ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ପ୍ରତିବାଦରେ ‘କକ୍ରୋଚ ଜନତା ପାର୍ଟି’ (ସିଜେପି)ର ଆହ୍ୱାନ କ୍ରମେ ହୋଇଥିବା ଆନ୍ଦୋଳନ ମୁଖ୍ୟତଃ ଏକ ‘ଜେନ୍-ଜି’ ଆନ୍ଦୋଳନ ଥିଲା, ଯାହାର ମୁଖ୍ୟ ଦାବି ଥିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା। ପ୍ରଥମେ ସେମାନଙ୍କ ଦାବିକୁ କେହି ଗୁରୁତ୍ୱ ନେଇ ନଥିଲେ, କାରଣ ମୋଦୀଙ୍କ ଦୀର୍ଘ ଶାସନ କାଳରେ କୌଣସି ଜଣେ ହେଲେ ମନ୍ତ୍ରୀଙ୍କୁ ଜନସାଧାରଣଙ୍କ ଚାପରେ ଇସ୍ତଫା ଦେବାକୁ ପଡ଼ି ନଥିଲା। କିନ୍ତୁ ଏଥର ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ଯାହା ସମସ୍ତଙ୍କୁ ଚକିତ କଲା ତାହା ହେଲା ମାତ୍ର ଦୁଇମାସ ତଳେ ଥଟ୍ଟାମଜାରେ ଆରମ୍ଭ ହୋଇଥିବା ‘ଜେନ୍-ଜି’ଙ୍କ ଏହି ଆନ୍ଦୋଳନ ଏତେ ବଡ଼ ସଫଳତା ହାସଲ କରିବା। ତେଣୁ ଏହା ପଛର କାରଣଗୁଡ଼ିକୁ ପର୍ଯ୍ୟାଲୋଚନା କରାଯାଉ। ୧୯୯୭ରୁ ୨୦୧୨ ମସିହା ମଧ୍ୟରେ ଜନ୍ମ ହୋଇଥିବା ସମସ୍ତଙ୍କୁ ‘ଜେନ-ଜି’ (ଜେନେରେସନ୍-ଜେଡ) କୁହାଯାଇଥାଏ। ୨୦୧୩ ପରେ ଜନ୍ମ ହୋଇଥିବା ପିଢ଼ିକୁ ‘ଜେନ୍-ଆଲଫା’ କୁହାଯାଉଛି। ତେବେ ‘ଜେନ-ଜି’ଙ୍କ ପୂର୍ବର ପିଢ଼ିଗୁଡ଼ିକ ହେଲେ ‘ମିଲେନିଆଲ’ ବା ‘ଜେନ-ୱାଇ’ (୧୯୮୧-୧୯୯୬), ‘ଜେନ-ଏକସ୍’ (୧୯୬୫-୧୯୮୦), ‘ବେବି ବୁମର୍ସ’ (୧୯୪୬-୧୯୬୪), ‘ସାଇଲେଣ୍ଟ ଜେନେରେସନ୍’ (୧୯୨୮-୧୯୪୫), ‘ଗ୍ରେଟେଷ୍ଟ ଜେନେରେସନ୍’ (୧୯୦୧-୧୯୨୭)। ଏବେ ‘ଜେନ-ଜି’ ପିଢ଼ିର ହାରାହାରି ବୟସ ମାତ୍ର ୨୨ ବର୍ଷ। ସେମାନେ ଦୁନିଆକୁ ଦେଖିଲା ଦିନୁଁ ଇଣ...