କିଛି ପ୍ରତିରୋଧଯୋଗ୍ୟ ରୋଗ ଟୀକା ଦ୍ୱାରା ଦୂର କରିବା ବା ଉନ୍ମୁଳନ କରିବା ସମ୍ଭବ । କୌଣସି ଟୀକା ଶତ ପ୍ରତିଶତ ପ୍ରଭାବୀ ହୋଇ ନ ଥିଲେ ବି ଔଷଧ ଅପେକ୍ଷା ଟୀକା ଉଭୟ ବ୍ୟକ୍ତିଗତ ଓ ଗୋଷ୍ଠୀ ସ୍ତରରେ ପ୍ରଭାବୀ ହେଉଥିବାରୁ ପ୍ରତିରୋଧଯୋଗ୍ୟ ରୋଗଗୁଡିକ କ୍ଷେତ୍ରରେ ଏହାର ପ୍ରୟୋଗ ମାଧ୍ୟମରେ ଅନେକ କ୍ଷେତ୍ରରେ ସଫଳତା ହାସଲ କରା ଯାଇପାରିଛି । ତେବେ ଗୋଷ୍ଠୀସ୍ତରରେ ଏହାର ଉତ୍ତମ କାର୍ଯ୍ୟକାରିତା ପାଇଁ ଅଧିକ ସଂଖ୍ୟକ ଲୋକଙ୍କୁ ଓ ସ୍ଥଳ ବିଶେଷରେ ସମସ୍ତଙ୍କୁ ଟୀକା ଦେବା ଜରୁରୀ ହୋଇ ପଡିଥାଏ । କିନ୍ତୁ କୌଣସି ସ୍ଥାନରେ ବା ଗୋଷ୍ଠୀ ମଧ୍ୟରେ କିଛି ଲୋକଙ୍କର ଟୀକା ନେବା ପାଇଁ ଅନିଚ୍ଛା ଥିଲେ ତଦ୍ଦ୍ୱାରା ଟୀକା ନେଇଥିବା ଲୋକମାନେ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହି ପାରି ନ ଥାଆନ୍ତି । ଅତୀତରେ କିଛି ଦେଶରେ ମିଳିମିଳା, ହିମୋଫିଲିସ ଇନଫ୍ଲୁଏଞ୍ଜା, ପୋଲିଓ ପରି କେତେକ ରୋଗରେ ଟୀକାକରଣ ହାର ଅଧିକ ହୋଇ ମଧ୍ୟ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳ ଓ ଗୋଷ୍ଠୀରେ ଟୀକାକରଣ ହୋଇ ନ ଥିବାରୁ ସେହି ସବୁ ସ୍ଥାନରୁ ରୋଗ ଅନ୍ୟ ଅଞ୍ଚଳକୁ ବ୍ୟାପି ଭୟାବହ ରୂପ ଧାରଣ କରିଥିଲା । ଅର୍ଥାତ୍ କିଛି ଲୋକଙ୍କ ଟୀକାକୁଣ୍ଠା ଅନ୍ୟମାନଙ୍କ ପାଇଁ ବି ଘାତକ ସାବ୍ୟସ୍ତ ହୋଇପାରେ । କୋଭିଡ ସେହିପରି ଏକ ପ୍ରତିରୋଧଯୋଗ୍ୟ ରୋଗ ହୋଇଥିବାରୁ ସାର୍ବଜନୀନ ଟୀକାକରଣ ଜରିଆରେ ଏହାର ନିୟନ୍ତ୍ରଣ ପାଇଁ ସାରା ବିଶ୍ୱରେ ଅଭିଯାନ ଚାଲିଥିବା ବେଳେ କେତେକ ଅଞ୍ଚଳ ଓ ଗୋଷ୍ଠୀ ମଧ୍ୟରେ ...