ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀତ୍ୱ ହରାଇବା ଆଶଙ୍କାରେ ୨୦୧୯ ନଭେମ୍ବର ୨୮ରେ ଶପଥ ନେଇଥିବା ମହାରାଷ୍ଟ୍ର ବିକାଶ ଆଘାଡି ସରକାର ପ୍ରତି ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସେଠାରେ ବିଧାନ ପରିଷଦ ପାଇଁ ନିର୍ବାଚନ ଘୋଷଣା ସହ ଆପାତତଃ ଟଳି ଯାଇଥିବା ପରି ମନେ ହେଉଛି । ତେବେ ଏଥି ପୂର୍ବରୁ ତରବରିଆ ଭାବେ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରାଇ ବିବାଦ ଭିତରକୁ ଆସିଥିବା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଭୂମିକା ଏହି ପ୍ରକରଣରେ ମଧ୍ୟ ପୁଣି ଥରେ ବିବାଦ ଘେରକୁ ଆସିଛି । ରାଜ୍ୟପାଳଙ୍କ ଆଚରଣ ରାଜ୍ୟରେ ଏକ ରାଜନୈତିକ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଥିବାରୁ ବିଧାନ ପରିଷଦ ପାଇଁ ସଦସ୍ୟ ମନୋନୟନ କ୍ଷେତ୍ରରେ ରାଜ୍ୟପାଳଙ୍କ କ୍ଷମତା ସମ୍ପର୍କରେ ତର୍ଜମା ହେବାର ଆବଶ୍ୟକତା ରହିଛି । ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲା ବେଳକୁ ସେ ମହାରାଷ୍ଟ୍ରର ବିଧାନସଭା ବା ବିଧାନ ପରିଷଦ ମଧ୍ୟରୁ କୌଣସିଟିର ସଦସ୍ୟ ନଥିଲେ । ନିୟମ ଅନୁସାରେ ଦାୟିତ୍ୱ ଗ୍ରହଣର ଛଅ ମାସ ମଧ୍ୟରେ, ଅର୍ଥାତ ୨୦୨୦, ମେ ୨୭ ସୁଦ୍ଧା ତାଙ୍କୁ ଯେ କୌଣସି ଗୋଟିଏ ସଦନର ସଦସ୍ୟ ହେବାକୁ ହେବ । ମହାରାଷ୍ଟ୍ର ବିଧାନ ପରିଷଦର ଖାଲି ପଡିଥିବା ୯ଟି ଆସନ ଲାଗି ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସଦସ୍ୟତା ହାସଲ କରିବା ଲାଗି ଉଦ୍ଧବ ଠାକରେ ସ୍ଥିର କରିଥିଲେ । ହେ...