ପଶ୍ଚିମବଙ୍ଗର ଡାଏମଣ୍ଡ ହାର୍ବରଠାରେ ୨୦୨୦ ଡିସେମ୍ୱର ୧୦ ତାରିଖ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ମଟରଗାଡିର ଶୋଭାଯାତ୍ରା ଉପରେ ହୋଇଥିବା ଆକ୍ରମଣ ପରେ ତାଙ୍କ ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ଥିବା ତିନି ଜଣ ଆଇପିଏସ ପୁଲିସ ଅଧିକାରୀଙ୍କୁ ଦଣ୍ଡିତ କଲା ଭଳି ତୁରନ୍ତ ଡେପୁଟେସନରେ କେନ୍ଦ୍ରକୁ ପଠାଇବା ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଗଲା । ରାଜ୍ୟରେ ଆଇପିଏସ ଅଫିସରଙ୍କର ଘୋର ଅଭାବ ଥିବା ଦର୍ଶାଇ ରାଜ୍ୟ ସରକାର ସେମାନଙ୍କୁ ଡେପୁଟେସନରେ ପଠାଇବାକୁ ରୋକଠୋକ ମନା କରି ଦେଲେ । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ଓ ତୃଣମୂଳ କଂଗ୍ରେସ ସରକାରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇ ଏହି ଡେପୁଟେସନ ବିବାଦ ଏକ ରାଜନୈତିକ ରୂପ ନେଉଥିବା ବେଳେ ଏ ଭଳି କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟଙ୍କ କ୍ଷମତା କ’ଣ ତାହା ବୁଝିବାର ଆବଶ୍ୟକତା ରହିଛି । ସମ୍ୱିଧାନର ଧାରା ୩୧୨ ଅନୁଯାୟୀ ଭାରତୀୟ ପୁଲିସ ସେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ସମାନ ଭାବେ ଆବଶ୍ୟକ । ତଦନୁଯାୟୀ ସର୍ବଭାରତୀୟ ପୁଲିସ ସେବାରେ କୃତକାର୍ଯ୍ୟ ହେଉଥିବା ଅଧିକାରୀମାନଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ପ୍ରଦାନ କରାଯାଇ କେନ୍ଦ୍ର ଦ୍ୱାରା ସେମାନଙ୍କୁ ରାଜ୍ୟ କ୍ୟାଡର ଅଧିକାରୀ ଭାବେ ବିଭିନ୍ନ ରାଜ୍ୟକୁ ପଠା ଯାଇଥାଏ । ତେବ...