ଜାତୀୟ ପଞ୍ଚାୟତି ରାଜ ଦିବସ ଅବସରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଜଣେ ରାଜନୈତିକ କର୍ମୀ ତାଙ୍କ ସହ ସାକ୍ଷାତରେ ନିଜକୁ କିପରି ‘ଏସପି’ ବା ‘ସରପଞ୍ଚ ପତି’ ଭାବେ ପରିଚିତ କରାଇଥିଲେ ତା’ର ଏକ ରୋଚକ ଉଦାହରଣ ଦେବା ସହ ସରପଞ୍ଚ ପତିମାନେ ନିର୍ବାଚିତ ମହିଳା ସରପଞ୍ଚଙ୍କ କାର୍ୟ୍ୟ କ୍ଷେତ୍ରରେ ଦଖଲ ଦେଇ ଅବାଞ୍ଛିତ ପ୍ରଭାବ ବିସ୍ତାର କରୁଥିବାରୁ ତୁରନ୍ତ ଏହି ପ୍ରଥାର ଅନ୍ତ ହେବା ଆବଶ୍ୟକ ବୋଲି ଆହ୍ୱାନ ଜଣାଇଥିଲେ । ଇତିମଧ୍ୟରେ ୭ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ବି ଏହି ପ୍ରଥାର ପରିସମାପ୍ତି ହେବା ତ ଦୂରର କଥା ବରଂ ଏହି ନିନ୍ଦିତ ପ୍ରଥାଟିର ଭିନ୍ନ ଭିନ୍ନ କୁତ୍ସିତ ରୂପ ଦେଖିବାକୁ ମିଳୁଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ସ୍ୱାଧୀନତା ଓ ଗଣତନ୍ତ୍ରର ଉତ୍ସବ ହର୍ଷୋଲ୍ଲାସରେ ପାଳିତ ହେଉଥିବାବେଳେ ବିଜେପି ଶାସିତ ମଧ୍ୟ ପ୍ରଦେଶର ସାଗର, ପନ୍ନା, ଧାର, ରେୱା ଆଦି ଜିଲ୍ଲାମାନଙ୍କରେ ନବଗଠିତ ପଞ୍ଚାୟତ ପାଇଁ ନିର୍ବାଚିତ ମହିଳା ସରପଞ୍ଚମାନଙ୍କ ମଧ୍ୟରୁ ଅନେକେ ନିଜେ ଶପଥ ଗ୍ରହଣ ନ କରି ସେମାନଙ୍କ ବାପା, ଭିଣୋଇ, ସ୍ୱାମୀ, ଶ୍ୱଶୁର ଆଦି ପୁରୁଷ ପ୍ରତିନିଧିମାନେ ଶପଥ ଗ୍ରହଣ କରୁଥିବାର ଚିତ୍ରମାନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗଣତନ୍ତ୍ରର ଏହି ବିକୃତ ରୂପ ଅନେକଙ୍କୁ ଲଜ୍ଜିତ କରିଛି । ଏହି ପ୍ରଥାଟି ମହିଳାମାନଙ୍କ ରାଜନୈତିକ ସଶକ୍ତିକରଣର ବାଟ ଓଗାଳୁଥ...