ଗତ ଶତାବ୍ଦୀର ଷାଠିଏ ଦଶକର କଥା । ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଜଣେ ଶିକ୍ଷକ ଚାରି ବର୍ଷ ବୟସର ନର୍ସରୀ ପଢୁଥିବା ଜଣେ ଛାତ୍ର ସହ ଗୋଟିଏ କୋଠରି ଭିତରକୁ ପ୍ରବେଶ କଲେ । କୋଠରିରେ ଆଉ କେହି ନ ଥାଆନ୍ତି । ପିଲାଟି ସହ କିଛି ସମୟ କଥାବାର୍ତ୍ତା ହେଲା ପରେ ସେ ପକେଟରୁ ଗୋଟିଏ ସୁନ୍ଦର ଟଫି କାଢି ପିଲାଟି ସମ୍ମୁଖରେ ଥିବା ଟେବୁଲ ଉପରେ ରଖିଲେ । ଶିକ୍ଷକ ତାକୁ ଦେଉଛନ୍ତି ବୋଲି ଭାବି ପିଲାଟି ତୁରନ୍ତ ଟଫିଟିକୁ ନେବା ପାଇଁ ହାତ ବଢାଇଲା । ହେଲେ ଟଫିଟିକୁ ଉଠାଇ ନେଇ ଶିକ୍ଷକ ଜଣକ କହିଲେ, “ମୁଁ ଏଇଟି ତମକୁ ଦେବା ପାଇଁ ଆଣିଛି । ଏଇଟିକୁ ତମ ଆଗରେ ରଖି ଦେଇ ଦଶ ମିନିଟ ଲାଗି ବାହାରକୁ ଯାଉଛି । ମୁଁ ଫେରି ଆସିବା ବେଳକୁ ତମେ ଯଦି ଟଫିଟିକୁ ଖାଇ ନ ଥିବ ତେବେ ଏଇ ଟଫି ସହ ମୁଁ ତମକୁ ଆଉ ଗୋଟିଏ ଟଫି ଦେବି ।” ଏହା କହି ଶିକ୍ଷକ ବାହାରକୁ ବାହାରି ଗଲେ ।
ଶିକ୍ଷକ ଗଲା ପରେ ପିଲାଟି ଭାବିଲା, “ଦଶ ମିନିଟ କଥା ତ । ଅପେକ୍ଷା କରି ଗଲେ ଦୁଇଟି ଟଫି ମିଳିବ । ଏଇ ଟଫି ଆଡକୁ ଅନାଇବି ନାହିଁ ।” ହେଲେ ଅଳ୍ପ ସମୟ ପରେ ସେ ଆଉ ରହି ପାରିଲା ନାହିଁ । ତା’ ଆଖି ସେହି ଟଫି ଆଡକୁ ଟାଣି ହୋଇ ଯାଇ ଗୁଡା ହୋଇଥିବା ସୁନ୍ଦର ଜରି ଉପରେ ଅଟକି ଗଲା । ସେ ଆଉ ଟଫି ଉପରୁ ଆଖି ଫେରାଇ ଆଣି ପାରିଲା ନାହିଁ । କିଛି ସମୟ ପରେ ଭାବିଲା ଶିକ୍ଷକ ସିନା ଟଫିଟିକୁ ଖାଇବାକୁ ମନା କରିଛନ୍ତି, ହେଲେ ଜରି ଖୋଲି ଦେଖିବାକୁ ତ ମନା କରି ନାହାନ୍ତି । ଏହା ଭାବି ସେ ଗୁଡା ହୋଇଥିବା ଜରିଟିକୁ ଖୋଲିବା ମାତ୍ରେ ତା’ ଆଗରେ ବାଦାମୀ ରଙ୍ଗର ସୁନ୍ଦର ଟଫିଟିଏ ଉଭା ହେଲା । ଟଫିଟିରେ ବାଦାମ ଖଣ୍ଡମାନ ଲାଗିଥାଏ । ଏତେ ସୁନ୍ଦର ଟଫିଟିକୁ ଦେଖି ତା’ ପାଟିରୁ ଲାଳ ବହିବାକୁ ଲାଗିଲା । ଇଆଡେ ଶିକ୍ଷକ କହିଛନ୍ତି ତାଙ୍କ ଆସିବା ଯାଏଁ ଅପେକ୍ଷା କଲେ ଆଉ ଗୋଟିଏ ଟଫି ମିଳିବ । ତେଣୁ ଟଫିଟିକୁ ନ ଖାଇ ସେ ପୁଣି ଜରିରେ ଗୁଡାଇ ରଖି ଦେଲା । ସମୟ ତା’ର କଟୁ ନ ଥାଏ । ଶିକ୍ଷକ ଆସିବାକୁ ଏତେ ଡେରି କାହିଁକି କରୁଛନ୍ତି ବୋଲି ଭାବି ମନେ ମନେ ବିରକ୍ତ ହେଲା । ମିନିଟିଏ ଯାଇଛି କି ନାହିଁ, ସେ ଜରିଟି ଖୋଲି ପୁଣି ଟଫିକୁ ଚାହିଁ ରହିଲା । ଏଥର ଭାବିଲା ଟଫିଟି ଯେତେବେଳେ ଏତେ ସୁନ୍ଦର, ତା ସ୍ୱାଦ କେତେ ଭଲ ହୋଇ ନ ଥିବ । ଶିକ୍ଷକ ସିନା ଟଫିଟି ଖାଇବାକୁ ମନା କରିଛନ୍ତି ହେଲେ ଚାଖିବାକୁ ତ ବାରଣ କରି ନାହାନ୍ତି । ଟଫିଟିର ସ୍ୱାଦ ଚାଖି ପୁଣି ଜରି ଗୁଡାଇ ରଖି ଦେବ ବୋଲି ଭାବି ଥରଟିଏ ଜିଭରେ ଚାଟିବା ମାତ୍ରେ, ପିଲାଟି ଆଉ ରହି ପାରିଲା ନାହିଁ । ଟଫିଟିକୁ ପାଟି ଭିତରେ ପୂରାଇ ଦେଇ ସେ ତା’ର ମଜା ନେବାକୁ ଲାଗିଲା । ଏତେ ସମୟ ଧରି ତା’ ଆଗରେ ପଡି ରହିଥିବା ଟଫିଟିକୁ ନ ଖାଇ ସେ ଯେ କାହିଁକି ବସି ରହିଥିଲା ସେଥିପାଇଁ ନିଜକୁ ଗାଳି ଦେଲା । ଠିକ ଏହି ସମୟରେ ଶିକ୍ଷକ କୋଠରି ଭିତରକୁ ପ୍ରବେଶ କଲେ, ଆଉ ପିଲାଟି ଶିକ୍ଷକଙ୍କ ଆଗରେ ଟଫିର ସ୍ୱାଦ ବର୍ଣ୍ଣନା କରିବାକୁ ଲାଗିଲା । ହେଲେ ସର୍ତ୍ତ ମୁତାବକ ତାକୁ ଆଉ ଦ୍ୱିତୀୟ ଟଫିଟି ମିଳିଲା ନାହିଁ ।
ତା’ ପର ଦିନ ଶିକ୍ଷକଙ୍କ ସହ ଆସିଥିବା ଆଉ ଗୋଟିଏ ପିଲା ମଧ୍ୟ ପୂର୍ବ ପିଲାଟି ପରି ଶିକ୍ଷକଙ୍କ ଫେରିବାକୁ ଅପେକ୍ଷା ନ କରି ଟଫିଟିକୁ ଖାଇଦେଲା । ଏହିପରି ଭାବେ କିଛି ଦିନ ପରୀକ୍ଷା ଚାଲିଲା ପରେ ଶିକ୍ଷକ ଦିନେ ଆଶ୍ଚର୍ଯ୍ୟ ହେଲେ ଯେ ଗୋଟିଏ ପିଲା ଟଫିଟି ନ ଖାଇ ତାଙ୍କ ଆସିବା ଯାଏଁ ଧୈର୍ଯ୍ୟର ସହିତ ବସି ରହିଛି । ସର୍ତ୍ତ ମୁତାବକ ତାକୁ ଆଉ ଗୋଟିଏ ଟଫି ମିଳିଥିଲା । ଶିକ୍ଷକ ଜଣକ ଛଅ ବର୍ଷ ଧରି ଏହି ପରୀକ୍ଷାଟିକୁ ଶହ ଶହ ପିଲାଙ୍କ ଉପରେ କରି ଚାଲିଲେ । ତାଙ୍କ ଭିତରୁ ଅଧିକାଂଶ ପିଲା ଅପେକ୍ଷା ନ କରି ତାଙ୍କୁ ଦିଆ ଯାଇଥିବା ଟଫିଟିକୁ ଖାଇ ଦେଇଥିବା ବେଳେ ଅଳ୍ପ କେତେ ଜଣ ଶିକ୍ଷକଙ୍କ ଆସିବାକୁ ଧୈର୍ଯ୍ୟର ସହ ଅପେକ୍ଷା କରି ଆଉ ଗୋଟିଏ ଲେଖାଏଁ ଟଫି ପାଇ ପାରିଥିଲେ । ଶିକ୍ଷକ ପ୍ରତିଟି ପିଲାର ନାମ ସହ ଆଚରଣକୁ ଗୋଟିଏ ଖାତାରେ ଲେଖି ରଖିଥିଲେ ।
ଇତି ମଧ୍ୟରେ ବେଶ କିଛି ବର୍ଷ ବିତି ଯାଇଥିଲା । ସେହି ପିଲାମାନେ ଏବେ କ’ଣ କରୁଛନ୍ତି ବୋଲି ଜାଣିବାକୁ ଆଗ୍ରହ ପ୍ରକାଶ କରି ଶିକ୍ଷକ ଜଣକ ସେମାନଙ୍କ ସହ ଯୋଗାଯୋଗ କଲେ । ସେ ଆଶ୍ଚର୍ଯ୍ୟ ହେଲେ ଯେ ଯେଉଁ ପିଲାମାନେ ଧୈର୍ଯ୍ୟର ସହ ଅପେକ୍ଷା କରି ଦୁଇଟି ଲେଖାଏଁ ଟଫି ହାସଲ କରି ପାରିଥିଲେ, ସେମାନେ ସମସ୍ତେ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ପ୍ରତିଷ୍ଠିତ ହୋଇ ପାରିଛନ୍ତି । ଅନ୍ୟ ପକ୍ଷରେ ଯେଉଁମାନେ ଅଧୈର୍ଯ୍ୟ ହୋଇ ଗୋଟିଏ ଲେଖାଏଁ ଟଫିରେ ସନ୍ତୁଷ୍ଟ ହୋଇଥିଲେ, ସେମାନେ ସମସ୍ତେ ସାଧାରଣ ଜୀବନ ଯାପନ କରୁଛନ୍ତି । ଏପରିକି ସେମାନଙ୍କ ମଧ୍ୟରୁ କିଛି ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଖରାପ ଅବସ୍ଥା ଦେଇ ଗତି କରୁଛନ୍ତି । ଏହା ଦେଖି ସେ ଧାଡିଟିଏ ତାଙ୍କ ଖାତାରେ ଲେଖିଥିଲେ, “ଯେଉଁ ପିଲା ଦଶ ମିନିଟ ବି ଧୈର୍ଯ୍ୟ ରଖି ପାରୁନାହିଁ ସେ ଜୀବନରେ କେବେ ବି ଆଗେଇ ପାରିବ ନାହିଁ ।” ସେହି ଶିକ୍ଷକ ଜଣକ ହେଲେ ୱାଲଟର ମିଶେଲ ଓ ପିଲାଙ୍କ ଧୈର୍ଯ୍ୟ ପରୀକ୍ଷା ପାଇଁ ସେ କରିଥିବା ପରୀକ୍ଷାରେ ବାହାରିଥିବା ତତ୍ତ୍ୱଟିକୁ ‘ମାସମେଲୋ ତତ୍ତ୍ୱ’ ବୋଲି କୁହାଯାଏ । କାରଣ ସେ ପିଲାମାନଙ୍କୁ ଯେଉଁ ଟଫିଟି ଖାଇବାକୁ ଦେଉଥିଲେ ତା’ର ନାମ ଥିଲା ‘ମାସମେଲୋ’ ।
ଯେଉଁମାନଙ୍କ ନିକଟରେ ଧୈର୍ଯ୍ୟ ଥାଏ, ସେମାନଙ୍କ ନିକଟରେ ଏକାଗ୍ରତା ମଧ୍ୟ ଦେଖିବାକୁ ମିଳିଥାଏ । ଫଳରେ ସେମାନେ କରୁଥିବା ପ୍ରତିଟି କାମରେ ଉତ୍କର୍ଷ ହାସଲ କରିବାକୁ ବ୍ରତୀ ହୋଇଥାଆନ୍ତି । ଛୋଟ ଛୋଟ ଅସଫଳତାରେ ବା କିଛି ହାସଲ କରି ନ ପାରିଲେ ପିଲାମାନେ ଅଧୈର୍ଯ୍ୟ ହୋଇ ମନ ଊଣା କରିବା ବା ଭାଙ୍ଗି ପଡିବା ଉଚିତ ନୁହେଁ । ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କଲେ ବଡ ବଡ ସମସ୍ୟାର ବି ସମାଧାନ ହୋଇ ପାରିଥାଏ । ଅଭିଭାବକମାନେ ମଧ୍ୟ ପିଲାଙ୍କ ଛୋଟ ଛୋଟ ଜିଦକୁ ତୁରନ୍ତ ପୂରଣ କରିବା ପାଇଁ ବ୍ୟଗ୍ର ନ ହୋଇ ସେମାନଙ୍କଠାରେ କିପରି ଧୈର୍ଯ୍ୟର ବିକାଶ ହୋଇପାରିବ, ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ।
(Published in June 2021 issue of Kunikatha )
Comments
Post a Comment