Skip to main content

Posts

Showing posts from 2017

ଓଡିଶା ଲୁଣର କରୁଣ କାହାଣୀ

ସେହି ପୁରୁଣା କାହାଣୀ, ରାଜା ତାଙ୍କ ତିନି ଝିଅଙ୍କୁ ପଚାରନ୍ତି, ତାଙ୍କୁ କିଏ କେତେ ଭଲ ପାଏ ବୋଲି l ଉତ୍ତରରେ ବଡଝିଅ ଦୁଇ ଜଣ, କିଏ ତାଙ୍କୁ ସୁନା ଭଳି ତ କିଏ ମିଠା ଭଳି ଭଲ ପାଏ ବୋଲି କହିଥିବା ବେଳେ, ସାନଝିଅ ତାଙ୍କୁ ଲୁଣ ପରି ଭଲ ପାଏ ବୋଲି କହିବାରୁ ରାଜା ରାଗି ଯାଇ ସାନଝିଅକୁ ରାଜମହଲରୁ ନିର୍ବାସନ କରନ୍ତି ଓ ଆରମ୍ଭ ହୁଏ ଝିଅଟିର କରୁଣ କାହାଣୀ l କିନ୍ତୁ ଘଟଣା ଚକ୍ରରେ ରାଜା ଲୁଣର ମହତ୍ତ୍ଵ ଉପଲବ୍ଧି କରି ନିଜର ଭୁଲ ବୁଝି ପାରନ୍ତି ଓ ଝିଅଟି ତା’ର ଉପଯୁକ୍ତ ମର୍ଯ୍ୟାଦା ଫେରିପାଏ l ପ୍ରତି ମଣିଷର ଜୀବନରେ ଲୁଣର ଗୁରୁତ୍ଵପୂର୍ଣ୍ଣ ଭୂମିକା ସମ୍ପର୍କରେ ବୁଝାଇବାକୁ ଯାଇ ଏହି କାହାଣୀଟିର ଅବତାରଣା କରା ଯାଇଥାଏ l ଏହାର ଅନୁପସ୍ଥିତି ସବୁ କିଛି ସ୍ଵାଦହୀନ କରିଦିଏ l ମାତ୍ର ଆଶ୍ଚର୍ଯ୍ୟ ହେବାକୁ ହୁଏ ଯେ କେବଳ ମଣିଷ ନୁହେଁ, ଲୁଣ ଗୋଟିଏ ରାଷ୍ଟ୍ରର ଉଭୟ ପ୍ରଗତି ଓ ଅବନତିର ମଧ୍ୟ କାରଣ ହୋଇପାରେ l ଚୀନ ଦେଶର ସୁପ୍ରସିଦ୍ଧ ମହାନ ପ୍ରାଚୀର ନିର୍ମାଣ ପାଇଁ ଆବଶ୍ୟକୀୟ ରାଶିର ସିଂହଭାଗ ଲବଣ କରରୁ ଆସିଥିଲା l ଏହା ଅବିଶ୍ଵାସ୍ୟ ହେଲେ ମଧ୍ୟ ସତ ଯେ ଓଡିଶା ଲୁଣ ଉପରେ ଏକାଧିପତ୍ୟ ପାଇଁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡିଶାକୁ ନିଜ କରାୟତ୍ତ କରିଥିଲା l   ପ୍ରାଚୀନ କାଳରୁ ଦେଶର ପୂର୍ବ ଉପକୂଳରେ ଓଡିଶା ଲବଣ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହେଉଥିଲା l ଏଠାରେ ଦୁଇ ପ୍ରକାର ଲୁଣ ଉତ୍ପାଦନ ହେଉଥିଲା l