ଅଷ୍ଟ୍ରେଲିଆର ଜଙ୍ଗଲରେ ୨୦୧୯-୨୦ରେ ଲାଗିଥିବା ଏକ ବଡ଼ ଧରଣର ନିଆଁ ବ୍ୟାପକ ବିପର୍ଯ୍ୟୟର କାରଣ ପାଲଟିଥିଲା । ସେହି ବନାଗ୍ନିର ଭୟାବହତା ଏତେ ଅଧିକ ଥିଲା ଯେ ସେଥିରେ ପ୍ରାୟ ୩.୩୮ ଲକ୍ଷ ବର୍ଗକିଲୋମିଟର ପରିମିତ ଅଞ୍ଚଳରେ ନିଆଁ ଲାଗି ଅଷ୍ଟ୍ରେଲିଆର ସମୁଦାୟ ଜଙ୍ଗଲର ପାଞ୍ଚ ଭାଗରୁ ଭାଗେ ନଷ୍ଟ ହୋଇଯାଇଥଲା । ସେଥିରେ ୩୪ ଜଣଙ୍କର ପ୍ରାଣହାନି ଘଟିବା ସହ ପ୍ରାୟ ୩୦୦୦ ଘର ଜଳିଯାଇଥିଲା ଓ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିଲେ । ସେହି ବନାଗ୍ନିରେ ନିଶ୍ଚିହ୍ନ ହୋଇଯାଇଥିବା ପ୍ରାୟ ୧୦୦ କୋଟି ଜୀବଜନ୍ତୁ କେବଳ ଏକ ତଥ୍ୟ ଭାବେ ଲିପିବଦ୍ଧ ହୋଇଗଲେ ସିନା ସେମାନଙ୍କର କରୁଣ ଆର୍ତ୍ତନାଦ କାହାରି କାନରେ ପଡ଼ିଲାନାହିଁ । ଚଳିତ ଶତାବ୍ଦୀରେ ୨୦୦୩ରେ ପୂର୍ବ ସାଇବେରିଆ, ୨୦୧୪ରେ କାନାଡ଼ାର ନର୍ଥୱେଷ୍ଚ କ୍ଷେତ୍ର, ୨୦୧୯ରେ ସାଇବେରିଆ, ୨୦୨୧ରେ ରୁଷିଆ ବନାଗ୍ନିଗୁଡ଼ିକ ମଧ୍ୟ ବଡ ଧରଣର ବନାଗ୍ନି ରୂପେ ବିବେଚିତ । ଭାରତରେ ସେଭଳି ବଡ଼ ଧରଣର ବନାଗ୍ନି ଅନୁଭୂତ ହୋଇନଥିଲେ ବି ଗତ କିଛି ବର୍ଷ ଧରି ବିଭିନ୍ନ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ବନାଗ୍ନି ଲିପିବଦ୍ଧ ହୋଇ ଅପୂରଣୀୟ କ୍ଷତି ସାଧିତ ହୋଇଛି । ବିଶେଷ କରି ସଂଖ୍ୟା ଦୃଷ୍ଟିରୁ ସବୁ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶାରେ ଲଗାତାର ଭାବେ ସର୍ବାଧିକ ବନାଗ୍ନି ଲିପିବଦ୍ଧ ହେବା ଚିନ୍ତାଜନକ ହୋଇଥିବାରୁ ତାହା ରାଜ୍ୟବାସୀଙ୍କ ବିମର୍ଶର ବିଷୟ ହେବା ଆବଶ୍ୟକ । ଜଙ୍ଗଲରେ ନିଆଁ ଲାଗିବା ଏକ ପ୍ରାକୃତିକ ପ