ଅଧିକ ଅମଳ ପାଇବା ଆଶାରେ ଚାଷୀ ଏବେ ତା ଫସଲରେ ଏତେ ଅଧିକ ରାସାୟନିକ ସାର ପ୍ରୟୋଗ କରୁଛି ଯେ ତାକୁ ବାଦ ଦେଇ ଚାଷ କରିବା କଥା ତା ମନକୁ ଆଣି ପାରିବ ନାହିଁ । ଏ ଭଳି ସମୟରେ ଦେଶରେ ରାସାୟନିକ ସାର ସଙ୍କଟର ଆଶଙ୍କା ଦେଖା ଦେବା ଚାଷୀଙ୍କ ଲାଗି ଆଦୌ ଶୁଭଙ୍କର ହୋଇ ନ ପାରେ । ଅନ୍ତର୍ଜାତୀୟ ବଜାରରେ ରାସାୟନିକ ସାର ଦର ହୁ ହୁ ହୋଇ ବଢିବା ଯୋଗୁଁ ଦେଶରେ ଉତ୍ପନ୍ନ ହୋଇଥିବା ସଙ୍କଟର ମୁକାବିଲା କରିବା ପାଇଁ ଉଭୟ ଚାଷୀ ଓ ସରକାରଙ୍କୁ ଗମ୍ଭୀରତାର ସହ ବିବେଚନା କରିବାକୁ ହେବ । ଗତ ଦୁଇ ବର୍ଷ ଧରି ବିଶ୍ୱ ବଜାରରେ ଯବକ୍ଷାରଜାନ, ଫସଫରସ ଓ ପଟାସିଅମ (ଏନପିକେ) ସାରର ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଆସୁଛି । ଉଦାହରଣ ସ୍ୱରୂପ, ଅନ୍ତର୍ଜାତୀୟ ବଜାରରେ ଏପ୍ରିଲ ୨୦୨୦ରେ ଡିଏପି ସାର ଦର ଟନ ପିଛା ୨୭୬ ଡଲାର ଥିବା ବେଳେ ଏପ୍ରିଲ ୨୦୨୨ରେ ତାହା ୯୫୪ ଡଲାରରେ ଆସି ପହଞ୍ଚିଛି । ସେହିପରି ଏପ୍ରିଲ ୨୦୨୦ରେ ୟୁରିଆର ଦର ଟନ ପିଛା ୨୫୫ ଡଲାର ଥିବା ବେଳେ ଏପ୍ରିଲ ୨୦୨୨ରେ ତାହା ଆସି ୯୨୫ ଡଲାର ହେଲାଣି । ରାସାୟନିକ ସାର ଦର ବୃଦ୍ଧି ପଛରେ ଥିବା ଅନେକ କାରଣ ମଧ୍ୟରୁ କଞ୍ଚାମାଲର ଦର ବୃଦ୍ଧି ଅନ୍ୟତମ ମୁଖ୍ୟ କାରଣ । ସାର ଉତ୍ପାଦନ ଓ ଦର ଅନେକାଂଶରେ ପ୍ରାକୃତିକ ଗ୍ୟାସର ସୁଲଭ ଉପଲବ୍ଧତା ଉପରେ ନିର୍ଭର କରିଥାଏ । ଉତ୍ତର ଆମେରିକାରେ ପ୍ରାକୃତିକ ଗ୍ୟାସ ଦର ଏମଏମବିଟିୟୁ ପିଛା ମାତ୍ର ୬ ଡଲାର ଥିବା ବେଳେ ଗତ କିଛି ଦିନ ମଧ୍ୟରେ ୟୁରୋପରେ ତାହା