ସମସ୍ତଙ୍କ ପ୍ରତି ସମାନ ନିୟମ ଲାଗୁ କରିବା ବା ସମାନ ଆଚରଣ ପ୍ରଦର୍ଶନ କରିବା ବି ବେଳେବେଳେ ପକ୍ଷପାତିତା ହୋଇପାରେ । ‘ଲେଫନାଣ୍ଟ କର୍ଣ୍ଣେଲ ନିତିଶା ବନାମ ଭାରତ ସରକାର’ ମାମଲାରେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ମାର୍ଚ୍ଚ ୨୫, ୨୦୨୧ରେ ପରୋକ୍ଷ ପକ୍ଷପାତିତା ପ୍ରସଙ୍ଗରେ ଏପରି ଏକ ଯୁଗାନ୍ତକାରୀ ରାୟ ପ୍ରଦାନ କରିଛନ୍ତି ଯାହା ସମ୍ବିଧାନରେ ପ୍ରଦାନ କରାଯାଇଥିବା ସମାନତା ଅଧିକାରକୁ ନୂଆ କରି ଅବଲୋକନ ଓ ତର୍ଜମା କରିବା ପାଇଁ ବିମର୍ଶର ସମ୍ଭାବନା ସୃଷ୍ଟି କରିବ । ଏହି ରାୟର ସିଧାସଳଖ ପ୍ରଭାବରେ ସେନାବାହିନୀରେ କାର୍ଯ୍ୟରତ ମହିଳା ଅଧିକାରଙ୍କ ସ୍ଥାୟୀ କମିସନ ପାଇବା ବାଟ ସୁଗମ ହେବାକୁ ଯାଉଥିଲେ ବି ବିଭିନ୍ନ ସଂସ୍ଥାରେ ନାନା ଭାବେ ହେଉଥିବା ପରୋକ୍ଷ ପକ୍ଷପାତିତାକୁ ନିୟନ୍ତ୍ରଣ କରିବାରେ ଏହାର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରେ । ରାୟଟିର ଗୁରୁତ୍ୱକୁ ବୁଝିବା ପାଇଁ ମାମଲାଟିର ପୃଷ୍ଠଭୂମିକୁ ଜାଣିବା ଆବଶ୍ୟକ । ଆର୍ମି ଆକ୍ଟ, ୧୯୫୦ ଅନୁଯାୟୀ କେବଳ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଦ୍ୱାରା ନିର୍ଦ୍ଧାରିତ କୋର, ବିଭାଗ ବା ଶାଖାକୁ ବାଦ ଦେଇ ମହିଳା ଅଧିକାରୀମାନେ ଅନ୍ୟତ୍ର ସ୍ଥାୟୀ କମିସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ନାହିଁ । ମହିଳାମାନଙ୍କୁ ପ୍ରଥମେ ୧୯୫୮ରେ ଭାରତୀୟ ସେନା ବାହିନୀରେ ଆର୍ମି ମେଡିକାଲ କୋରରେ ସ୍ଥାୟୀ କମିସନ ପ୍ରଦାନ କରାଗଲା । ଜାନୁଆରୀ ୩୦, ୧୯୯...