ଓଡିଶା ସରକାରଙ୍କ ଦ୍ୱାରା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ସ୍ୱତନ୍ତ୍ର କୃଷି ବଜେଟର ଆକାର ୧୭୨୪୮ କୋଟି ଟଙ୍କା ଧାର୍ଯ୍ୟ ହୋଇଛି, ଯାହା ସମଗ୍ର ବଜେଟ ରାଶି ୧.୭୦ ଲକ୍ଷ କୋଟି ଟଙ୍କାର ୧୦.୧୫ ପ୍ରତିଶତ । ୨୦୧୩ରେ ରାଜ୍ୟରେ ସ୍ୱତନ୍ତ୍ର କୃଷି ବଜେଟ ଉପସ୍ଥାପିତ ହେବାଠାରୁ କେବେ ହେଲେ କୃଷି ପାଇଁ ସମଗ୍ର ବଜେଟର ଏତେ କମ ପ୍ରତିଶତ ରାଶି ଆବଣ୍ଟିତ ହୋଇ ନ ଥିଲା । ଉଲ୍ଲେଖଯୋଗ୍ୟ, ୨୦୨୦-୨୧ ପାଇଁ ପ୍ରସ୍ତୁତ ବଜେଟରେ କୃଷି ବଜେଟର ଆକାର ୧୯୪୦୮ କୋଟି ଟଙ୍କା ଥିବା ବେଳେ ପରିମାଣ ଦୃଷ୍ଟିରୁ ଗତ ବର୍ଷ ତୁଳନାରେ ଏ ବର୍ଷ କୃଷି ପାଇଁ ପ୍ରାୟ ୨୧୬୦ କୋଟି ଟଙ୍କା କମ ପ୍ରାବଧାନ କରାଯାଇଛି । କେବଳ ଏ ବର୍ଷ ନୁହେଁ, ବରଂ ଗତ ଦୁଇ ବର୍ଷ ଧରି କୃଷି ବଜେଟର ଆକାର କ୍ରମାଗତ ଭାବେ ହ୍ରାସ ପାଇ ୨୦୧୯-୨୦ ବର୍ଷ ତୁଳନାରେ ୩୭୬୮ କୋଟି ଟଙ୍କା କମ ହୋଇ ସାରିଛି । ୨୦୧୯-୨୦ରେ ଏହା ସମଗ୍ର ବଜେଟର ୧୫.୧୧ ପ୍ରତିଶତ ଥିବା ବେଳେ ୨୦୨୧-୨୨ରେ ତାହା ୧୦.୧୫ ପ୍ରତିଶତ ହୋଇ ଦୁଇ ବର୍ଷ ମଧ୍ୟରେ ତାହା ପ୍ରାୟ ୫ ପ୍ରତିଶତ ହ୍ରାସ ପାଇବା ବାସ୍ତବିକ ଉଦବେଗର ବିଷୟ । କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଜଳ ସମ୍ପଦ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଏହିପରି ଚାରିଟି ବିଭାଗ ପାଇଁ ହେଉଥିବା ଆବଣ୍ଟନକୁ ମିଶାଇ ପ୍ରତି ବର୍ଷ କୃଷି ବଜେଟ ପ୍ରସ୍ତୁତ ହୋଇଆସୁଛି । ଏ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୫୯୧୯ କୋଟି ଟଙ୍କାର ...