ଭାରତ ସରକାରଙ୍କ ଦ୍ୱାରା ୨୦୨୧ ମସିହା ପାଇଁ ବ୍ରିଟିଶ ନାଟ୍ୟ ନିର୍ମାତା ଓ ନିର୍ଦ୍ଦେଶକ ପିଟର ବ୍ରୁକଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଥା ଘୋଷଣା ହେଲା ବେଳେ ତାହା ଅନେକଙ୍କୁ ଚକିତ କରିଥିଲା । ବିଭିନ୍ନ ଅନ୍ତର୍ଜାତୀୟ ସମ୍ମାନଜଜନକ ପୁରସ୍କାର ଓ ସମ୍ମାନରେ ଭୂଷିତ ଏହି ୯୬ ବର୍ଷୀୟ ଖ୍ୟାତିସମ୍ପନ୍ନ ନାଟ୍ୟ ନିର୍ଦ୍ଦେଶକ ଭାରତର ‘ପଦ୍ମଶ୍ରୀ’ ପୁରସ୍କାର ପାଇବାରେ ହେଉଛନ୍ତି ଦ୍ୱିତୀୟ ଅନ୍ତର୍ଜାତୀୟ ନାଟ୍ୟବ୍ୟକ୍ତିତ୍ୱ । ସମ୍ଭବତଃ, ବିଂଶ ଶତାବ୍ଦୀର ୮୦ ଦଶକରେ ବିଶ୍ୱର ବିଭିନ୍ନ ଦେଶରେ ମଞ୍ଚସ୍ଥ ହୋଇଥିବା ତାଙ୍କ ନିର୍ଦ୍ଦେଶିତ ‘ମହାଭାରତ’ ନାଟକ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କୁହାଯାଏ ରିଚାର୍ଡ ଆଟେନବରୋଙ୍କ ନିର୍ଦ୍ଦେଶିତ ‘ଗାନ୍ଧୀ’ ସିନେମା ଯେପରି ଗାନ୍ଧୀଜୀ ଓ ଭାରତକୁ ବିଶ୍ୱ ପଟଳରେ ବଳିଷ୍ଠ ଭାବେ ଉପସ୍ଥାପିତ କରିଥିଲା, ଠିକ ସେହିପରି ପିଟର ବ୍ରୁକଙ୍କ ନିର୍ଦ୍ଦେଶିତ ‘ମହାଭାରତ’ ନାଟକଟି ଭାରତର ସମୃଦ୍ଧ ଭାଷା, କଳା, ସଂସ୍କୃତିକୁ ବିଶ୍ୱ ଦରବାରରେ ବଳିଷ୍ଠ ଢଙ୍ଗରେ ଉପସ୍ଥାପିତ କରିବାରେ ସକ୍ଷମ ହୋଇଥଲା । ବିଂଶ ଶତାବ୍ଦୀରେ ନବନାଟ୍ୟ ଆନ୍ଦୋଳନର ବିକାଶରେ ପିଟର ବ୍ରୁକଙ୍କର ବଳିଷ୍ଠ ଅବଦାନ ଥିଲା । ୭୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ତାଙ୍କ ନାଟ୍ୟଜୀବନରେ ସେ ନାଟ୍ୟ ଓ ସିନେମା ଜଗତକୁ ରୁଦ୍ଧିମନ୍ତ କଲା ଭଳି ଏତେ ମାଇଲଖୁଣ୍ଟି ସ୍ଥାପନ କରି ସାରିଛନ୍ତି ଯେ ତାଙ୍କୁ ଜଣେ ଜୀବନ୍ତ କିମ୍ୱଦନ୍ତୀ ନାଟ୍ୟପ...