ନିକଟରେ ଏକ ସାକ୍ଷାତକାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ଉକ୍ତି - “କ’ଣ ଭାରତର ରାଷ୍ଟ୍ରପତିଙ୍କ ନାତୁଣୀର ସ୍କୁଲ ଦରମାର ଢାଞ୍ଚା ଆଉ ଆପଣଙ୍କ ଘରେ କାମ କରୁଥିବା କାମବାଲିର ଝିଅର ସ୍କୁଲ ଦରମାର ଢାଞ୍ଚା ଏକା ହେବା ଉଚିତ ? ଯିଏ ଅଧିକା ଦେଇ ପାରୁଛନ୍ତି ସେ ତାଙ୍କ ପକେଟରୁ ଦିଅନ୍ତୁ । ଯିଏ ଦେଇ ପାରୁନାହାନ୍ତି ସରକାର ତାଙ୍କ କଥା ଚିନ୍ତା କରନ୍ତୁ ।“ – ଏବେ ସାମାଜିକ ଗଣମାଧ୍ୟମରେ ବେଶ ଆଲୋଚିତ ହେଉଛି । ଦିଲ୍ଲୀ ସରକାରଙ୍କ ଶିକ୍ଷାନୀତିକୁ ଆକ୍ଷେପ କରି ସେ ଏହା କହିଥିଲେ । ଦିଲ୍ଲୀ ସରକାର ଦାରିଦ୍ର୍ୟକୁ ମହିମାମଣ୍ଡିତ କରିବା ସହିତ ପ୍ରଦର୍ଶନ କରି ସମ୍ପନ୍ନତାକୁ ଏକ ନାପସନ୍ଦଯୋଗ୍ୟ ଦୃଷ୍ଟିରେ ଦେଖୁଥିବା ବିଷୟ ଇଙ୍ଗିତ କରି ସେ କହିଥିଲେ ଯେ ଦିଲ୍ଲୀ ସରକାରଙ୍କ ମନୋଭାବ – 'ଦେଖ ଆମେ ତ ଗରିବ ଲୋକଙ୍କ ବିଷୟରେ ଚିନ୍ତା କରୁଛୁ’ – ଶିକ୍ଷା କ୍ଷେତ୍ରରେ ଉଦ୍ୟମୀଙ୍କ ଦକ୍ଷତାକୁ ବାଧା ଦେବ ବା ଘରୋଇ ନିବେଶକୁ ନିରୁତ୍ସାହିତ କରିବ । ଏହା କେତେ ଦୂର ସମୀଚୀନ ବୋଲି ସେ ପ୍ରଶ୍ନ କରିଥିଲେ । ମନ୍ତ୍ରୀଙ୍କର ଏହି ଉକ୍ତିରୁ ସରକାରୀ ସ୍କୁଲ ଶିକ୍ଷା ପ୍ରତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟର ସଙ୍କେତ ମିଳେ । ଭବିଷ୍ୟତରେ ସ୍କୁଲ ଶିକ୍ଷାର ରୂପରେଖ ଓ ତହିଁରେ ସରକାରଙ୍କ ଭାଗିଦାରୀ ଉପରେ ଏହାର ସୁଦୂର ପ୍ରସାରୀ ପ୍ରଭାବ ପଡିବାକୁ ଯାଉଥିବାରୁ ଉପରୋକ୍ତ ଉକ୍ତିର ଏକ ତର୍ଜମା ଆବଶ୍ୟକ । ରାଜନୈତିକ ରଙ୍ଗମଞ୍ଚରେ ସ...