Skip to main content

ହେଇଥାଉ ପଛେ ଚାଇନା ମାଲ !

“ଆମକୁ ଦେଶପ୍ରେମର ପାଠ ପଢେଇ ଚାଇନା ମାଲ ବର୍ଜନ କରିବାକୁ କହି ସରକାର ତ ନିଜେ ଭଲ ଚାଇନା ମାଲ ଆଣୁଛନ୍ତି ।“ “ଆମେ ଚାଇନା ମାଲ କିଣିଲେ ସେଥିରୁ ଲାଭ କରି ଚୀନ ଆମ ଉପରେ ବମ ପକାଉଛି ବୋଲି ଆମକୁ ବୁଝାଇ ଦିଆ ଯାଇଥିବାରୁ ଆମେ ଘର ପାଖରେ ମିଳୁଥିବା ୪୦ ଟଙ୍କିଆ ଚାଇନା ଟର୍ଚ୍ଚ ନ କିଣି ଏଭାରେଡିକୁ ୧୧୦ରେ କିଣିଲା ବେଳକୁ ସରକାର କାହିଁକି ଡବଲ ଦାମ ଦେଇ ଅକ୍ସିଜେନ ସିଲିଣ୍ଡର ଚାଇନାରୁ ମଗାଉଛନ୍ତି । ଏତେ ବେଳକୁ ଆଉ ଚୀନ ବମ ପକାଉନି ।” “ଦିଲ୍ଲୀକୁ ଅକ୍ସିଜେନ ଦେଇ ତ ଭାରି ବାହାଦୁରି ମାରୁଥିଲେ, ଏବେ ପୁଣି ଚାଇନାରୁ ସିଲିଣ୍ଡର ଆଣିବାକୁ ପଡୁଛି କାହିଁକି ?” “ଯେଉଁ ଚୀନ ସାରା ପୃଥିବୀରେ କରୋନା ଭାଇରସ ବାଣ୍ଟିଲା ସେ ପୁଣି ସିଲିଣ୍ଡରରେ କ’ଣ ଛାଡିଥିବ କିଏ ଜାଣେ ! ସିଲିଣ୍ଡର ମଗାଇବାକୁ କ’ଣ ଆଉ ଅନ୍ୟ ଦେଶ ମିଳିଲା ନାହିଁ କି?” “ଆମ ଟାଟା କି ଜିନ୍ଦଲଙ୍କୁ କହିଥିଲେ ପରା ଯେତେ ଦରକାର ସିଲିଣ୍ଡର ବାଡେଇ ଦେଇଥାଆନ୍ତେ, ସେଥିଲାଗି ପୁଣି ଚୀନ ଆଗରେ ହାତ ପାତିବାକୁ ହେଲା । ଆଗକୁ ପଞ୍ଚାୟତ ଇଲେକସନ ଅଛି । ମାଲ ଦରକାର । ସେଥିପାଇଁ ସବୁ ଫିସାଦି ।” ଏହିପରି କିଛି ଉକ୍ତି ଓ ପ୍ରଶ୍ନ ଗାଁ ଗଣ୍ଡାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକଙ୍କ ମନରେ ଉଙ୍କି ମାରି ଆଲୋଚନାର ବିଷୟ ପାଲଟିଥିବାର ଦେଖାଗଲା ମଇ ୩୧, ୨୦୨୧ରେ ଚୀନରୁ ଓଡିଶାକୁ ଅକ୍ସିଜେନ ସିଲିଣ୍ଡରର ପ୍ରଥମ ଖେପ ପହଞ୍ଚିବାର ଖବର ଜଣା ପଡିବା ପରେ । ଏଥିରୁ କିଛି ପ୍ରଶ୍ନ ସେମାନଙ୍କ ସ୍ୱାଭାବିକ ଶଙ୍କାଜନିତ ହୋଇଥିବା ବେଳେ ଅନ୍ୟ କେତୋଟି କେବଳ ଭୁଲ ତଥ୍ୟ ଆଧାରରେ ଓ ଗୁଜବ ମାଧ୍ୟମରେ କାୟା ବିସ୍ତାର କରିଛି । ସରକାରୀ ସ୍ତରରେ ଲୋକଙ୍କ ଏହି ଶଙ୍କାଗୁଡିକୁ ଦୂର କରିବାକୁ ବିଶେଷ ଉଦ୍ୟମ ହୋଇ ନ ଥିବାରୁ ତନ୍ମଧ୍ୟରୁ ଗୁଜବଗୁଡିକରେ ଡେଣା ଲାଗିବା ସହଜ ହୋଇଛି । ଚୀନରୁ ଓଡିଶାକୁ ସିଲିଣ୍ଡର ଅଣାଯିବାର ଯୌକ୍ତିକତାକୁ ଉଚିତ ପରିପ୍ରେକ୍ଷୀରେ ବୁଝିବାର ଆବଶ୍ୟକତା ରହିଛି ।

ଭାରତରେ ଯଥେଷ୍ଟ ପରିମାଣରେ ଅକ୍ସିଜେନ ଉତ୍ପାଦିତ ହେଉଥିଲେ ବି କୋଭିଡର ଦ୍ୱିତୀୟ ଲହର ସମୟରେ ଅକ୍ସିଜେନର ଉତ୍କଟ ଅଭାବ ଦେଖା ଦେବାର ମୂଳ କାରଣ ହେଲା କାରଖାନାରୁ ହସପିଟାଲ ପର୍ଯ୍ୟନ୍ତ ଅକ୍ସିଜେନ ଯୋଗାଣ ଓ ପରିବହନ କରିବା ପାଇଁ ସିଲିଣ୍ଡର ଓ କ୍ରାଇଓଜେନିକ ଟ୍ୟାଙ୍କରର ଘୋର ଅଭାବ । ଓଡିଶାରେ ଥିବା ଅନେକ ଇସ୍ପାତ ଓ ଅନ୍ୟ କାରଖାନାଙ୍କର ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ଅଛି ଯେଉଁଠାରୁ ମେଡିକାଲ ଗ୍ରେଡ ଅକ୍ସିଜେନ ମଧ୍ୟ ପ୍ରସ୍ତୁତ ହୋଇ ପାରୁଥିବାରୁ ଅକ୍ସିଜେନ ଉତ୍ପାଦନ ଓ ଉପଲବ୍ଧତା ଦୃଷ୍ଟିରୁ ଏହା ଏକ ବଳକା ରାଜ୍ୟ । ଏଠାରେ ଦୈନିକ ୩୭୫ ଟନ ଲିକୁଇଡ ଅକ୍ସିଜେନ ଉତ୍ପାଦନ ହେଉଛି । ସେଥିପାଇଁ ଏଠାରୁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠା ଯାଇପାରିଲା । ତେବେ ରାଜ୍ୟରେ ମାତ୍ର ୧୨୦୦୦ ସିଲିଣ୍ଡର ଥିବାରୁ ଫିଲିଂ କ୍ଷମତା ଦୈନିକ ୧୩୦ ଟନରେ ସୀମିତ ଥିଲା । ଅବଶ୍ୟ ରାଜ୍ୟରେ ସିଲିଣ୍ଡର ଆମଦାନୀ କରି ତାର ସଂଖ୍ୟାକୁ ୩୨୦୦୦ରୁ ଅଧିକ କରାଗଲା । ଅପ୍ରେଲ ୨୦, ୨୦୨୧ରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଓଡିଶା ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ କୋଭିଡ ୧୯ର ଦ୍ୱିତୀୟ ଲହରର ମୁକାବିଲା କରିବାକୁ ଥିବା ପ୍ରସ୍ତୁତି ସମ୍ପର୍କରେ ଅବଗତ କରିବାକୁ ଯାଇ ଜଣାଇଥିଲେ ଯେ ରାଜ୍ୟରେ ୭୦ଟି କୋଭିଡ ହସପିଟାଲରେ ୧୧,୮୦୮ଟି ଶଯ୍ୟା, ୨୦୧୮ଟି ଆଇସିୟୁ ଓ ୭୮୨ଟି ଭେଣ୍ଟିଲେଟର ଅଛି । ଏଥି ସହିତ କୋଭିଡ କେଆର ସେଣ୍ଟରଗୁଡିକରେ ୨୨,୫୪୧ଟି ଓ ପଞ୍ଚାୟତ ସ୍ତରରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ୩୬୩୮୭ଟି ଅକ୍ସିଜେନ ସିଲିଣ୍ଡର ସଂଲଗ୍ନ ଥିବା ଶଯ୍ୟା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥାତ୍, ରାଜ୍ୟରେ ସମୁଦାୟ ୭୩,୬୫୪ଟି ଶଯ୍ୟା ସହ ସମାନ ସଂଖ୍ୟକ ଅକ୍ସିଜେନ ସିଲିଣ୍ଡରର ପ୍ରାବଧାନ କରାଯାଉଛି । ତେବେ ରାଜ୍ୟରେ ସମୁଦାୟ ୩୨୦୦୦ରୁ ସାମାନ୍ୟ ଅଧିକ ଅକ୍ସିଜେନ ସିଲିଣ୍ଡର ଥିବାରୁ ଓ ଆହୁରି ପ୍ରାୟ ୪୧,୦୦୦ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ ହେଉ ଥିବାରୁ ରାଜ୍ୟ ସରକାରଙ୍କୁ ତୁରନ୍ତ ବିଭିନ୍ନ ପଦକ୍ଷେପ ନେବାକୁ ପଡିଛି । ଏଥିପାଇଁ ବିଭିନ୍ନ କମ୍ପାନୀଙ୍କୁ ସାହାଯ୍ୟର ହାତ ବଢାଇବାକୁ ଅନୁରୋଧ କରିବାକୁ ହୋଇଛି ମଧ୍ୟ । ସେହି କ୍ରମରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ (ଏଏମଏନଏସ) କମ୍ପାନୀ ତା’ର ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାକୁ ୫୧୫୦ଟି ମେଡିକାଲ ଗ୍ରେଡ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ତନ୍ମଧ୍ୟରୁ ପ୍ରଥମ ଖେପରେ ୧୩୫୦ଟି ସିଲିଣ୍ଡର ଚୀନରୁ ଆସି ଓଡିଶାରେ ପହଞ୍ଚିଥିବା ବେଳେ ଅବଶିଷ୍ଟ ୩୮୦୦ଟି ଖୁବ ଶୀଘ୍ର ପହଞ୍ଚିବ । କମ୍ପାନୀର ସିଏସଆର ଜରିଆରେ ଅକ୍ସିଜେନ ସିଲିଣ୍ଡର ଯୋଗାଣ ହୋଇଥିବାରୁ ଏଥିପାଇଁ ଅନ୍ତତଃ ଓଡିଶା ସରକାରଙ୍କ ରାଜକୋଷ ଉପରେ ବୋଝ ପଡିନାହିଁ । ଚୀନରୁ ଆମଦାନୀ କରିବାର ନିଷ୍ପତ୍ତି କମ୍ପାନୀର ନା ରାଜ୍ୟ ସରକାରଙ୍କର, ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଭାରତୀୟ ଉତ୍ପାଦକମାନେ ତୁରନ୍ତ ସିଲିଣ୍ଡର ଯୋଗାଇବାକୁ ଅସମର୍ଥତା ପ୍ରକାଶ କରିଥିବାରୁ ରାଜ୍ୟ ସରକାରଙ୍କୁ ବିଦେଶରୁ ଆମଦାନୀ କରିବାକୁ ପଡିଥିଲା ବୋଲି ଜଣା ପଡେ । ତେବେ ଚୀନରୁ ଆମଦାନୀ କରିବାର ବାଧ୍ୟବାଧକତା କ’ଣ ହୋଇପାରେ, ତାହା ଅନୁଧ୍ୟାନ କରାଯାଉ ?

ଅକ୍ସିଜେନ ସିଲିଣ୍ଡରର ବର୍ଦ୍ଧିତ ଚାହିଦାକୁ ଦେଶ ଭିତରେ ତୁରନ୍ତ ପୂରଣ କରିବାର ସମ୍ଭାବନା କ୍ଷୀଣ ହୋଇଥିବାରୁ ଭାରତ ସରକାରଙ୍କ ପେଟ୍ରୋଲିଅମ ମନ୍ତ୍ରାଳୟ ଅଧୀନସ୍ଥ ପେଟ୍ରୋଲିଅମ ଆଣ୍ଡ ଏକସପ୍ଲୋସିଭ ସେଫଟି ଅର୍ଗାନାଇଜେସନ (ପେସୋ) ବିଦେଶରୁ ଅକ୍ସିଜେନ ସିଲିଣ୍ଡର ଆମଦାନୀ ପ୍ରକ୍ରିୟାକୁ କୋହଳ କରି ମେ ୩, ୨୦୨୧ରେ ୧୩ଟି ବିଦେଶୀ କମ୍ପାନୀଙ୍କୁ ଅନୁମୋଦନ ପ୍ରଦାନ କଲେ । ସାଧାରଣତଃ ଆଗରୁ ଅନୁମୋଦନ ପ୍ରକ୍ରିୟାଟି ସରିବାକୁ ୬ ମାସରୁ ବେଶି ସମୟ ଲାଗି ଯାଉଥିଲା । ଏବର ବିଶେଷ ପରିସ୍ଥିତିକୁ ଦେଖି ଭୌତିକ ଯାଞ୍ଚ ବ୍ୟବସ୍ଥାକୁ ବାଦ ଦେଇ ଅନଲାଇନ ଯୋଗେ ଆବେଦନ ଗ୍ରହଣ କରି ବିଦେଶୀ ଅକ୍ସିଜେନ ସିଲିଣ୍ଡର ଉତ୍ପାଦକଙ୍କ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଗଲା । ଯେଉଁ ୧୩ଟି ବିଦେଶୀ କମ୍ପାନୀଙ୍କୁ ଅନୁମୋଦନ ପ୍ରଦାନ କରାଯାଇଛି, ତନ୍ମଧ୍ୟରୁ ୭ଟି ଚୀନର ହୋଇଥିବା ବେଳେ ଆମେରିକା, ଜର୍ମାନୀ, ମାଲେସିଆ, ୟୁଏଇ, ଚେକୋସ୍ଲୋଭାକିଆ ଓ ଅଷ୍ଟ୍ରିଆ ଦେଶଗୁଡିକର ଗୋଟିଏ ଲେଖାଏଁ କମ୍ପାନୀ ସାମିଲ । ଅନ୍ୟ କମ୍ପାନୀଙ୍କ ତୁଳନାରେ ଚୀନ କମ୍ପାନୀଗୁଡିକ ସବୁ ଦୃଷ୍ଟିରୁ ପ୍ରତିଯୋଗିତାମୂଳକ ଓ ନିର୍ଭରଯୋଗ୍ୟ ହୋଇଥିବାରୁ ସେଠାରୁ ଅକ୍ସିଜେନ ସିଲିଣ୍ଡର ମଗାଇବା ଏବେ ଭାରତ ପକ୍ଷରେ ଏକ ପ୍ରକାର ବାଧ୍ୟବାଧକତାରେ ପରିଣତ ହୋଇଛି ବୋଲି କହିଲେ ଚଳେ ।

ପ୍ରଶ୍ନ ଉଠୁଛି, ବିଦେଶରୁ ସିଲିଣ୍ଡର ନ ମଗାଇ ବା କମ ମଗାଇ କ’ଣ ଭାରତର ଆବଶ୍ୟକତାକୁ ତାତ୍କାଳିକ ଭିତ୍ତିରେ ଦେଶ ଭିତରେ ପୂରଣ କରି ହୋଇ ନ ଥାଆନ୍ତା ? କହି ରଖିବାକୁ ହେବ ଯେ ଟାଟା, ଜିନ୍ଦଲଙ୍କ ପରି ବଡ ବଡ କମ୍ପାନୀମାନେ ସିଲିଣ୍ଡର ତିଆରି କରନ୍ତି ନାହିଁ । ଉପରୋକ୍ତ ଅନୁମତି ପ୍ରଦାନକାରୀ ପେସୋ ସଂସ୍ଥା ଦ୍ୱାରା ଭାରତରେ ଅକ୍ସିଜେନ ସିଲିଣ୍ଡର ଉତ୍ପାଦନ ପାଇଁ ୧୭ଟି କମ୍ପାନୀକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ଓ ସେମାନଙ୍କ ମାସିକ ଉତ୍ପାଦନ କ୍ଷମତା 1 ଲକ୍ଷ ସିଲିଣ୍ଡରରୁ ବି ଅଧିକ । ବିଡମ୍ୱନା ହେଉଛି ଦେଶରେ ପ୍ରାୟ ଯେଉଁଠି ଅକ୍ସିଜେନ ଉତ୍ପାଦନ ହେଉଛି ସେଠାରେ ଅକ୍ସିଜେନ ସିଲିଣ୍ଡର କାରଖାନା ନ ଥିଲା ବେଳେ ସିଲିଣ୍ଡର କାରଖାନା ଥିବା ଅଞ୍ଚଳରେ ଅକ୍ସିଜେନ ଉତ୍ପାଦନ ଅତି କମ । ଉଦାହରଣ ସ୍ୱରୂପ, ୧୭ଟି ସିଲିଣ୍ଡର କାରଖାନା ମଧ୍ୟରୁ ୭ଟି ଗୁଜରାଟରେ, ମୁଖ୍ୟତଃ କଚ୍ଛ ଅଞ୍ଚଳର ଗାନ୍ଧୀଧାମ ଏସଇଜେଡରେ, ୫ଟି ମହାରାଷ୍ଟ୍ରରେ ଥିବା ବେଳେ ଅକ୍ସିଜେନ ଉତ୍ପାଦନ ହେଉଥିବା ପ୍ରମୁଖ ରାଜ୍ୟ ଓଡିଶା, ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡରେ ଗୋଟିଏ ହେଲେ ସିଲିଣ୍ଡର କାରଖାନା ନାହିଁ । ଠିକ ସୁନା ଥିଲେ କାନ ନାହିଁ ତ କାନ ଥିଲେ ସୁନା ନାହିଁର ସ୍ଥିତି । ଦେଶରେ ସମୁଦାୟ ସିଲିଣ୍ଡର ଉତ୍ପାଦନର ପ୍ରାୟ ଦୁଇ-ତୃତୀୟାଂଶ କେବଳ ଗୁଜରାଟରେ ଥିବା କାରଖାନାଗୁଡିକରେ ହୋଇଥାଏ । କେନ୍ଦ୍ର ସରକାରଙ୍କ ଦ୍ୱାରା ମେଡିକାଲ ଅକ୍ସିଜେନର ଉତ୍ପାଦନ ଓ ଯୋଗାଣକୁ ବଢାଇବା ପାଇଁ ଅପ୍ରେଲ ୨୫, ୨୦୨୧ରେ କୌଣସି କାରଖାନାକୁ ଔଦ୍ୟୋଗିକ ଅକ୍ସିଜେନ ଯୋଗାଇ ଦେବା ଉପରେ କଟକଣା ଲାଗିବା ପରେ ଏହି କାରଖାନାଗୁଡିକରେ ସିଲିଣ୍ଡର ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ଉଲ୍ଲେଖଯୋଗ୍ୟ ଯେ ଅକ୍ସିଜେନ ସିଲିଣ୍ଡର କାରଖାନା ଚାଲିବା ପାଇଁ ବି ଅକ୍ସିଜେନ ଦରକାର ହୋଇଥାଏ । ଅବଶ୍ୟ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ଅପ୍ରେଲ ୨୭ରେ ସ୍ପଷ୍ଟୀକରଣ ଦେଇ ଏହି ଧରଣର କାରଖାନାକୁ ଅକ୍ସିଜେନ ଯୋଗାଣ ଉପରେ କଟକଣା ନାହିଁ ବୋଲି କୁହା ଯାଇଥିଲେ ବି ସମ୍ପୃକ୍ତ ଅଞ୍ଚଳଗୁଡିକରେ ରୋଗୀଙ୍କ ପାଇଁ ଅକ୍ସିଜେନ ମିଳୁ ନ ଥିବାରୁ ରାଜ୍ୟ ସରକାର କାରଖାନାଗୁଡିକୁ ଅକ୍ସିଜେନ ଯୋଗାଇବା କଥାକୁ ଗୌଣ ମନେ କରି ଯୋଗାଇଲେ ନାହିଁ । ଅଲ ଇଣ୍ଡିଆ ଇଣ୍ଡଷ୍ଟ୍ରିଆଲ ଗ୍ୟାସେସ ମାନୁଫେକ୍ଚରର୍ସ ଆସୋସିଏସନ (ଏଆଇଆଇଜିଏମଏ) ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ମଧ୍ୟ ବିଫଳ ହେଲେ । ଇଆଡେ ଦେଶରେ ଅକ୍ସିଜେନ ସିଲିଣ୍ଡରର ବହୁଳ ଆବଶ୍ୟକତା ଥିଲା ବେଳେ ତା’ର ଉତ୍ପାଦନକୁ ଆହୁରି କିପରି ବଢାଇ ହେବ ସେ ନେଇ ପଦକ୍ଷେପ ନ ନେଇ ସେଗୁଡିକୁ ଅକ୍ସିଜେନ ଯୋଗାଇ ନ ଦେଇ ଏକ ପ୍ରକାର ଅକର୍ମଣ୍ୟ କରି ଦିଆଗଲା । ସେହି କାରଖାନାଗୁଡିକର ଅକ୍ସିଜେନ ଆବଶ୍ୟକତା ବି ଖୁବ ବେଶି ନ ଥିଲା । ଉଦାହରଣ ସ୍ୱରୂପ, ପୂରା ଗୁଜରାଟରେ ଥିବା ସାତଟି ଯାକ କାରଖାନାର ଦୈନିକ ଅକ୍ସିଜେନ ଆବଶ୍ୟକତା ମାତ୍ର ୧୧ ଟନ ହୋଇଥିଲା ବେଳେ ଗୁଜରାଟରେ ମେଡିକାଲ ଅକ୍ସିଜେନର ଆବଶ୍ୟକତା ଥିଲା ଦୈନିକ ୧୫୦୦ରୁ ୨୦୦୦ ଟନ । ଦାୟିତ୍ୱରେ ଥିବା ସରକାରୀ ବାବୁ ଓ ରାଜନେତାମାନେ ସମ୍ୱେଦନଶୀଳ ହୋଇ ସମସ୍ୟାଟିର ତୁରନ୍ତ ସମାଧାନ କରିବାକୁ ଚେଷ୍ଟା କରିଥିଲେ ସିଲିଣ୍ଡର ଉତ୍ପାଦନ ବନ୍ଦ ହୋଇ ନ ଥାଆନ୍ତା । ଦେଶ ଭିତରେ ସିଲିଣ୍ଡର ଉତ୍ପାଦନ ହ୍ରାସ ପାଇଥିବାରୁ ସରକାରଙ୍କୁ ବାଧ୍ୟ ହୋଇ ତୁରନ୍ତ ବିଦେଶରୁ ସିଲିଣ୍ଡର ଆମଦାନୀ କରିବାର ନିଷ୍ପତ୍ତି ନେବାକୁ ହେଲା । ନିଜ ଗୋଡକୁ କୁରାଢୀରେ ହାଣି କୃତ୍ରିମ ଗୋଡ ଲଗାଇଲା ପରି କଥାଟି ହେଲା । ‘ଆତ୍ମ-ନିର୍ଭରତା’ରୁ ‘ପର-ନିର୍ଭରତା’କୁ କିପରି ଅନାୟାସରେ ଗମନ କରି ହୁଏ, ଇଏ ତା’ର ଏକ ଜ୍ୱଳନ୍ତ ଉଦାହରଣ । ଇତିମଧ୍ୟରେ ଅନୁମୋଦନ ପ୍ରକ୍ରିୟାକୁ କୋହଳ କରି କୌଣସି ପ୍ରକାର ଯାଞ୍ଚ ନ କରି ବିଦେଶୀ କମ୍ପାନୀଗୁଡିକୁ ଅକ୍ସିଜେନ ସିଲିଣ୍ଡର ଯୋଗାଣ ପାଇଁ ଅନ ଲାଇନରେ ଅନୁମତି ଦେବା ଉଚିତ ନୁହେଁ ବୋଲି ସମ୍ପୃକ୍ତ ଆସୋସିଏନ ଏହାର ବିରୋଧ କରୁଛି । ସେମାନଙ୍କ ମତରେ ଅକ୍ସିଜେନ ସିଲିଣ୍ଡର ଏକ ସମ୍ୱେଦନଶୀଳ ଓ ନିରାପତ୍ତାନିର୍ଭର ଉତ୍ପାଦ, କାରଣ ଏହାକୁ ୧୫୦ ବା ତଦୂର୍ଦ୍ଧ୍ୱ ବାର୍ ଚାପରେ କାର୍ଯ୍ୟରେ ଲଗା ଯାଇଥାଏ । କୌଣସି ଯାଞ୍ଚ ନ କରି ବିଦେଶରୁ ସିଲିଣ୍ଡର ଆମଦାନୀ କରାଗଲେ ଅନେକ ନିମ୍ନମାନର ସିଲିଣ୍ଡର ଦେଶ ଭିତରକୁ ପ୍ରବେଶ କରି ଲାଭ ଅପେକ୍ଷା ଅଧିକ କ୍ଷତି ହୋଇପାରେ । ତା’ ଛଡା ବିଦେଶୀ ସିଲିଣ୍ଡର ତୁଳନାରେ ଭାରତୀୟ ସିଲିଣ୍ଡରର ଦାମ ମଧ୍ୟ ଅପେକ୍ଷାକୃତ କମ ବୋଲି ସେମାନଙ୍କ ଦାବି । ବସ୍ତୁତଃ ଗୁଜରାଟସ୍ଥିତ ଏଭରେଷ୍ଟ କାଣ୍ଟୋ ସିଲିଣ୍ଡର୍ସ ଲିମିଟେଡ ଓଡିଶା ଭଳି ରାଜ୍ୟଗୁଡିକୁ ସିଲିଣ୍ଡର ଯୋଗାଇ ଆସୁଛି । ଗୁଜରାଟ ନିକଟରେ ଅକ୍ସିଜେନ ଉପଲବ୍ଧତା କମ ଥିବାରୁ ସେଠାରୁ ହୁଏତ କାରଖାନାଗୁଡିକୁ ଅକ୍ସିଜେନ ଯୋଗାଇ ହେଲା ନାହିଁ । ତେବେ ଓଡିଶାରେ ଅକ୍ସିଜେନ ଉପଲବ୍ଧତା ଅଧିକ ହୋଇଥିବାରୁ ରାଜ୍ୟ ସରକାର କେନ୍ଦ୍ର ଓ ଗୁଜରାଟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଯଦି ସେଠାକାର ସିଲିଣ୍ଡର କାରଖାନାଗୁଡିକୁ ସ୍ୱତନ୍ତ୍ର ଭାବେ ଅକ୍ସିଜେନ ଯୋଗାଇ ଦେଇଥାଆନ୍ତେ, ତେବେ ସେଗୁଡିକ ଉତ୍ପାଦନକ୍ଷମ ରହିବା ସହ ଓଡିଶାକୁ ଅଗ୍ରାଧିକାର ଭିତ୍ତିରେ ସିଲିଣ୍ଡର ମିଳି ପାରିଥାଆନ୍ତା । ଆମକୁ ବି ହୁଏତ ଚୀନରୁ ସିଲିଣ୍ଡର ଆମଦାନୀ କରିବାକୁ ପଡି ନ ଥାଆନ୍ତା । ଭବିଷ୍ୟତରେ ଓଡିଶାର ସମସ୍ତ ସିଲିଣ୍ଡର ଆବଶ୍ୟକତାକୁ ବିଦେଶରୁ ଆମଦାନୀ ନ କରି ଏହିପରି ଭାବେ ପୂରଣ କରିବା କଥା ବିଚାର କରାଯାଇ ପାରେ । ତେବେ ଚୀନରୁ ପହଞ୍ଚିଥିବା ସିଲିଣ୍ଡରଗୁଡିକର ଗୁଣବତ୍ତା ଭାରତୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ ହୋଇ ନ ଥିବାରୁ ସେଗୁଡିକୁ ସର୍ବସାଧାରଣ ବ୍ୟବହାର ପାଇଁ ଛାଡିବା ପୂର୍ବରୁ ବୈଷୟିକ ଜ୍ଞାନସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଯାଞ୍ଚ କରାଇ ନେବା ଉଚିତ ହେବ । ସରକାରୀ ଚେଷ୍ଟାରେ ହେଉ ବା ଅନ୍ୟ ଭାବେ, ଓଡିଶାରେ ଅକ୍ସିଜେନ ସିଲିଣ୍ଡର କାରଖାନାଟିଏ ପ୍ରତିଷ୍ଠା କରା ଯାଇପାରିଲେ ଆହୁରି ଭଲ ।  

ଚୀନରୁ ଅକ୍ସିଜେନ ସିଲିଣ୍ଡର ଆମଦାନୀ ହେଉଥିବା ଶୁଣି ଅନେକେ ଦେଶପ୍ରେମ ଆଳରେ ତାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । କେହି କେହି ତ କୋଭିଡ ବିରୁଦ୍ଧ ଲଢେଇରେ ଚୀନରୁ ଆମଦାନୀ ହୋଇଥିବା ଜୀବନ ରକ୍ଷାକାରୀ ସାମଗ୍ରୀଟିଏ ବ୍ୟବହୃତ ହେଉଥିଲେ ପ୍ରତିକ୍ରିୟାଶୀଳ ହୋଇ ପଡୁଛନ୍ତି । ଭାରତ ସରକାର ତ ସବୁ ଦୃଷ୍ଟିରୁ ଚିନ୍ତା କରି ସବୁ ବିକଳ୍ପକୁ ତଉଲି ଚୀନରୁ ଆମଦାନୀ କରିବା ପାଇଁ ନିଷ୍ପତ୍ତି ନେଇଥିବେ ! ବୁଡି ଯାଉଥିବା ଲୋକକୁ କୁଟା ଖଣ୍ଡେ ବି ସାହାରା । କୋଭିଡର ଦ୍ୱିତୀୟ ଲହରରେ ନିଜ ପ୍ରିୟଜନଙ୍କ ଜୀବନ ରକ୍ଷା ଲାଗି ଅକ୍ସିଜେନ ସିଲିଣ୍ଡରଟିଏ ପାଇଁ ଲୋକମାନେ କେମିତି ଡହଳ ବିକଳ ହେଲେ, ତାହା ସମସ୍ତେ ଜାଣନ୍ତି । ଅକ୍ସିଜେନ-ନିର୍ଭର ରୋଗୀଟିଏ ପାଖରେ ଅକ୍ସିଜେନ ସିଲିଣ୍ଡରଟିଏ ଥିଲେ ସେ ଓ ତା’ର ପରିଜନମାନେ ପ୍ରାୟତଃ ଆଶ୍ୱସ୍ତ ହୋଇଥାଆନ୍ତି । ସେତେବେଳେ ସେମାନେ ଦେଖନ୍ତି ନାହିଁ ସିଲିଣ୍ଡରଟି ଭାରତୀୟ ନା ଚୀନ ତିଆରି । ଜୀବନ ରକ୍ଷା କରି ପାରିଲେ ଯଥେଷ୍ଟ, ହେଇଥାଉ ପଛେ ଚାଇନା ମାଲ । ଆଗେ ଜୀବନ ରହିଯାଉ, ଭାରତ-ଚୀନ କରିବାକୁ ବହୁତ ସମୟ ମିଳିବ । ପ୍ରତିଟି ଦେଶବାସୀଙ୍କ ଜୀବନ ରକ୍ଷା ହୋଇପାରିବା ଗୁରୁତ୍ୱପୂର୍ଣ୍ଣ । ଦେଶ କେବଳ ଏକ ଭୂଭାଗ ବା ଭୌଗୋଳିକ ପରିସୀମାକୁ ବୁଝାଏ ନାହିଁ ବରଂ ସେଥିରେ ଥିବା ଲୋକଙ୍କୁ ନେଇ ଦେଶର ପରିଚୟ । ତେଣୁ ଦେଶର ଭୂଭାଗକୁ ରକ୍ଷା କରିବା ଯେତିକି ଦେଶପ୍ରେମ କୁହାଯିବ ସେହି ଭୂଭାଗରେ ଅବସ୍ଥାନ କରୁଥିବା ଲୋକଙ୍କ ଜୀବନକୁ ରକ୍ଷା କରିବା ମଧ୍ୟ ଠିକ ସେତିକି ବା ତତୋଧିକ ଦେଶପ୍ରେମ । ଲୋକ ନ ଥିଲେ ଭୂଭାଗ କ’ଣ ଆଉ ଦେଶ ହୋଇ ରହିଥାଏ ? ତେଣୁ ଏହି ମହାମାରୀ ସମୟରେ ଜୀବନ ରକ୍ଷାକାରୀ ସାମଗ୍ରୀଗୁଡିକ କ୍ଷେତ୍ରରେ ଅନ୍ତତଃ ଆମେ ସଙ୍କୀର୍ଣ୍ଣତାର ଊର୍ଦ୍ଧ୍ୱକୁ ଉଠି କେବଳ ଦେଶବାସୀଙ୍କ ଜୀବନ ରକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ । ସୂଚନାଶୂନ୍ୟ ସ୍ଥିତିରେ ଭୁଲ ତଥ୍ୟ ଓ ଗୁଜବର ସୃଷ୍ଟି ହୋଇଥାଏ । ବିଦେଶରୁ ଆମଦାନୀ, ବଡ ବଡ କ୍ରୟ ଆଦିରେ ଲୋକମାନଙ୍କ ମନରେ ବିଭିନ୍ନ ପ୍ରକାର ଶଙ୍କା ଉତ୍ପନ୍ନ ହେଉଥିବାରୁ ସରକାରମାନେ ମଧ୍ୟ ସର୍ବାଧିକ ସ୍ୱଚ୍ଛତା ପ୍ରଦର୍ଶନ କରି ତଥ୍ୟକୁ ଅନ ଲାଇନରେ ଉପଲବ୍ଧ କରାଇ ପାରିଲେ ଭୁଲ ତଥ୍ୟକୁ ଆଧାର କରି ଗୁଜବ ସମ୍ପ୍ରସାରିତ ହେବାର ଆଶଙ୍କା ହ୍ରାସ ପାଇଥାଏ ।


Published in Odisha Reporter on June 04, 2021       

 

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍