ହଁ, ଗୋଟେ ପୁସ୍ତକ ମଧ୍ୟ ଗୋଟେ ବିପ୍ଳବକୁ ଜନ୍ମ ଦେଇପାରେ । ୧୯୬୨ରେ ପ୍ରକାଶିତ ରେଚେଲ କାର୍ସନଙ୍କ ଦ୍ୱାରା ଲିଖିତ ‘ସାଇଲେଣ୍ଟ ସ୍ପ୍ରିଙ୍ଗ’ (ନୀରବ ବସନ୍ତ) ସେହିପରି ଗୋଟିଏ ପୁସ୍ତକ । ରେଚେଲ କାର୍ସନଙ୍କୁ ବିଂଶ ଶତାବ୍ଦୀର ସର୍ବୋତ୍ତମ ପ୍ରକୃତି ଲେଖକ ରୂପେ ଗ୍ରହଣ କରାଯାଇଥାଏ ଓ ୨୦୦୬ରେ ‘ଡିସକଭର’ ପତ୍ରିକା ଦ୍ୱାରା ‘ସାଇଲେଣ୍ଟ ସ୍ପ୍ରିଙ୍ଗ’ ବହିଟିକୁ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ୨୫ଟି ବିଜ୍ଞାନ ବହି ଭିତରେ ସ୍ଥାନିତ କରାଯାଇଛି । ମଣିଷ ଅହରହ ଭାବେ ପ୍ରକୃତି ଉପରେ କରିଚାଲିଥିବା ଅବିଚାରିତ ଅତ୍ୟାଚାରର କିଭଳି କୁପରିଣାମ ଦେଖିବାକୁ ମିଳିପାରେ, ତାହା ହିଁ ହେଉଛି ଏହି ପୁସ୍ତକର ମୂଳ ବିଷୟବସ୍ତୁ । କୀଟନାଶକ ଔଷଧଗୁଡ଼ିକର ପ୍ରୟୋଗ ଦ୍ୱାରା ପରିବେଶର ଯେଉଁ ବ୍ୟାପକ କ୍ଷତି ସାଧିତ ହେଉଛି ସେ ସମ୍ପର୍କରେ ଲେଖିକା ଦୃଢ଼ ଭାବେ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ । ପୁସ୍ତକଟି ପ୍ରକାଶ ପାଇବାର ଅଳ୍ପ ଦିନ ମଧ୍ୟରେ ୨୪ଟି ଦେଶରେ ଏହା ପାଠକୀୟ ଆଦୃତି ଲାଭ କରି ଏହାର ୫ ଲକ୍ଷରୁ ବି ବେଶି ପ୍ରତି ବିକ୍ରି ହୋଇଯାଇଥିଲା । କେବଳ ସେତିକି ନୁହେଁ ଏହା ଜୀବଜନ୍ତୁ, ପରିବେଶ ଏବଂ ପ୍ରଦୂଷଣ ଓ ଜନସ୍ୱାସ୍ଥ୍ୟ ମଧ୍ୟରେ ଥିବା ବିକଟ ସମ୍ପର୍କ ସମ୍ୱନ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବାରେ ଏକ ବଡ଼ ଭୂମିକା ନିର୍ବାହ କରିଥିଲା । ବସ୍ତୁତଃ, ପରିବେଶ ସଂକ୍ରାନ୍ତୀୟ ଆନ୍ଦୋଳନର ମୂଳଦୁଆ ପକାଇବାରେ ସାହାଯ୍ୟ କରି ଏକ ବିପ୍ଳବର ଜନ୍ମ ଦେଇଥି...