ରାଷ୍ଟ୍ରପତି ଭବନରେ ଥିବା ‘ମୁଗଲ ଗାର୍ଡନ’ର ନାମ ବଦଳାଇ ‘ଅମ୍ରିତ ଉଦ୍ୟାନ’ ହେବା ପରେ ନିକଟରେ ମହାରାଷ୍ଟ୍ରର ଦୁଇଟି ସହର ଔରଙ୍ଗାବାଦ ଓ ଓସମାନାବାଦର ନାମ ବଦଳାଇ ଯଥାକ୍ରମେ ଛତ୍ରପତି ସମ୍ଭାଜୀ ନଗର ଓ ଧାରାଶିବ କରିବାର ଘୋଷଣାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସମ୍ମତି ପ୍ରଦାନ କରିଛି । ପୂର୍ବରୁ ଆଲାହାବାଦ ସହରର ନାମ ବଦଳାଇ ପ୍ରୟାଗରାଜ କରାହୋଇଛି । ଏହି କ୍ରମରେ ସାରା ଦେଶରେ କିଛି ରାସ୍ତା, ଛକ, ସହର, ରେଳ ଷ୍ଟେସନ (ମୁଗଲସରାଇ ଜଙ୍କସନ୍ ବଦଳରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ୍), ବିମାନ ବନ୍ଦର, ସୌଧ, ଅନୁଷ୍ଠାନ ଆଦିର ନାମ ମଧ୍ୟ ପରିବର୍ତ୍ତନ କରାଯାଇସାରିଛି । ଏପରିକି ଫୈଜାବାଦ ଜିଲ୍ଲାର ନାମକୁ ବଦଳାଇ ଅଯୋଧ୍ୟା କରାହୋଇଛି । ଏହି କ୍ରମରେ ହାଇଦ୍ରାବାଦର ନାମ ଭାଗ୍ୟନଗର, ଅହମଦାବାଦର ନାମ କର୍ଣ୍ଣାବତୀ କରିବାକୁ ବି ଦାବି ହେଉଛି । ଏହି ନାମ ବଦଳ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ଏକ ନାମବଦଳ କମିସନ (ରିନେମିଂ କମିସନ) ଗଠନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ସର୍ବୋଚ୍ଚ ଅଦାଲତ ଫେବୃଆରି ୨୭, ୨୦୨୩ରେ ଖାରଜ କରିବା ସହ ଯେଉଁ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀମାନ ଦେଇଛନ୍ତି ତାହା ପ୍ରଣିଧାନଯୋଗ୍ୟ । ଭାରତର ସ୍ୱାଧୀନତା ପରେ ଅନେକ ସ୍ଥାନର ନାମ ସ୍ଥାନୀୟ ଭାଷାରେ କୁହାଯାଉଥିବା ନାମ ଅନୁସାରେ ପରିବର୍ତ୍ତନ କରାଯାଇଛି । ସେହି ଅନୁସାରେ ବମ୍ୱେକୁ ମୁମ...