ଇସ୍ରାଏଲ ଦ୍ୱାରା ହମାସ ଉପରେ ଦୀର୍ଘ ଦିନ ଧରି ଚାଲିଥିବା ନୃଶଂସ ଓ ବର୍ବରୋଚିତ ଆକ୍ରମଣର ପ୍ରତିବାଦରେ ମେ 2024 ରେ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହୋଇଥିବା ଛାତ୍ର ବିକ୍ଷୋଭରେ ପ୍ରାୟ 2000 ଛାତ୍ରଙ୍କୁ ଅଟକ ରଖାଯାଇଥିଲା । ଇସ୍ରାଏଲକୁ ସମର୍ଥନ କରି ଲାଭାନ୍ୱିତ ହେଉଥିବା କମ୍ପାନିଗୁଡ଼ିକରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ପୁଞ୍ଜି ପ୍ରତ୍ୟାହାର କରନ୍ତୁ ବୋଲି ଛାତ୍ରମାନେ ଚାପ ପ୍ରୟୋଗ କରୁଥିଲେ । ଏଭଳି ସ୍ଥିତିରେ କେହି କେହି ପ୍ରଶ୍ନ କରିପାରନ୍ତି ଯେ ସେଠାକୁ ପଢ଼ିବାକୁ ଯାଇଥିବା ପିଲାଏ ଇସ୍ରାଏଲ ହମାସରେ ସହିତ କ ’ ଣ କରୁଛି ସେ ନେଇ ମୁଣ୍ଡ ଖେଳାଉଛନ୍ତି କାହିଁକି ? କେବଳ କ୍ୟାମ୍ପସ୍ ବା ଶୈକ୍ଷିକ ପ୍ରସଙ୍ଗରେ ନୁହେଁ , ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରସଙ୍ଗରେ ବିଭିନ୍ନ ସମୟରେ ଆମେରିକାର ଛାତ୍ର ସମାଜ ଦୃଢ଼ ମତ ବ୍ୟକ୍ତ କରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିବାର ସୁଦୀର୍ଘ ଇତିହାସ ରହିଛି । ଗତ ଶତାବ୍ଦୀର ଷଷ୍ଠ ଦଶକରେ ଛାତ୍ର ସମାଜର ପ୍ରବଳ ବିରୋଧ ଯୋଗୁଁ ଆମେରିକା ଭିଏତନାମ ଯୁଦ୍ଧରୁ ଓହରିବାକୁ ଏକପ୍ରକାର ବାଧ୍ୟ ହୋଇଥିଲା । ତେବେ କମ୍ୱୋଡ଼ିଆ ଆକ୍ରମଣକୁ ବିରୋଧ କରି 1970 ମସିହାରେ ହୋଇଥିବା ଛାତ୍ର ବିକ୍ଷୋଭ ଦେଶର 400 ରୁ ଊର୍ଦ୍ଧ୍ୱ ...