ଗଙ୍ଗା ନଦୀରେ ଅନେକ ଶବ ଭାସୁଥିବାର ଦୃଶ୍ୟ ଅସଂଖ୍ୟଙ୍କୁ ବ୍ୟଥିତ କରିଛି । ନିଜକୁ କେତେ ଅସହାୟ ମଣିଲେ ଯାଇ ଜଣେ ପ୍ରିୟଜନଙ୍କ ମୃତ ଶରୀରକୁ ନଦୀରେ ଭସାଇବାର ଚରମ ନିଷ୍ପତ୍ତି ନେଇପାରେ ? ମୃତ୍ୟୁର ଆଘାତରୁ ବର୍ତ୍ତିବା ପୂର୍ବରୁ ସମ୍ଭବତଃ ମୃତକଙ୍କ ଆତ୍ମୀୟମାନେ ଆମ୍ୱୁଲାନ୍ସ, ପଣ୍ଡା, ଶ୍ମଶାନରେ ଏପରି ଶୋଷଣର ଶିକାର ହୋଇଥିବେ ଯେ ଆର୍ଥିକ ଅସ୍ୱଚ୍ଛଳତା କାରଣରୁ ମୃତଦେହକୁ ନଦୀରେ ଭସାଇବା ଭିନ୍ନ ସେମାନଙ୍କ ଆଗରେ ଅନ୍ୟ ବିକଳ୍ପ ନ ଥିବ । ଏପରି କ୍ଷେତ୍ରରେ ଶବ ପ୍ରତି ହେଉଥିବା ଅମର୍ଯ୍ୟାଦାକୁ ପ୍ରତିହତ କରିବାକୁ ସରକାର ବା ସମାଜକୁ ଆଗେଇ ଆସିବାର ଥିଲା । ମୃତଦେହଗୁଡିକ ପ୍ରତି ହେଉଥିବା ପାରିବାରିକ, ସାମାଜିକ ଓ ସରକାରୀ ସ୍ତରରେ ଅମର୍ଯ୍ୟାଦା ଚିନ୍ତାଜନକ ଓ ତାହା ସୁଧାରିବାର ଆବଶ୍ୟକତା ରହିଛି ।
କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ପାଇଁ କହିବାର ଥିଲା ଦୈହିକ ଦୂରତା ରକ୍ଷା କର । କୁହାଗଲା ସାମାଜିକ ଦୂରତା ରକ୍ଷା କର । ପାଶ୍ଚାତ୍ୟ ସମାଜରେ ସାମାଜିକ ଦୂରତାକୁ ଯେଉଁ ଅର୍ଥରେ ବୁଝାଯାଏ, ଭାରତରେ ତା’ର ଅର୍ଥ ଠିକ୍ ସେଇଆ ନୁହେଁ । ଅନେକେ ସାମାଜିକ ଦୂରତାକୁ ସାମାଜିକ ବାଛନ୍ଦ ବୋଲି ଧରି ନେଇ ତଦନୁଯାୟୀ ଆଚରଣ କରିବାକୁ ଲାଗିଲେ । ଲୋକେ ସମାଜଠାରୁ ଦୂରେଇ ରହିଲେ ଓ ସେମାନଙ୍କଠାରେ ନିଜର ଓ ନିଜ ପରିବାରର କୋଷା ଭିତରେ ରହିବାର ପ୍ରବୃତ୍ତି କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଲା । ଏପରିକି ଘର ଭିତରେ କେହି କୋଭିଡ ଆକ୍ରାନ୍ତ ହେଲେ ତାକୁ ଘୃଣା ଚକ୍ଷୁରେ ଦେଖି ଅମାନବୀୟ ଆଚରଣ ପ୍ରଦର୍ଶନ ହେବାର ଶୁଣାଗଲା । ଫଳରେ ଲୋକମାନଙ୍କଠାରେ ପ୍ରଥମେ ନିଜକୁ, ତା’ ପରେ ପରିବାରକୁ କୋଭିଡ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏପରି ସ୍ୱାର୍ଥପରତା ଦେଖା ଦେଲା ଯେ ସେ ତା’ର ସାମାଜିକ କର୍ତ୍ତବ୍ୟ କଥା ଭୁଲିଗଲା, ଯାହାର ପ୍ରଭାବ ପଡିଲା କୋଭିଡ ମୃତକଙ୍କ ଶବସତ୍କାର ଉପରେ । ଅବଶ୍ୟ କୋଭିଡମୃତକଙ୍କ ଶବସତ୍କାରକୁ ନେଇ ସମାଜରେ ଅନେକ ଭ୍ରାନ୍ତ ଧାରଣା ଥିବାରୁ ଅଧିକାଂଶ ନିଜକୁ ସେଥିରୁ ଦୂରେଇ ରଖିବାକୁ ଉଚିତ ମଣୁଛନ୍ତି ଓ ଶବଗୁଡିକ ଉପଯୁକ୍ତ ମର୍ଯ୍ୟାଦା ପାଇବାରୁ ବଞ୍ଚିତ ହେଉଛନ୍ତି ।
ଶବସତ୍କାର କରି କେଉଁଠାରେ କୋଭିଡ ସଂକ୍ରମଣ ବ୍ୟାପିଥିବାର ଖବର ଏ ପର୍ଯ୍ୟନ୍ତ ଶୁଣିବାକୁ ମିଳିନାହିଁ । କେତେକ ବିଶେଷ ପରିସ୍ଥିତିକୁ ବାଦ ଦେଲେ ସାଧାରଣତଃ ମୃତଦେହରୁ ସଂକ୍ରମଣ ବ୍ୟାପି ନ ଥାଏ । ଏ ସଂକ୍ରାନ୍ତୀୟ କେନ୍ଦ୍ର ସରକାରଙ୍କ କୋଭିଡ ବିଧି ଅନୁଯାୟୀ ପ୍ରତିଟି ମୃତଦେହ ଏକ ସ୍ୱତନ୍ତ୍ର ଖୋଳ (ବଡି ବ୍ୟାଗ) ଭିତରେ ଆବଦ୍ଧ କରି ରଖା ଯାଇଥାଏ । ବନ୍ଧୁ ପରିଜନ ସୁରକ୍ଷିତ ଭାବେ ପିପିଇ କିଟ ସହ ସର୍ଜିକାଲ ମାସ୍କ ଓ ହାତରେ ଗ୍ଲୋବ ପିନ୍ଧି ଶବସତ୍କାରରେ ଭାଗ ନେବାରେ କୌଣସି ଅସୁବିଧା ନାହିଁ । ମୃତଦେହ ଆବଦ୍ଧ ଥିବା ଖୋଳର ଅଗ୍ରଭାଗରେ ଲାଗିଥିବା ଚେନକୁ ଖୋଲି ଶେଷ ଦର୍ଶନ ପାଇଁ ଅନୁମତି ଦେବାର ବିଧି ରହିଛି । ଏପରିକି ଶବଦାହ ପରେ ଶେଷକୃତ୍ୟ ପାଇଁ କରା ଯାଉଥିବା ଅସ୍ଥି ସଂଗ୍ରହରେ ମଧ୍ୟ ସଂକ୍ରମଣର ଭୟ ନ ଥାଏ । ତେଣୁ ବନ୍ଧୁ ପରିଜନ ଅଯଥା ଆତଙ୍କିତ ହେବା ଅନାବଶ୍ୟକ ଥିଲେ ମଧ୍ୟ ତାହା ସଚେତନତା ଅଭାବରୁ ହେଉନାହିଁ । ସ୍ଥଳ ବିଶେଷରେ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଥିଲେ ବି ପରିବାରର ଲୋକେ ଶେଷ ଦର୍ଶନ କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି ।
ପଶ୍ଚିମ ଓଡିଶାର ଗୋଟିଏ ଗାଁରେ ଜଣେ ବୃଦ୍ଧଙ୍କର ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁ ହେବା ପରେ ତାହା କୋଭିଡଜନିତ ହୋଇଥିବା ସନ୍ଦେହ କରି ଶବସତ୍କାର ପାଇଁ ଗ୍ରାମବାସୀମାନେ ଆଗେଇ ଆସିଲେ ନାହିଁ । ଏପରିକି ଜନ୍ମ କଲା ପୁଅ ମଧ୍ୟ ଧରାଛୁଆଁ ନ ଦେବାରୁ ଶବଟି ଦୀର୍ଘ ସମୟ ପଡି ରହିଲା । ଶେଷରେ ପଶ୍ଚିମ ଓଡିଶା ଯୁବମଞ୍ଚର କିଛି ସ୍ୱେଚ୍ଛାସେବୀ ପିପିଇ କିଟ ପିନ୍ଧି ଶବଟିର ସତ୍କାର କରିଥିବାର ଖବର ମିଳିଲା, ଯାହା ଆମ ଗାଁମାନଙ୍କରେ ଚଳି ଆସୁଥିବା ପରସ୍ପର ନିର୍ଭରଶୀଳତାର ସାମାଜିକ ବ୍ୟବସ୍ଥାଟି ଦୁର୍ବଳ ହେବାର ଇଙ୍ଗିତ କରୁଛି । କେଉଁଠି ଶବକୁ ପୋଲରୁ ଖସାଇ ହେଉ ବା କେଉଁଠି ଆବର୍ଜନାରେ ଫୋପାଡି ହେଉ ; ସାରା ଦେଶରେ କୋଭିଡ ସଂକ୍ରମଣ କାଳରେ ଗାଁଠାରୁ ସହର ପର୍ଯ୍ୟନ୍ତ ଶବ ସମ୍ପର୍କିତ ଅନେକ ଅମାନବୀୟ ଘଚଣା ଶୁଣିବାକୁ ମିଳୁଛି । ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳରେ କେତେକ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ କୋଭିଡ ମୃତକଙ୍କ ଶବଗୁଡିକୁ ସତ୍କାର କରିବା ପାଇଁ ପ୍ରଶଂସନୀୟ ଭୂମିକା ନିର୍ବାହ କରିଛନ୍ତି । ତେବେ ଅନେକ ସ୍ଥାନରେ ସୂଚନା ଓ ସଚେତନତା ଅଭାବରୁ ସମାଜ କୋଭିଡଗ୍ରସ୍ତ ପରିବାରଗୁଡିକୁ ସାହାଯ୍ୟର ହାତ ବଢାଇବା ପରିବର୍ତ୍ତେ ଏକ ପ୍ରକାର ସାମାଜିକ ବାଛନ୍ଦ କରିଥିବାର ଖବର ମିଳୁଛି, ଯାହା ଦୁର୍ଭାଗ୍ୟଜନକ ।
କେତେକ ସ୍ଥଳେ ସରକାରୀ ସ୍ତରରେ ବି ଶବଗୁଡିକୁ ଉଚିତ ମର୍ଯ୍ୟାଦା ପ୍ରଦାନ କରା ଯାଇ ନାହିଁ । ସରକାରୀ ଭାବେ କୋଭିଡ ମୃତ୍ୟୁର ସଠିକ ସୂଚନା ଦିଆ ଯାଉ ନ ଥିବାର ଅଭିଯୋଗ ହେଉଛି । ମରଶରୀରକୁ ପରିବାରକୁ ହସ୍ତାନ୍ତର କରା ଯାଉ ନ ଥିଲେ ବି ମୃତ୍ୟୁକୁ କୋଭିଡଜନିତ ବୋଲି ନ ଦର୍ଶାଇ ଅନ୍ୟ କାରଣରୁ ହୋଇଛି ବୋଲି କୁହା ଯାଉଥିବାର ମଧ୍ୟ ଅଭିଯୋଗ ଆସୁଛି । ଏହି କାରଣରୁ ନିକଟରେ ପାଟଣା ହାଇକୋର୍ଟଙ୍କ ଆଦେଶ କ୍ରମେ ମୃତ୍ୟୁର ଅଡିଟ କରାଯିବା ପରେ ବିହାରରେ କୋଭିଡଜନିତ ମ଼ତ୍ୟୁ ସଂଖ୍ୟା ଗୋଟିଏ ଦିନରେ ପ୍ରାୟ ୪ ହଜାର ବଢି ଯାଇଥିଲା । ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ଗୋଆ, ବିହାର, ପଞ୍ଜାବ, ଉତ୍ତର ପ୍ରଦେଶ ଭଳି 6ଟି ରାଜ୍ୟରେ ମୃତ୍ୟୁର କାରଣକୁ ପୁନଃ ତର୍ଜମା କରି ଦେଖିବା ପରେ କୋଭିଡଜନିତ ମୃତ୍ୟୁ ସଂଖ୍ୟା ୨୦ ହଜାର ବଢିଗଲା । ମୃତ୍ୟୁର କାରଣକୁ ଭୁଲ ଭାବେ ଦର୍ଶାଇବା ମୃତବ୍ୟକ୍ତିଙ୍କ ପ୍ରତି ସରକାରୀ ସ୍ତରରେ ଅମର୍ଯ୍ୟାଦା ନୁହେଁ କି ? ତଦ୍ଦ୍ୱାରା କୋଭିଡ ମୃତକଙ୍କ ପରିବାର ଉଦ୍ଦେଶ୍ୟରେ ଘୋଷିତ ହେଉଥିବା ଯୋଜନାରୁ ଲାଭାନ୍ୱିତ ହେବାରୁ ସେମାନେ ବଞ୍ଚିତ ହେଉଛନ୍ତି । ସେମାନଙ୍କ ପ୍ରତି ଏହା ଏକ ଅନ୍ୟାୟ ନୁହେଁ କି ? ତେଣୁ ଓଡିଶା ସମେତ ସବୁ ରାଜ୍ୟରେ କୋଭିଡ କାଳରେ ହୋଇଥିବା ପ୍ରତିଟି ମୃତ୍ୟୁର ଅଡିଟ କରାଯାଇ ପ୍ରକୃତ ତଥ୍ୟ ସାମନାକୁ ଅଣାଯିବା ଦରକାର ।
1999 ମହାବାତ୍ୟା ସମୟରେ ଏରସମାକୁ ରିଲିଫ ବାଣ୍ଟିବାକୁ ଯାଇ ଲାଭ କରିଥିବା ଅନୁଭୂତିରୁ ଗୋଟିଏ ଘଟଣା ଉଲ୍ଲେଖ କରୁଛି । ଗୋଟିଏ ଗାଁରେ ଲୋକମାନଙ୍କୁ ପରିବାର ପିଛା ନିର୍ଦ୍ଦିଷ୍ଟ ପରିମାଣର ଚୂଡା ଓ ଚାଉଳ ବଣ୍ଟନ ହେଉଥିବା ବେଳେ ଜଣେ ଲୋକ ଆସି ଅନୁରୋଧ କଲେ ଯେ ତାଙ୍କୁ ଦୁଇ ଗୁଣ ଦିଆଯାଉ । ଦ୍ୱିତୀୟ ଭାଗଟି ତାଙ୍କ ମୃତ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ବୋଲି କାରଣ ଦର୍ଶାଇଲେ । ପାଖରେ ଠିଆ ହୋଇଥିବା ଗ୍ରାମବାସୀମାନେ ତୁରନ୍ତ ଆପତ୍ତି କଲେ । କାରଣ ବିଶେଷ ପରିସ୍ଥିତି ଯୋଗୁ ସେଠାରେ ପ୍ରାଣ ହରାଇଥିବା ଶହ ଶହ ଲୋକଙ୍କ ଶୁଦ୍ଧିକ୍ରିୟା ହୋଇ ପାରି ନ ଥିଲା । ତେଣୁ ସେହି ବ୍ୟକ୍ତିଙ୍କ ବାପାଙ୍କ ଶୁଦ୍ଧିକ୍ରିୟା କାହିଁକି ହେବ ବୋଲି ସେମାନେ ପ୍ରଶ୍ନ କରିଥିଲେ । ବିପର୍ଯ୍ୟୟ ସମୟରେ ଅନେକ ଲୋକ ସାଧାରଣ ସୁବିଧା ପାଇବାରୁ ବଞ୍ଚିତ ହେଉଥିବାରୁ କାହାକୁ ବିଶେଷ ସୁବିଧା ବା ଧ୍ୟାନ ଦିଆଗଲେ ତାହା ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଥାଏ । କହିବାର ତାତ୍ପର୍ଯ୍ୟ ଏହି ଯେ କୋଭିଡ ମହାମାରୀରେ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶଙ୍କ ଶେଷକୃତ୍ୟ ସର୍ବନିମ୍ନ ପାରିବାରିକ ଓ ସାମାଜିକ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇ ପାରୁ ନ ଥିଲା ବେଳେ, ରାଜ୍ୟ ତରଫରୁ କତିପୟ ବ୍ୟକ୍ତିଙ୍କ ମୃତଦେହର ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବା କେତେ ଦୂର ସମୀଚୀନ ? ମହାମାରୀ କାଳରେ ପ୍ରତିଟି ମୃତଦେହକୁ ସର୍ବନିମ୍ନ ପାରିବାରିକ ଓ ସାମାଜିକ ମର୍ଯ୍ୟାଦା ସୁନିଶ୍ଚିତ କରା ନ ଯିବା ଯାଏଁ, ରାଜ୍ୟ କାହାରି ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଇବାରୁ ସାମୟିକ ଭାବେ ବିରତ ରହିଲେ ଭଲ ହୁଅନ୍ତା । ତା’ ଛଡା ରାଷ୍ଟ୍ରୀୟ ମର୍ଯ୍ୟାଦା କାହାକୁ ଦିଆଯିବା ନ ଯିବା ନେଇ ବିବାଦ ଉଠୁଥିବା ବେଳେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେଉଥିବା କେତେକ କ୍ଷେତ୍ରରେ ଯେଉଁପରି କୋଭିଡ ବିଧିର ଉଲ୍ଲଂଘନ ହେଉଥିବା ପରିଲକ୍ଷିତ ହେଉଛି, ତାହା ମଧ୍ୟ ଚିନ୍ତାଜନକ । ପ୍ରଣୀତ ବିଧି ବ୍ୟକ୍ତି ପ୍ରତି ଯେତିକି ପ୍ରଯୁଜ୍ୟ ରାଷ୍ଟ୍ର ପ୍ରତି ମଧ୍ୟ ଠିକ ସମାନ ଭାବେ ପ୍ରଯୁଜ୍ୟ । ମାତ୍ର ଉଭୟ କ୍ଷେତ୍ରରେ ରାଜ୍ୟ ଦ୍ୱାରା ପ୍ରଣୀତ ନିୟମ ଓ ଆଚରଣ ପରସ୍ପର ବିରୋଧୀ ହୋଇ ସେଥିରୁ ପକ୍ଷପାତିତାର ଗନ୍ଧ ବାରି ହେଉଛି ।
ଗଙ୍ଗା ନଦୀରେ ଶବ ଭସାଇବା ଘଟଣା ବିଶ୍ୱ ବ୍ୟାପୀ ସମାଲୋଚିତ ହେବା ପରେ ଜାତୀୟ ମାନବାଧିକାର ଆୟୋଗ ମୃତବ୍ୟକ୍ତିଙ୍କ ମର୍ଯ୍ୟାଦା ଓ ଅଧିକାରକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ପାଇଁ ପ୍ରସ୍ତାବ ଦେଇ ଏକ ୧୧ ଦଫା ସମ୍ୱଳିତ ପରାମର୍ଶ ପ୍ରଦାନ କରିଛନ୍ତି । ସମ୍ୱିଧାନର ଧାରା ୨୧ରେ ଥିବା ଜୀବନର ଅଧିକାର (ରାଇଟ ଟୁ ଲାଇଫ)ରେ ବର୍ଣ୍ଣିତ ଉଚିତ ବ୍ୟବହାର ତଥା ମର୍ଯ୍ୟାଦା ପାଇବାର ମୌଳିକ ଅଧିକାର କେବଳ ଜୀବିତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ତାହା ମୃତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ପରାମର୍ଶ ଅନୁଯାୟୀ ମୃତ ଦେହଗୁଡିକୁ ଗୋଟିକ ଉପରେ ଗୋଟିଏ ଲଦି ପରିବହନ କରିବା ଅନୁଚିତ । ସେହିପରି ଗୋଟିଏ ଜାଗାରେ ଏକାଧିକ ମୃତଦେହକୁ ପୋଡିବା ବା ପୋତିବା ବର୍ଜନୀୟ, କାରଣ ତଦ୍ଦ୍ୱାରା ମୃତବ୍ୟକ୍ତିଙ୍କର ମର୍ଯ୍ୟାଦା ହାନି ହୋଇଥାଏ ।
ସରକାରୀ ଭାବେ ଉପଲବ୍ଧ ତଥ୍ୟ ଅନୁଯାୟୀ ଦେଶରେ ପ୍ରାୟ ୪ ଲକ୍ଷ ଲୋକ କୋଭିଡ ଯୋଗୁ ମୃତ୍ୟୁବରଣ କରି ସେମାନଙ୍କ ପରିବାରଠାରୁ ବିଚ୍ଛିନ୍ନ ହୋଇ ସାରିଲେଣି । ବେସରକାରୀ ଭାବେ ଏହି ସଂଖ୍ୟା ନିଶ୍ଚିତ ଭାବେ ଏହାଠାରୁ ଅନେକ ବେଶି । ଏମାନଙ୍କ ମଧ୍ୟରୁ ହୁଏତ ଅନେକଙ୍କ ଜୀବନ ରକ୍ଷା କରା ଯାଇ ପାରିଥାଆନ୍ତା । ସେମାନଙ୍କ ଜୀବନ ରକ୍ଷା କରିବାରେ ଓ ମୃତ ଶରୀରକୁ ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ କରିବାରେ କେବଳ ସରକାର ଯେ ବିଫଳ ହୋଇଛନ୍ତି ତାହା ନୁହେଁ, ବରଂ ସାମଗ୍ରିକ ଭାବେ ରାଷ୍ଟ୍ର, ସମାଜ ଓ ପ୍ରତିଟି ନାଗରିକ ବିଫଳ ହୋଇଛନ୍ତି ବୋଲି ସ୍ୱୀକାର କରିବାକୁ ହେବ । ସରକାରୀ ରେକର୍ଡରେ ସେମାନେ ଏବେ କେବଳ ଅଦୃଶ୍ୟ ନୁହନ୍ତି ବରଂ ଏକ ପରିସଂଖ୍ୟାନରେ ନଗଣ୍ୟ ପ୍ରତିଶତର ଅଂଶ ବିଶେଷ ହୋଇ ରହି ଯାଇଛନ୍ତି । ହେଲେ ସେହି ପରିବାର ପାଇଁ ହୁଏତ ସେ ହିଁ ସବୁ କିଛି ଥିଲେ ଓ ତାଙ୍କୁ ହରାଇବାର ଅର୍ଥ ଶତ ପ୍ରତିଶତ ହରାଇବା ହୋଇପାରେ । ଅନେକ ପରିବାର ସେମାନଙ୍କ ପ୍ରିୟଜନଙ୍କ ମୃତ୍ୟୁ ପରେ ଥରଟିଏ ଶେଷ ଦର୍ଶନ କରିବାର ସୁଯୋଗ ମଧ୍ୟ ପାଇ ପାରିଲେ ନାହିଁ କି ମର୍ଯ୍ୟାଦାର ସହ ଶେଷ ବିଦାୟ ଟିକକ ଅର୍ପଣ କରି ପାରିଲେ ନାହିଁ । କୋଭିଡରେ ପ୍ରାଣ ହରାଇଥିବା ପ୍ରତ୍ୟେକଙ୍କୁ ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଏକ ‘କୋଭିଡ ସ୍ମାରକ’ ପ୍ରତିଷ୍ଠା କରିବାକୁ ଘୋଷଣା କରନ୍ତୁ, ଯେଉଁଠାରେ ପ୍ରାଣ ହରାଇଥିବା ପ୍ରତ୍ୟେକଙ୍କ ନାମ ଭବିଷ୍ୟତ ବଂଶଧରଙ୍କ ପାଇଁ ଲିପିବଦ୍ଧ ହୋଇ ରହିପାରିବ । ଏ ଭଳି ସ୍ମାରକର ନିର୍ମାଣ କିଛି ନୂଆ କଥା ନୁହେଁ, ବରଂ ଅତୀତରେ ବିଶ୍ୱର ବିଭିନ୍ନ ଦେଶରେ ନାଜି ଗଣହତ୍ୟାର ପ୍ରତୀକ ରୂପେ ହଲୋକଷ୍ଟ ମେମୋରିଆଲ, ପ୍ରଥମ ବିଶ୍ୱଯୁଦ୍ଧ ସ୍ମାରକୀ, ଲଣ୍ଡନଠାରେ ଫ୍ଲୋରେନ୍ସ ନାଇଟିଙ୍ଗେଲ ମ୍ୟୁଜିଅମ, ଦିଲ୍ଲୀ ଓ ଅମୃତସରଠାରେ ପାର୍ଟିସନ ମ୍ୟୁଜିଅମ ଆଦି ସ୍ମାରକମାନ ବିଭିନ୍ନ ଐତିହାସିକ ଗଣ ବିପର୍ଯ୍ୟୟର ସ୍ମାରକୀ ସ୍ୱରୂପ ପ୍ରତିଷ୍ଠିତ ହୋଇଛି । କୋଭିଡ ସ୍ମାରକଟିଏ ପ୍ରତିଷ୍ଠା ହେଲେ ତାହା ମୃତ ବ୍ୟକ୍ତି ଓ ସେମାନଙ୍କ ପରିବାର ପ୍ରତି ବିଳମ୍ୱିତ ନ୍ୟାୟ ପ୍ରଦାନ କରିବାକୁ ସକ୍ଷମ ହେବା ସହ ପ୍ରତ୍ୟେକ ଭାରତୀୟଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ପାଇଁ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଦୃଢୀକରଣ କରିବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଭବିଷ୍ୟତର ବଂଶଧରମାନଙ୍କୁ ଚେତେଇ ଦେଉଥିବ । ସେହିପରି ଓଡିଶା ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ଶବସଂସ୍କାରର ଖର୍ଚ୍ଚ ବାବଦକୁ ବହନ କରୁଥିବା ଦୁଇ ହଜାର ଟଙ୍କାରେ ଏଣିକି କୋଭିଡ ମୃତକଙ୍କ ପାଇଁ ଆଉ ଅନ୍ତତଃ ଚାରିଟି ପିପିଇ କିଟ ବାବଦ ଖର୍ଚ୍ଚକୁ ଯୋଗ କରି ସେହି ଖର୍ଚ୍ଚକୁ ବହନ କରିବାକୁ ଘୋଷଣା କରନ୍ତୁ । ତାହା ହେଲେ ପ୍ରତି ମୃତ ବ୍ୟକ୍ତିଙ୍କୁ କାନ୍ଧ ଦେବା ପାଇଁ ଅନ୍ତତଃ ପରିବାର ବା ଆତ୍ମୀୟସ୍ୱଜନଙ୍କ ମଧ୍ୟରୁ ଚାରି ଜଣ ବାହାରି ପାରନ୍ତେ ଓ ଶେଷକୃତ୍ୟ ସର୍ବନିମ୍ନ ପାରିବାରିକ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇପାରନ୍ତା । ମୃତ୍ୟୁ ପରେ ମୃତ ଦେହକୁ ଉଚିତ ମର୍ଯ୍ୟାଦା ମିଳିବାର ସାମ୍ୱିଧାନିକ ଅଧିକାରଟିକୁ ସମ୍ମାନ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ ।
Published in Sambad on June 29, 2021
ଖୁବ ସୁନ୍ଦର ଓ ହୃଦୟସ୍ପର୍ଶୀ ଲେଖାଟିଏ ।କୋଭିଡ ସମୟରେ ଘଟି ଯାଉଥିବା ନିଛକ ସତ କଥା ଟିଏ ଚିତ୍ରଣ କରିଛନ୍ତି ସରକାର ଏ ଦିଗ ପ୍ରତି ଦୃଷ୍ଟି ଦେଲେ ଅତ୍ୟନ୍ତ ପକ୍ଷେ ନାହିଁ ନ ଥିବା ଅସୁବିଧାରୁ ଲୋକ ମୁକ୍ତି ପାଇ ପାରନ୍ତେ।
ReplyDeleteଧନ୍ୟବାଦ ।
Deleteଅତି ସୁନ୍ଦର
ReplyDeleteଧନ୍ୟବାଦ ।
DeleteHope Govt. as well people will respond to such sensitive issue. It reminds me the tragedy used to happen earlier during car festival at Puri as written in Gopabandhu nka atmajibani.
ReplyDeleteThanks Saroj Babu
Delete