ବିବାଦୀୟ ତିନିଟି କୃଷି ଆଇନ ପ୍ରତ୍ୟାହୃତ ହୋଇ କୃଷକ ଆନ୍ଦୋଳନ ସ୍ଥଗିତ ରହିବା ପରେ ଏ ବର୍ଷ କେନ୍ଦ୍ର ବଜେଟରେ କୃଷିକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ଆଶା କରାଯାଉଥିଲା ବେଳେ ପ୍ରମୁଖ ଚାଷୀ ସଙ୍ଗଠନଗୁଡିକ ବଜେଟଟି ନିରାଶାଜନକ ବୋଲି ଅଭିହିତ କରିଛନ୍ତି । ସେ ସମ୍ପର୍କରେ ଏକ ଆଲୋଚନା ପ୍ରାସଙ୍ଗିକ ଭଳି ଲାଗେ । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପାଇଁ ୨୦୨୨-୨୩ ବଜେଟରେ ପ୍ରାୟ ୧.୩୩ ଲକ୍ଷ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ଗତ ବର୍ଷ ସଂଶୋଧିତ ବଜେଟ ଆକଳନ ଅନୁଯାୟୀ ଏହି ରାଶି ୧.୨୭ ଲକ୍ଷ କୋଟି ଟଙ୍କା ଥିଲା, ଯେଉଁଥିରେ ଏ ବର୍ଷ ମାତ୍ର ୪.୫ ପ୍ରତିଶତ ବୃଦ୍ଧି ଘଟିଛି । ଏହି ଆବଣ୍ଟିତ ରାଶି ମଧ୍ୟରୁ ୬୮ ହଜାର କୋଟି ଟଙ୍କା ବା ଅଧାରୁ ବେଶି କେବଳ ପିଏମ-କିସାନ ଯୋଜନା ପାଇଁ ଆବଣ୍ଟିତ ହୋଇଛି । ଚାଷୀ ପରିବାରଙ୍କୁ ମିଳୁଥିବା ବାର୍ଷିକ ୬୦୦୦ ଟଙ୍କା ଏହି ପାଣ୍ଠିରୁ ଦିଆଯାଇଥାଏ । ତେଣୁ ଅନ୍ୟାନ୍ୟ କାର୍ୟ୍ୟକ୍ରମ ପାଇଁ ଉପଲବ୍ଧ ରାଶି ସୀମିତ ଅଟେ । ଏ ବର୍ଷ ବଜେଟରେ କୃଷି କ୍ଷେତ୍ରରେ ଯେଉଁ ନୂଆ କାର୍ୟ୍ୟକ୍ରମଗୁଡିକର ଘୋଷଣା କରାଯାଇଛି ତନ୍ମଧ୍ୟରେ ପିପିପି ମାଧ୍ୟମରେ କୃଷକଙ୍କୁ ଡିଜିଟାଲ, ହାଇ-ଟେକ ସେବା ପ୍ରଦାନ, କୃଷି ଓ ଗ୍ରାମୋଦ୍ୟୋଗ ପାଇଁ ନାବାର୍ଡ ମାଧ୍ୟମରେ ଏକ ଷ୍ଟାର୍ଟ-ଅପ ପାଣ୍ଠିର ପ୍ରତିଷ୍ଠା, ଜଳସେଚନର କ୍ଷେତ୍ର ବିସ୍ତାର ଉଦ୍ଦେଶ୍ୟରେ ପାଇଲଟ ଭିତ୍ତିରେ କେନ-ବେତୱା ନଦୀ ସଂଯୋଗୀକରଣ ଆଦି ଅନ୍ୟତମ । କୃଷି...