ସଂସଦରେ କୃଷି ସମ୍ୱନ୍ଧୀୟ ତିନିଟି ନୂଆ ଆଇନ ପାରିତ ହେବା ପରେ ସାରା ଦେଶରେ ଚାଷୀ ଓ ଚାଷୀ ସଂଗଠନମାନଙ୍କ ଦ୍ୱାରା ଏହାର ବିରୋଧ ହେବାକୁ ଲାଗିଲା । ଏହା ଦ୍ୱାରା କୃଷି କ୍ଷେତ୍ରରେ କମ୍ପାନୀଗୁଡିକର ଅବାଧ ପ୍ରବେଶ ସହ କୃଷକମାନେ ସେମାନଙ୍କ ଶୋଷଣର ଶିକାର ହେବାର ଆଶଙ୍କା ବ୍ୟକ୍ତ ହେଲା । କ୍ରମଶଃ ସରକାର ଖାଦ୍ୟଶସ୍ୟ ସଂଗ୍ରହ ପ୍ରକ୍ରିୟାରୁ ଦୂରେଇ ଯିବେ ଓ ଏମଏସପି ପ୍ରକ୍ରିୟା ବନ୍ଦ ହୋଇଯିବ ବୋଲି ଚାଷୀ ସଂଗଠନମାନେ ମତ ପ୍ରକାଶ କଲେ । ଏ ସମ୍ପର୍କରେ ଚାଷୀଙ୍କୁ ଆଶ୍ୱସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ଘୋଷଣା କରିବାକୁ ହେଲା ଯେ ଏମଏସପି ରହିବ । ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ସତ୍ତ୍ୱେ ଦେଶର ୫୦୦ରୁ ଅଧିକ ଚାଷୀ ସଙ୍ଗଠନ ଏଗୁଡିକ ଚାଷୀ ବିରୋଧୀ କହି ବିରୋଧ କରିବା ଓ ହଜାର ହଜାର ସଂଖ୍ୟାରେ ଦିଲ୍ଲୀକୁ ପଦଯାତ୍ରା କରିବାରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରଣୀତ ଆଇନ ଚାଷୀଙ୍କ ହିତରେ ବୋଲି ସରକାର ଯେତେ ଯାହା କହିଲେ ବି ଅନ୍ତତଃ ଚାଷୀଙ୍କୁ ବୁଝାଇବା ଲାଗି ସମର୍ଥ ହୋଇ ପାରିନାହାନ୍ତି । ଏମଏସପି ବ୍ୟବସ୍ଥାର କ୍ରିୟାନ୍ୱୟନ ତଥା କେତେକ ଆନୁଷଙ୍ଗିକ ନୀତି, ସ୍ଥିତି ଓ ତଥ୍ୟକୁ ଅନୁଧ୍ୟାନ କଲେ ଚାଷୀ ମନରେ ଏମଏସପି ରହିବା ନେଇ ଉଠୁଥିବା ପ୍ରଶ୍ନ ଯଥାର୍ଥ ବୋଧ ହୁଏ । କୃଷି ବ୍ୟୟ ଓ ମୂଲ୍ୟ ଆୟୋଗ (ସିଏସିପି)ଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାର ପ୍ରତିବର୍ଷ ଖରିଫରେ ୧୪ଟି (ଧାନ, ବାଜରା, ଜୋଆର, ମ...