ଏନଡ଼ିଏ ସରକାର ୨୦୧୪ରେ କ୍ଷମତାସୀନ ହେବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଅନେକ ପ୍ରତିଶ୍ରୁତି ପ୍ରଦାନ କରା ହୋଇଆସିଛି । ତନ୍ମଧ୍ୟରୁ ଅଧିକାଂଶ ୨୦୨୨ ସୁଦ୍ଧା ପୂରଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏହା ପଛରେ ଥିବା ମୁଖ୍ୟ କାରଣ ହେଉଛି ଏହି ବର୍ଷ ସ୍ୱାଧୀନତା ପ୍ରାପ୍ତିର ୭୫ତମ ବର୍ଷ । କେବଳ ସେତିକି ନୁହେଁ, ଅଗଷ୍ଟ ୧୫, ୨୦୨୨ ସୁଦ୍ଧା ଯେଉଁ ସବୁ ଲକ୍ଷ୍ୟ ହାସଲ କରାଯିବା ପାଇଁ ସ୍ଥିର ହୋଇଥିଲା, ସେଗୁଡ଼ିକୁ ନିତି (NITI) ଆୟୋଗ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଷ୍ଟ୍ରାଟେଜି ଫର ନିଉ ଇଣ୍ଡିଆ @୭୫’ରେ ଏକତ୍ର ସନ୍ନିବେଶିତ କରାଯାଇଥିଲା । ତେବେ ୨୦୨୨ର ପରିସମାପ୍ତି ପରେ ବି ଅନେକ ପ୍ରତିଶ୍ରୁତି ପୂରଣ ହୋଇନାହିଁ । ସେହି ସବୁ ଲକ୍ଷ୍ୟ ଓ ପ୍ରତିଶ୍ରୁତି ମଧ୍ୟରୁ କେତୋଟି ପ୍ରମୁଖ ପ୍ରତିଶ୍ରୁତିର ବାସ୍ତବ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଉ । ୨୦୨୨ ସୁଦ୍ଧା ଦେଶରେ ଚାଷୀଙ୍କ ଆୟ ଦୁଇ ଗୁଣ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ୨୦୧୬ ମସିହାରେ କରିଥିବା ଘୋଷଣା କୃଷକ ଓ ଅନ୍ୟମାନଙ୍କ ମଧ୍ୟରେ ସବୁଠାରୁ ବେଶି ଆଶା ଉଦ୍ରେକ କରିଥିଲା । ୨୦୧୫-୧୬କୁ ଆଧାର ବର୍ଷ ଭାବେ ଗ୍ରହଣ କରି ଚାଷୀ ପରିବାରଙ୍କ ଆୟ ୨୦୨୨ ସୁଦ୍ଧା ବାର୍ଷିକ ୨,୧୯,୭୨୪ ଟଙ୍କା (ମାସିକ ପ୍ରାୟ ୧୮୩୦୦ ଟଙ୍କା)ରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିଲା । ବର୍ଷ ଶେଷରେ ଚାଷୀଙ୍କ ଆୟ ପ୍ରକୃତରେ କେତେ ଟଙ୍କ...