ଉତ୍ତର ପ୍ରଦେଶର ଲଖିମପୁର ଖେରି ଜିଲ୍ଲାର ଖୈରୈତିଆ ଗାଁଠାରେ ଅକ୍ଟୋବର ୩, ୨୦୨୧ରେ କିଛି କୃଷକଙ୍କ ଉପରେ ଗାଡି ଚଢାଇ ୪ ଜଣ କୃଷକଙ୍କ ଅତି ନିର୍ମମ ଭାବେ ହତ୍ୟା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ଆଶିଷ ମିଶ୍ର ଗିରଫ ହୋଇ ଜେଲରେ ଥିଲେ । ହତ୍ୟା ଭଳି ଏକ ସଙ୍ଗିନ ଅପରାଧରେ ଜେଲରେ ଥିବା ଜଣେ ଅଭିଯୁକ୍ତକୁ ଫେବୃଆରୀ ୧୦, ୨୦୨୨ରେ ଆଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଦ୍ୱାରା ଜାମିନ ପ୍ରଦାନ କରାଗଲା । ଗିରଫ ହେବାର ମାତ୍ର ୪ ମାସ ମଧ୍ୟରେ ସେ ଜେଲରୁ ମୁକୁଳିବାକୁ ସମର୍ଥ ହେବା ଓ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ନ ହେବାରେ ଆଇନଜ୍ଞମାନେ ବିସ୍ମିତ ହୋଇଥିଲେ । ବିଶେଷ କରି ଲଖିମପୁର ଖେରି ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଆଶିଷ ମିଶ୍ରଙ୍କୁ ଜାମିନ ମିଳିବାକୁ ବିଶ୍ଳେଷକମାନେ ନିର୍ବାଚନୀ ଲାଭକ୍ଷତି ନିକିତିରେ ବି ତଉଲିବାକୁ ଆରମ୍ଭ କରିଦେଲେ ଓ ଦଳକୁ ତାହାର ସୁଫଳ ମିଳିଥିଲା ମଧ୍ୟ । ତେବେ ଏପ୍ରିଲ ୧୮, ୨୦୨୨ରେ ସୁପ୍ରିମକୋର୍ଟ ଆଶିଷ ମିଶ୍ରଙ୍କୁ ମିଳିଥିବା ଜାମିନକୁ ରଦ୍ଦ କରିବା ସହ ଆଲାହାବାଦ ହାଇକୋର୍ଟଙ୍କୁ ଏହି ଜାମିନ ଆବେଦନର ପୁନର୍ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଲେ । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ଅପରାଧ ପୀଡିତଙ୍କ ନ୍ୟାୟିକ ଅଧିକାରକୁ ଗୁରୁତ୍ୱ ପ୍ରଦାନ କରି...