ତୁର୍କୀର ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ମେ, ୨୦୨୩ରେ ଅନୁଷ୍ଠିତ ନିର୍ବାଚନ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ଦେଶ ଓ ଦେଶ ବାହାରେ ରହୁଥିବା ପ୍ରାୟ ସାଢ଼େ ୬ କୋଟି ତୁର୍କୀ ମତଦାତା ଅଂଶଗ୍ରହଣ କରିଥିବା ଏହି ନିର୍ବାଚନର ଫଳାଫଳ ଉପରେ ସମଗ୍ର ବିଶ୍ୱର ଧ୍ୟାନ କେନ୍ଦ୍ରିତ ଥିଲା । କାରଣ ଗୋଟିଏ ପଟେ ଦୀର୍ଘ ୨୦ ବର୍ଷ ଧରି କ୍ଷମତାରେ ରହି ଆସିଥିବା ଶକ୍ତିଶାଳୀ ରାଷ୍ଟ୍ରପତି ଏର୍ଦୋଆନ ଥିଲା ବେଳେ ତାଙ୍କ ବିପକ୍ଷରେ ଥିବା ଅପେକ୍ଷାକୃତ ଅନଭିଜ୍ଞ କ୍ଲୁଚଦାରୋଲୁଙ୍କ ପଛରେ ଥିଲା ପ୍ରବଳ ଜନ ସମର୍ଥନ । ନିର୍ବାଚନରେ ଏର୍ଦୋଆନଙ୍କ ପରାଜୟର ପୂର୍ବାନୁମାନ କରାଯାଉଥିଲା ବେଳେ ତାଙ୍କର ବିଜୟ ଅନେକଙ୍କୁ କେବଳ ଯେ ବିସ୍ମିତ କରିଛି ତାହା ନୁହେଁ, ବରଂ ଦେଶର ଶାସନ ଓ ଅନ୍ତର୍ଜାତୀୟ ସମ୍ପର୍କ ଉପରେ ତା’ର କି ପ୍ରଭାବ ପଡ଼ିବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାକୁ ଲାଗିଲାଣି । ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ତଥା ନ୍ୟାୟ ଓ ବିକାଶ ଦଳ (ଏକେ ପାର୍ଟି)ର ନେତା ରିଚେପ ତାୟିପ ଏର୍ଦୋଆନ ୪ ଦଳୀୟ ପିପୁଲସ୍ ଆଲାଏନ୍ସ ମେଣ୍ଟ ତରଫରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ରିପବ୍ଲିକାନ ପିପୁଲସ୍ ପାର୍ଟିର ନେତା କେମାଲ କ୍ଲୁଚଦାରୋଲୁ ଯେ ୬ ଦଳୀୟ ନ୍ୟାସନାଲ ଆଲାଏନ୍ସ ମେଣ୍ଟ ତରଫରୁ ପ୍ରାର୍ଥୀ ହୋଇଥିଲେ । ମେ ୧୪, ୨୦୨୩ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଦଫା ନିର୍ବାଚନରେ ଏର୍ଦୋଆନ ୪୯....