ଭାରତରେ ଲକଡାଉନର ପ୍ରଭାବ କୃଷି କ୍ଷେତ୍ର ଉପରେ ଏପରି ପଡିଛି ଯେ ଚାଷୀ ତା ଉତ୍ପାଦିତ ଫସଲ ଅମଳ ଓ ବିକ୍ରି କରିବା ପାଇଁ ଅସମର୍ଥ ହୋଇ ବିଲରେ ନଷ୍ଟ ହେବାକୁ ଛାଡି ଦେଉଥିବା ବେଳେ ସହରମାନଙ୍କରେ ଆବଶ୍ୟକ ପରିମାଣର ପନିପରିବା ଉପଲବ୍ଧ ହେଉ ନଥିବାରୁ ଗ୍ରାହକମାନେ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି । ଏହି ପରିସ୍ଥିତି ଆଉ କିଛି ଦିନ ଲାଗି ରହିଲେ ଆଗାମୀ ଦିନରେ କେବଳ ପନିପରିବା ନୁହେଁ ବରଂ ଦେଶରେ ସବୁ ପ୍ରକାର ଖାଦ୍ୟଦ୍ରବ୍ୟର ଉପଲବ୍ଧତା ହ୍ରାସ ପାଇ ଦରଦାମ ହୁ ହୁ ହୋଇ ବଢିପାରେ ବୋଲି କେହି କେହି ଏବେଠୁ ଆଶଙ୍କା ବ୍ୟକ୍ତ କଲେଣି । ବିଭିନ୍ନ ଦେଶ କରୋନା ଭାଇରସ ବିପ ତ୍ତି ର ସୁପରିଚାଳନା କରିବାକୁ ଅସମର୍ଥ ହେଲେ ବିଶ୍ୱବ୍ୟାପୀ ଏକ ଉତ୍କଟ ଖାଦ୍ୟସଙ୍କଟ ଦେଖା ଦେଇପାରେ ବୋଲି ଇତିମଧ୍ୟରେ ଖାଦ୍ୟ ଓ କୃଷି ସଂଗଠନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱ ବାଣିଜ୍ୟ ସଂଗଠନ ମିଳିତ ଭାବେ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି । ଅଧିକାଂଶ ଦେଶ ଲକଡାଉନକୁ ପାଳନ କରୁଥିବାରୁ ଅନ୍ତର୍ଜାତୀୟ ବାଣିଜ୍ୟ ଯଥେଷ୍ଟ ହ୍ରାସ ପାଇବା ସହ ଖାଦ୍ୟ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ) ଅତିମାତ୍ରାରେ ବାଧାପ୍ରାପ୍ତ ହୋଇସାରିଛି । ଅବଶ୍ୟ ଭାରତରେ ଆବଶ୍ୟକ ପରିମାଣରେ ଖାଦ୍ୟଶସ୍ୟ ଗଚ୍ଛିତ ଥିବାରୁ ଦେଶବାସୀ ସେଥିପାଇଁ ଚିନ୍ତିତ ହେବାର କାରଣ ନାହିଁ ବୋଲି ସରକାର ଆଶ୍ୱାସନା ଦେଇ ଆସୁଥିଲେ ମଧ୍ୟ ସାରା ବିଶ୍ୱରେ କରୋନାଜନିତ ଖାଦ୍ୟ ସଙ୍କଟ ଦେଖା ଦେବାର ଆଶଙ୍କ...