ଭାରତ ସରକାରଙ୍କ ଅଧୀନସ୍ଥ ତୈଳ ବିତରଣ କମ୍ପାନି ଭାରତ ପେଟ୍ରୋଲିଅମ (ବିପିସିଏଲ୍)ର ଲୋଗୋ ହେଉଛି ‘ପିଓର ଫର ସିଓର’ ବା ‘ନିଶ୍ଚିତ ରୂପେ ଖାଣ୍ଟି’। ପାଣିମିଶା କ୍ଷୀରକୁ କ୍ଷୀରବାଲା ଖାଣ୍ଟି କ୍ଷୀର କହିବା ଯାହା, ଏଣିକି ଭାରତରେ ପେଟ୍ରୋଲକୁ ଖାଣ୍ଟି ପେଟ୍ରୋଲ ବୋଲି ଦାବି କରିବା ତାହା। ହୁଏତ ବିପିସିଏଲ୍ କମ୍ପାନିକୁ ଅଚିରେ ତା’ର ଲୋଗୋ ବଦଳାଇବାକୁ ପଡ଼ିପାରେ। କାରଣ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦେଶରେ କୌଣସି ପେଟ୍ରୋଲ ପମ୍ପରେ ଆଉ ଖାଣ୍ଟି ପେଟ୍ରୋଲ ମିଳୁନାହି। ଏଣିକି ଅଳ୍ପ କେତେକ ସ୍ଥାନରେ ମିଳୁଥିବା ପ୍ରିମିଅମ ପେଟ୍ରୋଲକୁ ବାଦ୍ ଦେଇ ସର୍ବତ୍ର ବାଧ୍ୟତାମୂଳକ ଭାବେ କେବଳ ୨୦ ପ୍ରତିଶତ ଇଥାନଲ ମିଶା ଇ-୨୦ ପେଟ୍ରୋଲ ହିଁ ଉପଲବ୍ଧ, ଯାହାକୁ ଜଣେ କିଣିବାକୁ ବାଧ୍ୟ। ଏହାର ଅର୍ଥ ୫ ଲିଟର ପେଟ୍ରୋଲ କିଣିଲେ ଘୋଷିତ ରୂପେ ସେଥିରେ ଏକ ଲିଟର ଇଥାନଲ ନିଶ୍ଟିତ ମିଶାଯାଇଥିବ। ଏହି ପ୍ରସଙ୍ଗ ଜନସ୍ୱାର୍ଥ ସମ୍ୱଳିତ ହୋଇଥିବାରୁ ଇଥାନଲ ମିଶ୍ରଣର ବିଭିନ୍ନ ଦିଗ ସମ୍ପର୍କରେ ଜନସାଧାରଣ ଅବଗତ ହେବା ଜରୁରି। ଜୀବଶ୍ମ ଇନ୍ଧନର ଭଣ୍ଡାର ହ୍ରାସ ପାଇବା, ଅଶୋଧିତ ତେଲ ଦରରେ ମାତ୍ରାଧିକ ଅସ୍ଥିରତା ଓ ପରିବେଶ ସଂକ୍ରାନ୍ତ କଡ଼ା ନିୟମ ଆଦି ଯୋଗୁଁ ସାରା ବିଶ୍ୱ ଏବେ ବିକଳ୍ପ ଇନ୍ଧନର ସନ୍ଧାନ ଲାଗି ବାଧ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ତେଲରେ ଇଥାନଲ ମିଶ୍ରଣ ଏକ ଗ୍ରହଣୀୟ ବିକଳ୍ପ ଭାବେ ଆଦୃତି ଲାଭ କରିଛି। ତେବେ ଇଥାନଲ ମିଶ୍ରଣ କ୍...