବ୍ୟବସ୍ଥାଟିକୁ ଭାରତୀୟ ଅମଲାମାନେ ଏକ ସମ୍ମାନ ଭାବେ ଗ୍ରହଣ କରିନେଲେ, ଆଉ ତାହା କ୍ରମଶଃ କ୍ଷମତା ପ୍ରଦର୍ଶନର ଏକ ଅଳଙ୍କାର ପାଲଟିଗଲା l ଚଉକି ଉପରେ ପଡୁଥିବା ତଉଲିଆଟି ଏକ ସାଧାରଣ ତଉଲିଆ ନ ହୋଇ ଟର୍କିସ ଟାଓ୍ଵେଲ ହୋଇଥାଏ l ସପ୍ତଦଶ ଶତାବ୍ଦୀରେ ତୁର୍କୀର ବୁର୍ସା ସହରରେ ପ୍ରଥମେ ତିଆର...