ଜୁନ ୨୦୧୯ରେ ସମାପ୍ତ ତ୍ରୈମାସ ତୁଳନାରେ ଜୁନ ୨୦୨୦ରେ ସମାପ୍ତ ତ୍ରୈମାସରେ ସର୍ବମୋଟ ଘରୋଇ ଉତ୍ପାଦ (ଜିଡିପି) ୨୩.୯ ପ୍ରତିଶତ ସଙ୍କୁଚିତ ହୋଇଥିବାର ତଥ୍ୟ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରାଳୟ ଦ୍ୱାରା ଜାରି ହେବା ପରେ ଦେଶରେ ଅର୍ଥନୀତିର ଦୟନୀୟ ସ୍ଥିତି ନେଇ ଗଭୀର ଚିନ୍ତା ପ୍ରକାଶ ପାଇବାକୁ ଲାଗିଛି । ଅଣସଙ୍ଗଠିତ କ୍ଷେତ୍ରରୁ ତଥ୍ୟ ସଂଗୃହୀତ ହୋଇ ପାରି ନ ଥିବାରୁ ଏହି ତଥ୍ୟରେ ସଂଶୋଧନ ହେବ ବୋଲି ସୂଚୀତ କରାଯାଇଛି । ତାହାହେଲେ ଜିଡିପି ସଙ୍କୁଚନର ପ୍ରତିଶତ ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ୧୯୯୬ ମସିହାରୁ ତ୍ରୈମାସ ଭିତ୍ତିରେ ଏହି ତଥ୍ୟ ସାର୍ବଜନୀନ କରିବା ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ କୌଣସି ତ୍ରୈମାସରେ ଜିଡିପି ସଙ୍କୁଚିତ ହୋଇ ନଥିଲା । କେବଳ ସେତିକି ନୁହେଁ, କରୋନା ଜନିତ ସ୍ଥିତି ଯୋଗୁ ପ୍ରାୟ ଅଧିକାଂଶ ଦେଶର ଜିଡିପି ଏହି ସମୟରେ ସଙ୍କୁଚିତ ହୋଇଥିଲେ ବି ଭାରତର ଜିଡିପି ସଙ୍କୁଚନ ଅନ୍ୟ ଦେଶଗୁଡିକ ତୁଳନାରେ ସର୍ବାଧିକ ହେବା ବାସ୍ତବିକ ଉଦବେଗଜନକ । ଉଦାହରଣ ସ୍ୱରୂପ, ବୃହତ୍ ଅର୍ଥନୀତି ସମ୍ପନ୍ନ ଦେଶଗୁଡିକ ମଧ୍ୟରେ ଜିଡିପି ସଙ୍କୁଚନ ପ୍ରତିଶତ ଦୃଷ୍ଟିରୁ ଭାରତ ପଛକୁ ବ୍ରିଟେନ (୨୦.୪), ସ୍ପେନ (୧୮.୫), ମେକ୍ସିକୋ (୧୭.୧), ଫ୍ରାନ୍ସ (୧୩.୮), ଇଟାଲି (୧୨.୮) ରହିଛନ୍ତି । ହେଲେ ବୃହତ୍ ଅର୍ଥନୀତି ସମ୍ପନ୍ନ ଦେଶଗୁଡିକ ମଧ୍ୟରେ ଚୀନ ହେଉଛି ଏକମାତ୍ର ଦେଶ ଯାହାର ଜି...