ରାୟପୁରଠାରେ ଅନୁଷ୍ଠିତ କଂଗ୍ରେସର ମହାଧିବେଶନରେ ବିଶିଷ୍ଟ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ଦେଶର ରାଜନୈତିକ ବାତାବରଣକୁ ଦୃଷ୍ଟିରେ ରଖି ବିରୋଧୀଦଳଙ୍କ ମଧ୍ୟରେ ରାଜନୈତିକ ମେଣ୍ଟ ଗଠନ ପୂର୍ବରୁ ପ୍ରଥମେ ଏକ ଆଇନଗତ ମେଣ୍ଟ ଗଠନର ଆବଶ୍ୟକତା ଉପରେ ପ୍ରଖର ଯୁକ୍ତି ବାଢ଼ିଥିଲେ । କଂଗ୍ରେସର ସଦସ୍ୟ ନଥିବା ଅନ୍ୟତମ ବିଶିଷ୍ଟ ଆଇନଜ୍ଞ କପିଲ ସିବଲ ମଧ୍ୟ ବିରୋଧୀ ଦଳଗୁଡ଼ିକୁ ଅନୁରୂପ ଭାବେ ଏକ ଆଇନଗତ ମେଣ୍ଟରେ ବାନ୍ଧି ରଖିବା ଲାଗି ‘ଇନସାଫ କେ ସିପାହୀ’ ନାମକ ଏକ ମଞ୍ଚର ଗଠନ କରିଛନ୍ତି । ଠିକ୍ ଏତିକିବେଳେ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଯେଉଁ ତତ୍ପରତାର ସହିତ ରାହୁଳ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଗଲା, ତାହା ସ୍ୱାଭାବିକ ଭାବେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରି ଉପରୋକ୍ତ ଆଇନଗତ ମେଣ୍ଟ ଗଠନର ପରିକଳ୍ପନାକୁ ବାସ୍ତବ ରୂପ ଦେବାର ସମ୍ଭାବନାଟିଏ ସୃଷ୍ଟି କରିଛି । ଏକ ବିଡ଼ମ୍ୱନା ସ୍ୱରୂପ ମାତ୍ର ଏକ-ତୃତୀୟାଂଶରୁ ସାମାନ୍ୟ ଅଧିକ ଭୋଟ ପାଇ ବିଜେପି ୩୦୩ ଆସନ ସହ କ୍ଷମତା ଦଖଲ କରିବାକୁ ସମର୍ଥ ହୋଇଥିବା ବେଳେ ବିରୋଧୀ ଦଳଗୁଡ଼ିକ ଯଥେଷ୍ଟ ଅଧିକ ଭୋଟ ପାଇ ମଧ୍ୟ ରାଜନୈତିକ ମେଣ୍ଟ ବା ସମନ୍ୱୟ ଅଭାବରୁ ବିଜେପିର ମୁକାବିଲା କରିବାକୁ ଅସମର୍ଥ ହେଉଛନ୍ତି । ଏଭଳି ସ୍ଥଳେ ବିରୋଧୀଦଳଗୁଡ଼ିକ ମଧ୍ୟରେ ମେଣ୍ଟଗଠନ ଉପରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ କିଛି ଦଳ କଂଗ୍ରେସରୁ ବାହାରି ତିଆରି ହୋଇଥିଲା ବେଳେ ଆଉ କିଛ...