କାହାକୁ ଚାପୁଡ଼ାଟିଏ ପକାଇ ହୁଏତ ଜଣେ ଗରିବ ଅଭିଯୁକ୍ତ ଜେଲ ଯାଇଛି ଯେ ଯାଇଛି, ଜେଲରୁ ମୁକୁଳିବା ପାଇଁ ବର୍ଷ ବର୍ଷ ଲାଗିଯାଇଛି । ଛୋଟ ଛୋଟ ଏବଂ ଜାମିନଯୋଗ୍ୟ ଅପରାଧ ପାଇଁ ବିଚାରାଧୀନ କଏଦୀ ଭାବେ ବର୍ଷ ବର୍ଷ ଧରି ଜେଲରେ ଶଢ଼ୁଥିବା ଗରିବ ଲୋକଙ୍କ ପରିବାର ଆର୍ଥିକ ଦୁରବସ୍ଥା ଯୋଗୁଁ ନ୍ୟାୟିକ ଲଢ଼େଇ ଲଢ଼ିବାକୁ ଅସମର୍ଥ ହୁଅନ୍ତି । ଏହିପରି ଲୋକମାନଙ୍କ ଦୁର୍ଦ୍ଦଶା ଜେଲ ବାହାରେ ରହୁଥିବା ଲୋକମାନେ ଜାଣନ୍ତି ନାହିଁ ଓ ସମାଜ ସେମାନଙ୍କ ସମସ୍ୟା ପ୍ରତି ଉଦାସୀନ । ତେଣୁ ସେମାନେ କ୍ରମଶଃ ବିସ୍ମୃତ ହୋଇଯାଆନ୍ତି । ଗୋଟିଏ ପଟେ ଗୁରୁତର ଅପରାଧରେ ସଂଶ୍ଳିଷ୍ଟ ସମ୍ପନ୍ନ ଅଭିଯୁକ୍ତମାନେ ନିଜ ଅର୍ଥ ଓ ପ୍ରତିପତ୍ତି ବଳରେ ଜାମିନ ପାଇ ମୁକ୍ତ ଭାବେ ବିଚରଣ କରିବାକୁ ସମର୍ଥ ହେଉଥିବା ବେଳେ ଅପେକ୍ଷାକୃତ ଛୋଟକାଟର ଅପରାଧ କରି ଗରିବ ବିଚାରାଧୀନ କଏଦୀମାନେ ସେମାନଙ୍କ ଜାମିନଯୋଗ୍ୟ ଅପରାଧ ପାଇଁ ମଧ୍ୟ ନ୍ୟାୟିକ ଲଢ଼େଇ ଲଢ଼ି ଉପଚାର ପାଇବା ଲାଗି ଆବଶ୍ୟକ ସମ୍ୱଳ ଜୁଟାଇ ନ ପାରି ଦୀର୍ଘ କାଳ ଧରି ଜେଲରେ ପଡ଼ି ରହିବାକୁ ଏକ ପ୍ରକାର ବାଧ୍ୟ ହୁଅନ୍ତି । ଫଳରେ ସେମାନେ ଓ ସେମାନଙ୍କ ପରିବାର ଚରମ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଆନ୍ତି । ନଭେମ୍ୱର ୨୬, ୨୦୨୨ରେ ୭୩ତମ ସମ୍ୱିଧାନ ଦିବସ ପାଳନ ଅବସରରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଓ ଝାଡ଼ଖଣ୍ତରେ ଗରିବ ଆଦିବାସୀମାନେ ଜାମିନଦାର ବା ଜାମିନ ରାଶି ଯୋଗାଡ଼ କରିବାକୁ ଅସମର୍ଥ ...