ଗତ ଜୁଲାଇ ୨୬, ୨୦୨୧ରେ ମିଜୋରାମର ଭାରିଙ୍ଗତେ ଗାଁ ନିକଟରେ ଆସାମ ଓ ମିଜୋରାମ ରାଜ୍ୟ ଦୁଇଟିର ପୁଲିସଙ୍କ ମଧ୍ୟରେ କଦର୍ଯ୍ୟ ରକ୍ତାକ୍ତ ସଂଘର୍ଷର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଲା । ଉଭୟ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ ଏପରି ଭୟଙ୍କର ରୂପ ନେଲା ଯେ ପୁଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଆସାମର ୬ ଜଣ ପୁଲିସ କର୍ମୀଙ୍କ ସମେତ ଜଣେ ସାଧାରଣ ନାଗରିକର ପ୍ରାଣହାନି ହେଲା । କିଛି ଦିନ ତଳେ ଓଡିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୀମା ବିବାଦ ମଧ୍ୟ ଅଶୋଭନୀୟ ସ୍ତରକୁ ଯାଇଥିଲା । କେବଳ ଆସାମ-ମିଜୋରାମ ବା ଓଡିଶା-ଆନ୍ଧ୍ର ପ୍ରଦେଶ ମଧ୍ୟରେ ନୁହେଁ ; ବରଂ ବିଭିନ୍ନ ରାଜ୍ୟ ମଧ୍ୟରେ ଏହି ସୀମା ବିବାଦ ବର୍ଷ ବର୍ଷ ଧରି ଅସମାହିତ ଅବସ୍ଥାରେ ଲାଗି ରହିଥିବାରୁ ସେଗୁଡିକର ତୁରନ୍ତ ସମାଧାନ ହେବା ବାଞ୍ଛନୀୟ । ଇତି ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ଲୋକସଭାରେ ସୂଚିତ କରାଯାଇଛି ଯେ ଦେଶରେ ରାଜ୍ୟ-ରାଜ୍ୟ ମଧ୍ୟରେ କେବଳ ୭ଟି ସୀମା ବିବାଦ ରହିଛି । ସେଗୁଡିକ ହେଲା, ହରିଆଣା-ହିମାଚଳ ପ୍ରଦେଶ, ଲଦାଖ-ହିମାଚଳ ପ୍ରଦେଶ, ମହାରାଷ୍ଟ୍ର-କର୍ଣ୍ଣାଟକ, ଆସାମ-ଅରୁଣାଚଳ ପ୍ରଦେଶ, ଆସାମ-ନାଗାଲାଣ୍ଡ, ଆସାମ-ମିଜୋରାମ ଓ ଆସାମ-ମେଘାଳୟ । ଅର୍ଥାତ୍, ଉପରୋକ୍ତ ସୀମା ବିବାଦଗୁଡିକ ମଧ୍ୟରୁ ସର୍ବାଧିକ ୪ଟି ବିବାଦ ସହ ଆସାମ ରାଜ୍ୟ ସଂଶ୍ଳିଷ୍ଟ । ପାହାଡ ପର୍ବତ ଘେରା ଉତ୍ତର-ପୂର୍ବର ରାଜ୍ୟଗୁଡିକରେ ଦଶକ-ଦଶକ ଧରି ବ...