ମାଟିଆ ରଙ୍ଗର ବୁଲା କୁକୁରଟିଏ l ନାଁ ତାର ‘କାନେଲୋସ’ l ତାର ଛବି ପ୍ରଥମ ଥର ପାଇଁ ଗ୍ରୀସର ଏଥେନ୍ସସ୍ଥିତ ନ୍ୟାସନାଲ ଟେକନିକାଲ ୟୁନିଭର୍ସିଟିର ଛାତ୍ର ସଂସଦ ସାଧାରଣ ଅଧିବେଶନର ଏକ ଫଟୋରେ ଦେଖିବାକୁ ମିଳିଥିଲା l ୨୦୦୮ ମସିହାରେ ହୋଇଥିବା ଗ୍ରୀକ ଦଙ୍ଗା ସମୟରେ ଚିତ୍ରୋ ତ୍ତୋ ଳକମାନେ ଉଠାଇଥିବା ଅନେକ ଫଟୋ ଓ ଫୁଟେଜରେ କାନେଲୋସର ଉପସ୍ଥିତି ସାମ୍ଵାଦିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଓ ହଠାତ୍ ସେ ବିଖ୍ୟାତ ହୋଇଗଲା l ତା ପରଠାରୁ ଦୁଇ ବର୍ଷ ଯାଏଁ ଏଥେନ୍ସ ସହରରେ ହୋଇଥିବା ପ୍ରାୟ ପ୍ରତିଟି ବିକ୍ଷୋଭ ଓ ପ୍ରଦର୍ଶନ ସମୟରେ କାନେଲୋସକୁ ବିକ୍ଷୋଭକାରୀଙ୍କ ପାଖେପାଖେ ଚାଲୁଥିବା ଲକ୍ଷ୍ୟ କରା ଯାଇଥିଲା l ଏହି ଧରଣର କୁକୁରଙ୍କ ପାଇଁ ଇଂରାଜୀ ମିଡିଆରେ ନୂଆ ଶବ୍ଦର ପ୍ରଚଳନ ହେଲା ‘ରାୟଟ ଡଗ’ ବା ‘ଦଙ୍ଗା କୁକୁର’ l କେବଳ କାନେଲୋସ ନୁହେଁ, ବରଂ ଦଙ୍ଗା କୁକୁରଙ୍କ ମଧ୍ୟରେ ଚର୍ଚ୍ଚିତ ଅନ୍ୟ ବୁଲା କୁକୁରମାନେ ହେଲେ ଗ୍ରୀସର ‘ଥଡୋରିସ’, ‘ଲୁକାନିକୋସ’ ଓ ଚିଲିର ‘ନିଗ୍ରୋ ମାଟାପାକୋ’ l ଆଇଏମଏଫର ମିତବ୍ୟୟିତା ପରାମର୍ଶ ବିରୁଦ୍ଧରେ ଗ୍ରୀସରେ ହୋଇଥିବା ପ୍ରଦର୍ଶନର ପ୍ରତୀକ ରୂପେ ଲୁକାନିକୋସକୁ ଗ୍ରହଣ କରାଗଲା l ୨୦୧୧ ମସିହା ସେପ୍ଟେମ୍ଵର ମାସରେ ସେଠାରେ ପୋଲିସ ୟୁନିଅନର ଆହ୍ଵାନ କ୍ରମେ କିଛି ପୋଲିସ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଥିବା ବେଳେ ଦଙ୍ଗା ନିୟନ୍ତ୍ରଣକାରୀ ପୋଲିସ ସେମାନଙ୍କ ଉପରେ ଆକ୍ରମଣ କଲେ l ଉଭୟେ ସମାନ ୟୁନିଫ...