ଦେଶରେ ପେଟ୍ରୋଲ ଦର ଲିଟର ପିଛା ଶହେ ଟଙ୍କା ଛୁଇଁବା ପରେ ଗ୍ରାହକଙ୍କ ଆକ୍ରୋଶ ପ୍ରତ୍ୟହ ବଢିବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲକୁ ଜିଏସଟି କର ବ୍ୟବସ୍ଥା ବାହାରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ଅତ୍ୟଧିକ ଏକସାଇଜ ଓ ସେସ ଆଦାୟ ହେବା ସହ ରାଜ୍ୟମାନଙ୍କ ଦ୍ୱାରା ଭାଟ ଆଦାୟ ହେଉଥିବାରୁ ଭାରତରେ ତୈଳ ଦର ଆଶାତୀତ ଭାବେ ବୃଦ୍ଧି ପାଇ ପଡୋଶୀ ଦେଶ ନେପାଳ, ବଙ୍ଗଳାଦେଶ, ପାକିସ୍ତାନ, ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ ଦର ତୁଳନାରେ ଯଥେଷ୍ଟ ଅଧିକ ହୋଇଛି । ତେବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଓ ଆମଦାନୀ ଉପରେ ଭାରତର ଅତ୍ୟଧିକ ନିର୍ଭରଶୀଳତା ଭାରତରେ ତେଲ ଦର ବଢିବାର ମୁଖ୍ୟ କାରଣ ବୋଲି ସରକାରଙ୍କ ତରଫରୁ କୁହା ଯାଉଛି, ଯାହା ଆଂଶିକ ସତ ହେଲେ ବି ସମ୍ପୂର୍ଣ୍ଣ ନୁହେଁ । ଏହି ପ୍ରସଙ୍ଗରେ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଉକ୍ତି, “ଭାରତର ଶକ୍ତି ଆବଶ୍ୟକତାର ପରିପୂରଣ ପାଇଁ ବିଦେଶରୁ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ଉପରେ ପୂର୍ବର ସରକାରମାନେ ଧ୍ୟାନ କେନ୍ଦ୍ରିତ କରିଥିଲେ ଭାରତର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଉପରେ ବୋଝ ପଡି ନ ଥାଆନ୍ତା”, ପ୍ରଣିଧାନଯୋଗ୍ୟ । ଏହା ଭାରତର ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ଓ ତାହା ହ୍ରାସ କରିବା ପାଇଁ ପୂର୍ବର ଏବଂ ଏବର ସରକାରଙ୍କ ପ୍ରୟାସ ଓ ତା’ର ଫଳାଫଳକୁ ତର୍ଜମା କରିବାର ଅବକାଶ ସୃଷ୍ଟି କରିଛି । ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଭାରତରେ ପେଟ୍ରୋଲର ଦର ବୃଦ୍ଧି...