ଗାନ୍ଧୀଜୀଙ୍କ ଭାରତ ଆଗମନର ଯଥେଷ୍ଟ ପୂର୍ବରୁ ଭାରତୀୟ ରାଜନୀତିରେ ଗୋପାଳକୃଷ୍ଣ ଗୋଖଲେ ଜଣେ ବିଶାଳ ବ୍ୟକ୍ତିତ୍ୱ ଭାବେ ଉଭା ହୋଇ ସାରିଥିଲେ । ସ୍ୱାଧୀନତା ଆନ୍ଦୋଳନର ଦୁଇଟି ପ୍ରମୁଖ ଧାରା ମଧ୍ୟରୁ ଚରମ ପନ୍ଥାର ଚେହେରା ଲୋକମାନ୍ୟ ତିଲକ ହୋଇଥିବା ବେଳେ ନରମ ପନ୍ଥାର ଚେହେରା ଥିଲେ ଗୋଖଲେ । ଗାନ୍ଧୀଜୀ ମଧ୍ୟ ତାଙ୍କ ଦ୍ୱାରା ବେଶ ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ନିଜ ରାଜନୈତିକ ଗୁରୁ ଭାବେ ଗ୍ରହଣ କରୁଥିଲେ । ଗାନ୍ଧୀଜୀ ୧୮୯୬ ମସିହାରେ ଭାରତକୁ ଆସିଥିବା ଅବସରରେ ବମ୍ବେ, ପୁନା, ମାନ୍ଦ୍ରାଜ, କଲିକତା ଓ ନାଗପୁର ଆଦି ସହରମାନଙ୍କୁ ଯାଇ ସେଠାରେ ରାଜନୈତିକ ନେତାମାନଙ୍କ ସହ ସାକ୍ଷାତ କରିବା ସହ ବିଭିନ୍ନ ସ୍ଥାନରେ ସାର୍ବଜନିକ ସଭା ମାଧ୍ୟମରେ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟଙ୍କ ନିର୍ଯାତନାର କରୁଣ କାହାଣୀ ଶୁଣାଉଥିଲେ । ଏହି କ୍ରମରେ ସେ ପୁନା ସହରକୁ ଆସିଥିଲେ ଓ ପୁନାସ୍ଥିତ ଫର୍ଗୁସନ କଲେଜ ପଡିଆରେ ଅକ୍ଟୋବର ୧୨, ୧୮୯୬ ଦିନ ତାଙ୍କର ପ୍ରଥମ ଥର ଲାଗି ଗୋଖଲେଙ୍କ ସହ ସାକ୍ଷାତ ହୋଇଥିଲା । ସେତେବେଳେ ଗୋଖଲେ ସେହି କଲେଜରେ ଗଣିତ ଅଧ୍ୟାପନା କରୁଥିବାରୁ ଗାନ୍ଧୀଜୀ ତାଙ୍କୁ ପ୍ରଫେସର ବୋଲି ସମ୍ବୋଧନ କରୁଥିଲେ । ଗୋଖଲେଙ୍କ ସହ ଏହି ପ୍ରଥମ ସାକ୍ଷାତ ଗାନ୍ଧୀଜୀଙ୍କ ଉପରେ ବେଶ ପ୍ରଭାବ ପକାଇଥିଲା । ଏ ସମ୍ପର୍କରେ ଗାନ୍ଧୀଜୀ ନିଜେ ଲେଖିଛନ୍ତି ଯେ ସେ ଗୋଖଲେଙ୍କ ସହିତ ପ୍ରଥମ ଥର ଭେଟୁଥିଲେ ମଧ୍ୟ ତାଙ୍କୁ ଏମିତି ଲାଗୁ...