ବାପା ମା ଛେଉଣ୍ଡ ପିଲାଙ୍କ ଜୀବନ ସଂଘର୍ଷର କାହାଣୀ ଶୁଣିଲେ ଆଖିକୁ ଲୁହ ଜକେଇ ଆସେ ଆଉ ହୃଦୟଟା ଆପେ ଆପେ ବତୁରିଯାଏ l ସେମାନେ ସାହସର ସହିତ ନିଜ ନିଜ ପାନିପଥ ନିଜେ ଲଢୁଥିଲେ ବି ସମାଜ ଓ ଦେଶ ପରୋକ୍ଷରେ ସେମାନଙ୍କ ସହାୟତା କରିଥାନ୍ତି l କିନ୍ତୁ ଯଦି କେହି ଦେଶଛେଉଣ୍ଡ (ଷ୍ଟେଟଲେସ) ହୋଇଯାଏ, ତେବେ ତାର ଦୁଃଖର ପରିସୀମା ଅକଳ୍ପନୀୟ l ବନ୍ୟା ଜଳରେ କୁଟା ଖଣ୍ଡିଏ ତଳକୁ ଭାସିଚାଲିଲା ପରି ଜୀବନ ଯାତ୍ରାରେ ନିୟନ୍ତ୍ରଣ ହରାଇ ଅସହାୟ ଭାବେ ନିମ୍ନଗାମୀ ହେବା ବ୍ୟତୀତ ତା ଆଗରେ ବିକଳ୍ପ ନଥାଏ l ତାର ଦେଶ ବୋଲି କିଛି ନଥିବା ବେଳେ ତା ସମାଜ ସମଦଶାପନ୍ନ ହୋଇଥିବାରୁ ତା ପକ୍ଷେ କାହାରିଠାରୁ ସାହାଯ୍ୟ ଆଶା କରିବା ଦୁରୁହ ହୋଇପଡିଥାଏ l ମାନବାଧିକାର ସାର୍ବଜନୀନ ଘୋଷଣା (ୟୁନିଭର୍ସାଲ ଡିକ୍ଲେୟାରେସନ ଅଫ ହ୍ୟୁମାନ ରାଇଟସ) ଅନୁଯାୟୀ ପ୍ରତ୍ୟେକଙ୍କର କୌଣସି ଦେଶର ନାଗରିକ ହେବାର ଅଧିକାର ରହିଛି l ଦେଶଛେଉଣ୍ଡ ଲୋକଙ୍କ ସ୍ଥିତି ଓ ସମସ୍ୟା ବୁଝିବା ପାଇଁ ଜାତିସଂଘର ଶରଣାର୍ଥୀ ସଂଗଠନ ୟୁଏନଏଚସିଆର ଦ୍ଵାରା ୧୯୫୪ ମସିହାରେ ଆୟୋଜିତ ସମ୍ମିଳନୀରେ ପ୍ରସ୍ତୁତ ସଂବିଧାନର ଧାରା ୧ ଅନୁଯାୟୀ ସେହି ଲୋକକୁ ଦେଶଛେଉଣ୍ଡ ଭାବେ ଗ୍ରହଣ କରାଯିବ ଯାହାକୁ କୌଣସି ଦେଶ ତାଙ୍କ ପ୍ରଚଳିତ ଆଇନ ଅନୁସାରେ ନାଗରିକ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି l ବ୍ୟକ୍ତି ଓ ଦେଶ ମଧ୍ୟରେ ଜାତୀୟତାର ବନ୍ଧନ ହେଉଛି ଏକ ଆଇନଗ...