ରାଜାଙ୍କ ଉପରେ ଦୁନିଆ ଗପ । ହେଲେ କାହିଁ ରାଜାଙ୍କ କାନ୍ଦିବାର କାହାଣୀ ତ ବେଶି ଶୁଣାଯାଏ ନାହିଁ ! ରାଜାମାନେ କାନ୍ଦନ୍ତି ନାହିଁ, କାନ୍ଦି ପାରନ୍ତି ନାହିଁ । ରାଜାଙ୍କର ଅସୀମ ଶକ୍ତି ଆଉ ଲୁହ ଦୁର୍ବଳତାର ପ୍ରତୀକ । ତେଣୁ ରାଜାଙ୍କ ଆଖିରେ ଲୁହ କ’ଣ ଶୋଭାପାଆନ୍ତା ? ତା’ ଛଡା ରାଜା ଶକ୍ତିଶାଳୀ ହେଲେ ପ୍ରଜା ଆଶ୍ୱସ୍ତ ହୋଇଥାଏ । ଆଖିରେ ଲୁହ ନ ଥିଲେ ବି କଦବା କ୍ୱଚିତ ତାଙ୍କ ଆଖିରୁ ଲୁହ ଟୋପାଏ ଝରିଲେ ତାହା ଅମୂଲ୍ୟ ହୋଇଥାଏ । ରାଜା କାନ୍ଦିଲେ କାଳେ ତାଙ୍କ ଆଖିରୁ ପାଣି ନୁହେଁ ମୁକ୍ତା ଝରେ ବୋଲି କେତେକଙ୍କ ବିଶ୍ୱାସ । ସେଥିପାଇଁ ବୋଧେ ଏକ ଅମୂଲ୍ୟ ବିରଳ ପଥରର ନାମ ‘କିଙ୍ଗସ ଟିଅରସ’ (ରାଜାଙ୍କ ଲୁହ) । ତା’ ମାନେ ରାଜା କ’ଣ ଆବେଗହୀନ ? ତାଙ୍କର ଆବେଗ ଅଛି, ସେ କାନ୍ଦନ୍ତି, କିନ୍ତୁ ଗୋପନରେ । କାରଣ ସର୍ବସାଧାରଣରେ ଲୁହ ଝରାଇବା ତାଙ୍କ ଲାଗି ନିଷେଧ । ଅଭିନେତା ଚାର୍ଲି ଚାପଲିନଙ୍କ ଏକ ପ୍ରସିଦ୍ଧ ଉକ୍ତି ‘ମୁଁ ବର୍ଷାରେ ଭିଜିବାକୁ ଭଲ ପାଏ କାରଣ କେହି ମୋ’ ଆଖିର ଲୁହକୁ ଦେଖିପାରନ୍ତି ନାହିଁ’ରେ ସାଧାରଣ ଲୋକଟିର ବି ସେହି ଲୁହ ଲୁଚାଇବାର ପ୍ରଚେଷ୍ଟାର କଥା କୁହାଯାଇଛି । ହେଲେ ଆଜିକାଲିକା ଗଣତାନ୍ତ୍ରିକ ଯୁଗର ଶାସକମାନେ ତ ବେଶ ସ୍ୱଚ୍ଛନ୍ଦରେ ସର୍ବସମକ୍ଷରେ ନିଜ ଆବେଗ ପ୍ରଦର୍ଶନ କରି ଲୁହ ଝରାଇ ପାରୁଛନ୍ତି । ତେବେ ପ୍ରଶ୍ନ ଉଠେ, ଏହା କ’ଣ ସେମାନଙ୍କ ପାଇଁ ଏକ ବାଧ୍ୟବାଧକତାରେ ପରିଣତ ହୋଇଛି ? ବିଂଶ ଶତାବ୍ଦ...