କୋଭିଡ ମହାମାରୀର ପ୍ରକୋପ କମିବା ପରେ ଜୀବନଯାତ୍ରା ସ୍ୱାଭାବିକ ହେବାକୁ ଆରମ୍ଭ କରିବା ମାତ୍ରେ ଆମେରିକାରେ ଲକ୍ଷ ଲକ୍ଷ ସଂଖ୍ୟାରେ କର୍ମଚାରୀଙ୍କ ଚାକିରିରୁ ଇସ୍ତଫାର ସୁଅ ଛୁଟିବାକୁ ଲାଗିଲା । ହଠାତ୍ ସଂଘଟିତ ଏହି ପ୍ରକରଣକୁ ଟେକ୍ସାସ ଏ ଆଣ୍ଡ ଏମ ବିଶ୍ୱବିଦ୍ୟାଳୟର ପ୍ରଫେସର ଆନ୍ଥୋନୀ କ୍ଲୋଜ ‘ଗ୍ରେଟ୍ ରେଜିଗନେସନ୍’ ଭାବେ ଅଭିହିତ କଲେ, ଯାହାକୁ ‘ମହାନିବୃତ୍ତି’ ବୋଲି କୁହାଯାଇପାରେ । କର୍ମଚାରୀମାନେ ସେମାନଙ୍କ ଜୀବିକା-ଯାତ୍ରା (କ୍ୟାରିଅର)ର ପୁନଃ ମୂଲ୍ୟାୟନ କରି ଏକକାଳୀନ ଏତେ ସଂଖ୍ୟାରେ ଇସ୍ତଫା ଦେବାର ନିଷ୍ପତ୍ତି ଗ୍ରହଣ କରୁଥିବାରୁ ତା’ର ବଡ ଧରଣର କୁପ୍ରଭାବ କମ୍ପାନୀଗୁଡିକ ଉପରେ ପଡିବାକୁ ଲାଗିଲା । ଏହି ପରିସ୍ଥିତି ଉତ୍ପନ୍ନ ହେବାର କାରଣ ଏବଂ ଭାରତ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ପର୍ଯ୍ୟାଲୋଚନା କରାଯାଇପାରେ । ମହାମାରୀ ସମୟରେ ବ୍ୟାପକ ଲକଡାଉନ ଯୋଗୁଁ ଅଧିକାଂଶ କମ୍ପାନୀ କ୍ଷତିର ସମ୍ମୁଖୀନ ହେଲେ ଓ ଲକ୍ଷ ଲକ୍ଷ ଲୋକଙ୍କୁ ଚାକିରି ହରାଇବାକୁ ପଡିଥିଲା । ତେବେ ଆମେରିକାର ଶ୍ରମ ପରିସଂଖ୍ୟାନ ବ୍ୟୁରୋ ଦ୍ୱାରା ଜାରି ହୋଇଥିବା ଜୋଲଟସ୍ (ଜବ ଓପନିଙ୍ଗସ ଆଣ୍ଡ ଜବ ଟର୍ଣ୍ଣଓଭର ସର୍ଭେ) ରିପୋର୍ଟ ଅନୁଯାୟୀ ସେଠାରେ କୋଭିଡ ପ୍ରକୋପ କମିବା ପରେ ୨୦୨୧ରେ ମାସିକ ହାରାହାରି ୩୯.୮୦ ଲକ୍ଷ ଲୋକ ଚାକିରିରୁ ସ୍ୱତଃ ଇସ୍ତଫା ପ୍ରଦାନ କରିଛନ୍ତି । ଏହି ସଂଖ୍ୟା ନଭେମ୍ୱରରେ ସର୍ବାଧିକ ୪୫.୩୦ ଲକ୍ଷ ହୋଇଥିଲା ...