ମାଲଦିଭ ବା ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତାଙ୍କ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଭାରତକୁ ତାଙ୍କ ଦେଶରୁ ସୈନ୍ୟ ପ୍ରତ୍ୟାହାର କରିବା କଥା ଦୋହରାଇ ସାରିଲେଣି । ଭାରତ ତା’ର ସୈନ୍ୟ ପ୍ରତ୍ୟାହାର ନ କଲେ ତାହା ମାଲଦିଭ ଜନତାଙ୍କ ଗଣତାନ୍ତ୍ରିକ ଆକାଂକ୍ଷାର ଅସମ୍ମାନ ହେବା ସହ ସେଠାକାର ଗଣତାନ୍ତ୍ରିକ ଭବିଷ୍ୟତକୁ ବିପନ୍ନ କରିବ ବୋଲି ସେ ଆଶଙ୍କା କରିଛନ୍ତି । ସଦ୍ୟ ଅନୁଷ୍ଠିତ ନିର୍ବାଚନର ଫଳାଫଳ ମାଧ୍ୟମରେ ମାଲଦିଭ ଜନତା ତାଙ୍କ ଦେଶରେ କୌଣସି ପ୍ରକାର ବିଦେଶୀ ସାମରିକ ଉପସ୍ଥିତିକୁ ଅଗ୍ରାହ୍ୟ କରିଛନ୍ତି । ତେଣୁ ଜନମତକୁ ସମ୍ମାନ ଜଣାଇ ଭାରତ ତୁରନ୍ତ ସାମରିକ ଉପସ୍ଥିତିକୁ ପ୍ରତ୍ୟାହାର କରୁ ବୋଲି ସେ ଅନୁରୋଧ କରିସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭାରତ ମହାସାଗରର ଏହି ଦ୍ୱୀପ ରାଷ୍ଟ୍ରରେ ସାମରିକ ଉପସ୍ଥିତି ଭାରତ ପାଇଁ କୌଶଳଗତ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ମାଲଦିଭର ଭାରତ ପ୍ରତି ଆଭିମୁଖ୍ୟରେ ପରିବର୍ତ୍ତନ ନିଶ୍ଚିତ ଭାବେ ଚିନ୍ତା ଉଦ୍ରେକକାରୀ । ଠିକ୍ ଏତିକି ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଯୋଗୁଁ ମାଲଦିଭର ପର୍ଯ୍ୟଟନ ଶିଳ୍ପ ପରୋକ୍ଷରେ ପ୍ରଭାବିତ ହେବାର ଆଶଙ୍କା କରି ସେଠାକାର ସରକାରଙ୍କ ମନ୍ତ୍ରୀ ଓ ଅନ୍ୟ କେତେକ ରାଜନୀତିଜ୍ଞ ମୋଦୀଙ୍କ ପ୍ରତି ଯେଉଁ ଭଳି ଅଶାଳୀନ ମନ୍ତବ୍ୟ ପ୍ରଦାନ କଲେ ତାହା କେବଳ ନିନ୍ଦନୀୟ ନୁହେଁ, ବରଂ ତଦ୍ଦ୍ୱାରା ଭା...