କୋଭିଡ ମହାମାରୀ ବ୍ୟାପିବା ପରେ ସଂକ୍ରମଣ ବୃଦ୍ଧି ଭୟରେ ସ୍କୁଲଗୁଡିକୁ ବନ୍ଦ କରି ଦିଆ ଯାଇଥିଲା । ଫଳରେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଜୁଆଳିଆ ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ କୌଶଲ୍ୟା ଅନ୍ୟ ପିଲାମାନଙ୍କ ପରି ଘରେ ବସି ରହିଥିଲା । କୌଶଲ୍ୟାର ବାପା ଗଣେଶ୍ୱର ଜଣେ ଦିନ ମଜୁରିଆ । ସ୍କୁଲ ଦ୍ୱାରା ଅନଲାଇନରେ ପାଠ ପଢାଯିବା ନିଷ୍ପତ୍ତି ପରେ ତାଙ୍କ ମୁଣ୍ଡରେ ଚଡକ ପଡିଥିଲା । କରୋନା ସଂକ୍ରମଣ ବ୍ୟାପିବା ପରେ ସେ ବି ରୋଜଗାର ହରାଇଥିଲେ । ସ୍ମାର୍ଟ ଫୋନ କିଣିବା ପାଇଁ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନ ଥିବାରୁ ସେ କ’ଣ କରିବେ କିଛି ଭାବି ପାରୁ ନ ଥିଲେ । ଇଆଡେ ଅନଲାଇନରେ ପାଠପଢା ଆରମ୍ଭ ହୋଇ ଯାଇଥିଲେ ବି ସେଥିରେ କୌଶଲ୍ୟା ଅଂଶ ଗ୍ରହଣ କରି ପାରୁ ନ ଥିଲା । ତଥାପି ସେ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ ଥିବାରୁ ବାପାଙ୍କୁ ଫୋନ କିଣି ଦେବା ଲାଗି ଜିଦ୍ କରି ପାରୁ ନ ଥିଲା । କୌଶଲ୍ୟା ପରି ଗୋଟିଏ ଭଲ ଛାତ୍ରୀ ପାଠ ପଢି ନ ପାରି ଘରେ ବସି ରହିଥିବା ଦେଖି ଗଣେଶ୍ୱର ଦୁଃଖିତ ଓ ବିଚଳିତ ହେଉଥିଲେ । ମାଆ ମଞ୍ଜୁଲତା ଘରେ ରଖିଥିବା ଗାଈଟିର ସେବାଯତ୍ନ କରି ତା’ କ୍ଷୀର ବିକି ଦୁଇ ପଇସା ରୋଜଗାର କରୁଥିଲେ । ଶେଷରେ ସେମାନଙ୍କର ଏକମାତ୍ର ମୂଲ୍ୟବାନ ସମ୍ପତ୍ତି ଗାଈଟିକୁ ବିକ୍ରି କରିବା ଲାଗି ସେମାନେ ସ୍ଥିର କଲେ । ଗାଈଟିକୁ ୬୫୦୦ ଟଙ୍କାରେ ବିକ୍ରି କଲା ପରେ ବି ଟଙ୍କା ନିଅଣ୍ଟ ହେବାରୁ ତାଙ୍କୁ ଜଣେ ସ...