ପ୍ରସିଦ୍ଧ 'ବିଟଲସ୍' ରକ୍ ବ୍ୟାଣ୍ଡ ଭାଙ୍ଗି ଯିବା ପରେ ଏହାର ଅନ୍ୟତମ ପ୍ରମୁଖ ଗାୟକ ଜନ ଲେନନଙ୍କର ବ୍ୟକ୍ତିଗତ ଭାବେ 'ଇମାଜିନ' ନାମକ ଏକ ଗୀତ ୧୯୭୧ରେ ଆତ୍ମପ୍ରକାଶ କରି ସାରା ବିଶ୍ୱରେ ଚହଳ ପକାଇ ଦେଇଥିଲା । ବିଶ୍ୱ ଶାନ୍ତି ଓ ବିଶ୍ୱ ଭ୍ରାତୃତ୍ୱର କଥା କହୁଥିବା ଏହି ଗୀତଟି ଶ୍ରୋତାଙ୍କର ଏତେ ଆଦୃତି ଲାଭ କଲା ଯେ ତାହା ଆଉ କେବଳ ଗୋଟିଏ ଗୀତରେ ସୀମିତ ନ ରହି ଏକ ପ୍ରକାର ଏକ ଅନ୍ତର୍ଜାତୀୟ ସଙ୍ଗୀତ (International Anthem)ରେ ପରିଣତ ହୋଇଗଲା । ଏକ ଈର୍ଷା, ହିଂସା, ଦ୍ୱେଷରହିତ ଆଦର୍ଶ ବିଶ୍ୱର କଥା କହୁଥିବା ଏହି ଗୀତଟିକୁ ଏକ ପ୍ରେମ ସଙ୍ଗୀତ ବି କୁହା ଯାଇପାରେ । ୫୦ ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ଏହି ଗୀତଟି ଏହି ଗୀତର ଗାୟକ ଜନ ଲେନନଙ୍କ ମୃତ୍ୟୁର ୪୧ ବର୍ଷ ପରେ ବି ବିଶ୍ୱର କୋଣ ଅନୁକୋଣରେ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟକୁ ନିରବଚ୍ଛିନ୍ନ ଭାବେ ଉଦବେଳିତ କରି ଚାଲିଛି । ସେହି କାଳଜୟୀ ଗୀତ ‘ଇମାଜିନ’ର ପ୍ରସ୍ତୁତି ଓ ଏହାର ଗାୟକ ଜନ ଲେନନଙ୍କ ସଙ୍ଗୀତ ଯାତ୍ରା ସମ୍ପର୍କରେ ଅଧିକ ଜାଣିବାର ଅବକାଶ ରହିଛି । ୧୯୪୦ରେ ଇଂଲଣ୍ଡର ଲିଭରପୁଲଠାରେ ଜନ୍ମିତ ସୁପ୍ରସିଦ୍ଧ ଗାୟକ ଜନ ଉଇନଷ୍ଟନ ଲେନନ ଏକାଧାରରେ ଜଣେ ଉଚ୍ଚକୋଟୀର ସଙ୍ଗୀତକାର, ଗୀତିକାର ମଧ୍ୟ ଥିଲେ । ପିଲାଦିନରୁ ସେ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇ ୧୯୫୬ରେ ନିଜର ବ୍ୟାଣ୍ଡ ‘କ୍ୱେରିମେନ’ ପ୍ରତିଷ୍ଠା କରିଥିଲେ, ଯାହା ୧୯୬୦ରେ ‘ବିଟଲସ୍’ ଗ୍ରୁ...