ଅର୍ଥନୈତିକ ମାନ୍ଦାବସ୍ଥାକୁ ପ୍ରକାଶ୍ୟରେ ସ୍ୱୀକାର ନ କଲେ ମଧ୍ୟ ତାକୁ ସଜାଡିବା ପ୍ରଚେଷ୍ଟାରେ ଅର୍ଥମନ୍ତ୍ରୀ କର୍ପୋରେଟ କ୍ଷେତ୍ରକୁ ସରକାରଙ୍କ ତରଫରୁ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କାର କର ରିହାତି ପ୍ରଦାନ କରିଛନ୍ତି । ଯଦିଓ ଏହା ଦ୍ୱାରା ବିଶେଷ କିଛି ଲାଭ ହେବାର ସଙ୍କେତ ଦିଶିନାହିଁ, ତଥାପି ଏହାକୁ କେହି କେହି ଏକ ବଡ ଧରଣର ଅର୍ଥନୈତିକ ସଂସ୍କାର କହି ମତ ଦେଉଛନ୍ତି ଯେ ଏହା ଦେଶର ଅର୍ଥନୀତିକୁ ପୁଣି ବାଟକୁ ଫେରାଇ ଆଣିବ । ତେବେ ଏ କଥା ମଧ୍ୟ କୁହାଯାଉଛି ଯେ ସାବଧାନତା ଅବଲମ୍ବନ ନ କଲେ ଏହା ଦ୍ୱାରା ଦେଶ ଅଧିକ ଆର୍ଥିକ ସଙ୍କଟ ଭିତରକୁ ଟାଣି ହୋଇଯାଇପାରେ । ଯେମିତି କରଯୋଗ୍ୟ ଆୟ ଉପରେ ବ୍ୟକ୍ତିକୁ ଆୟକର ଦେବାକୁ ହୋଇଥାଏ, ଠିକ ସେହିପରି କମ୍ପାନିଗୁଡିକୁ ସେମାନଙ୍କ ନିଟ ଲାଭ ଉପରେ ପ୍ରତିବର୍ଷ କର୍ପୋରେଟ କର ଦେବାକୁ ପଡିଥାଏ । ଏ ପର୍ଯ୍ୟନ୍ତ ଘରୋଇ କମ୍ପାନିମାନଙ୍କୁ ସେମାନଙ୍କ ଲାଭ ଉପରେ ସର୍ବାଧିକ ଶତକଡା ୩୦ ଭାଗ (ମୂଳ ଦର ଭାବେ) କର୍ପୋରେଟ କର ଦେବାକୁ ହେଉଥିଲା । ଏହା ଉପରେ ସରଚାର୍ଜ ଓ ସେସ ମିଶାଇଲେ ତାହା ପ୍ରାୟ ୩୫ ପ୍ରତିଶତ ହୋଇ ଯାଉଥିଲା । ନୂତନ ନିଷ୍ପ ତ୍ତି ଅନୁଯାୟୀ କର୍ପୋରେଟ କରର ଏହି ମୂଳ ଦରକୁ ୮ପ୍ରତିଶତ କମାଇ ୨୨ ପ୍ରତିଶତ କରି ଦିଆଗଲା । ଏହା ଉପରେ ସରଚାର୍ଜ ଓ ସେସ ମିଶାଇଲେ ପ୍ରକୃତ କର ହାର (ଇଫେକ୍ଟିଭ ଟ୍ୟାକ୍ସ ରେଟ) ୨୫.୧୭ ପ୍ରତିଶତ ହେବ, ଯାହା କି ପୂର୍ବାପେକ୍ଷା ପ୍ରାୟ ୧୦...