Skip to main content

Posts

Showing posts from August, 2020

ଚାଷ ହିତରେ ଜାରି ଅର୍ଡିନାନ୍ସ ଚାଷୀଙ୍କ ହିତରେ କେତେ ?

କୃଷି କ୍ଷେତ୍ରରେ ବୈପ୍ଳବିକ ସଂସ୍କାରର ଲକ୍ଷ୍ୟ ନେଇ ଗତ ଜୁନ ୫, ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ତରବରିଆ ଭାବେ ତିନିଟି ଅର୍ଡିନାନ୍ସ ଜାରି ହୋଇ ଗୋଟିଏ ପୁରୁଣା ଆଇନର ସଂଶୋଧନ ସହ ଦୁଇଟି ନୂଆ ଆଇନ ପ୍ରଣୟନ କରାଗଲା । ଏଥି ମଧ୍ୟରୁ ପ୍ରଥମଟି ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ (ଏସେନ୍ସିଆଲ କମୋଡିଟିଜ ଆମେଣ୍ଡମେଣ୍ଟ ଆକ୍ଟ), ଯାହା ଏ ସଂକ୍ରାନ୍ତରେ ଥିବା ୧୯୫୫ ଆଇନର ସଂଶୋଧନ । ନୂଆ ପ୍ରଣୀତ ଦୁଇଟି ଆଇନ ମଧ୍ୟରୁ ଗୋଟିଏ କୃଷକଙ୍କ ଉତ୍ପାଦ ବେପାର ଓ ବାଣିଜ୍ୟ (ଉନ୍ନତି ଓ ସୁବିଧା) ଅର୍ଡିନାନ୍ସ (ଏଫପିଟିସି) ହୋଇଥିବା ବେଳେ ଆରଟି କୃଷକ (ସଶକ୍ତିକରଣ ଓ ସୁରକ୍ଷା) ପାଇଁ ମୂଲ୍ୟ ଆଶ୍ୱାସନା ଓ କୃଷି ସେବାର ଚୁକ୍ତି ଅର୍ଡିନାନ୍ସ (ଏଫଏପିଏଏଫଏସ) ଅଟେ । କରୋନା ବିପଦ ବେଳେ ଚାଷୀଙ୍କୁ ସାହାଯ୍ୟ ପ୍ରଦାନ କରିବା ପାଇଁ ଏହି ଅର୍ଡିନାନ୍ସ ଜାରି କରାଯାଇଛି, ଯାହା ଆଗାମୀ ଦିନରେ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ ବୋଲି ସରକାରଙ୍କ ତରଫରୁ ଦାବି କରା ଯାଉଥିଲେ ବି ଇତିମଧ୍ୟରେ ବିରୋଧୀ ଦଳଙ୍କଠାରୁ ଆରମ୍ଭ କରି ଚାଷୀ ସଂଗଠନଗୁଡିକ ଏହି ଅର୍ଡିନାନ୍ସଗୁଡିକର ବିରୋଧ କରିବା ଆରମ୍ଭ କଲେଣି । ତେଣୁ ଏହି ଅର୍ଡିନାନ୍ସଗୁଡିକ ଚାଷ ହିତରେ ଜାରି ହୋଇଥିବା କଥା କୁହା ଯାଉଥିଲେ ବି ପ୍ରକୃତରେ ଚାଷୀଙ୍କ ହିତ ସାଧନ କରିବାରେ ଏଗୁଡିକ କେତେ ଦୂର ଫଳପ୍ରଦ ହୋଇପାରନ୍ତି, ତାହା ତର୍ଜମାର ବିଷୟ । ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ହୋଇଥିବା ସଂଶୋଧନରେ

କୃଷି କ୍ଷେତ୍ର ଓ ବ୍ୟାଙ୍କ ସେବା

ଅତୀତରେ ପାରମ୍ପରିକ ପଦ୍ଧତିରେ ଚାଷ କଲା ବେଳେ ଚାଷୀଟିଏ ମୋଟାମୋଟି ଭାବେ ତା’ ନିଜ ଆବଶ୍ୟକତାର ପରିପୂରଣ ଲାଗି ଚାଷ କରୁଥିବାରୁ ଚାଷ ଲାଗି ତା’ର ଋଣର ଆବଶ୍ୟକତା ସେତେ ବେଶି ନ ଥିଲା କହିଲେ ଚଳେ । ଆଉ ଯେତେବେଳେ ଆବଶ୍ୟକତା ଉପୁଜୁଥିଲା ସେ ଗାଁ ମହାଜନଠାରୁ ଋଣ, ଜ୍ଞାତିକୁଟୁମ୍ବଙ୍କଠାରୁ ହାତ ଉଧାରି ବା ସ୍ଥଳ ବିଶେଷରେ ସରକାର ଦେଉଥିବା ଟାକାଭି ଋଣ ଆଣି ତା’ କାମ ଚଳାଇ ନେଉଥିଲା । ମହାଜନ ନିକଟରୁ ଋଣ ନେଲେ ଅଧିକ ସୁଧ ହାରଠାରୁ ଆରମ୍ଭ କରି ବିଭିନ୍ନ ଭାବେ ସେ ଶୋଷଣର ଶିକାର ହେଉଥିଲା । ଭାରତରେ ସବୁଜ ବିପ୍ଳବ ଆରମ୍ଭ ହେବା ପରେ ଦେଶରେ ବହୁଳ ଭାବେ ଆଧୁନିକ ଚାଷ ପଦ୍ଧତିରେ ଚାଷ ହେବା ଆରମ୍ଭ ହେଲା, ଯାହା ବଜାରକୁ ଆଖିରେ ରଖି କରାଗଲା । ସେଥିଲାଗି ଅଧିକ ପୁଞ୍ଜି ଦରକାର ହେଲା, ଯେଉଁଥିପାଇଁ ଅଧିକ ଋଣର ଆବଶ୍ୟକତା ଉପୁଜିଲା । କ୍ରମଶଃ ସାର, ବିହନ, ଜଳସେଚନ ଭଳି ୠଣ ମଧ୍ୟ ଚାଷର ଏକ ଅତି ଦରକାରୀ ଉପାଦାନ ପାଲଟିଗଲା ଓ ଋଣ ପାଇବା ଲାଗି ତାକୁ ବ୍ୟାଙ୍କ ଦୁଆର ମାଡିବାକୁ ହେଲା । କ୍ରମଶଃ ଉନ୍ନତ ମାନର ବ୍ୟାଙ୍କ ସେବା ମଧ୍ୟ କୃଷି କ୍ଷେତ୍ରର ବିକାଶ ଲାଗି ଅନିବାର୍ଯ୍ୟ ହେବାକୁ ଲାଗିଲା ।    କୃଷି ଋଣ କୃଷି ଉଦ୍ଦେଶ୍ୟରେ ଋଣ ପ୍ରଦାନ ବ୍ୟାଙ୍କମାନଙ୍କ ଋଣ ବ୍ୟବସାୟର ଏକ ମୁଖ୍ୟ କାର୍ଯ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ବିଶେଷ କରି ବ୍ୟାଙ୍କମାନଙ୍କ ଗ୍ରାମାଞ୍ଚଳ (Rural) ତଥା ଅର୍ଦ୍ଧ-ସହରାଞ୍ଚଳ (Semi Urban) ଶାଖାଗୁଡିକ

ଆଧୁନିକ ଭାରତୀୟ ରଙ୍ଗମଞ୍ଚର ପିତାମହ ଇବ୍ରାହିମ ଅଲକାଜି

ଆଧୁନିକ ଭାରତୀୟ ରଙ୍ଗମଞ୍ଚର ଅନ୍ୟତମ ବିନ୍ଧାଣୀ ଇବ୍ରାହିମ ଅଲକାଜିଙ୍କର ଅଗଷ୍ଟ ୪, ୨୦୨୦ରେ ୯୫ ବର୍ଷ ବୟସରେ ନିଧନ ପରେ ଏକ ସୁଦୀର୍ଘ ଘଟଣା ବହୁଳ ନାଟ୍ୟଯୁଗର ଅବସାନ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ନାଟ୍ୟ ପୁରୁଷଙ୍କ ନାଟ୍ୟ ଯାତ୍ରା ସହ ଆଧୁନିକ ଭାରତୀୟ ରଙ୍ଗମଞ୍ଚର ବିକାଶର ଜୟଯାତ୍ରା ଅନେକାଂଶରେ ଜଡିତ । ଆଧୁନିକ ଭାରତୀୟ ରଙ୍ଗମଞ୍ଚର ବିକାଶ ପାଇଁ ତାଙ୍କ ଅବଦାନ ଏତେ ଅଧିକ ଯେ ତାହା ଚିର ଦିନ ଲାଗି ସବୁ ନାଟ୍ୟାନୁରାଗୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ । ଇବ୍ରାହିମ ଅଲକାଜି ଅକ୍ଟୋବର ୧୮, ୧୯୨୫ରେ ପୁନେ ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସାଉଦି ଆରବର ଜଣେ ବିତ୍ତଶାଳୀ ବେଦୁଇନ ବ୍ୟବସାୟୀ ହୋଇଥିବା ବେଳେ ମାଆ କୁଏତର ଥିଲେ । ତାଙ୍କର ପ୍ରାରମ୍ଭିକ ଶିକ୍ଷା ପୁନେରେ ହେବା ପରେ ସେ ବମ୍ୱେର ସେଣ୍ଟ ଜାଭିୟର କଲେଜରେ ଅଧ୍ୟୟନ କରିଥିଲେ । ଏହି ସମୟରେ ତାଙ୍କର ନାଟକ ପ୍ରତି ଆଗ୍ରହ ପ୍ରକାଶ ପାଇଲା ଓ ସେ ସୁଲତାନ ‘ବବି’ ପଦମସିଙ୍କ ଥିଏଟର ଗ୍ରୁପରେ ଯୋଗଦାନ କଲେ, ଯେଉଁଥିରେ ଇଂରାଜୀ ନାଟକ ମଞ୍ଚସ୍ଥ ହେଉଥିଲା । ତାଙ୍କର ଆଉ ୮ ଜଣ ଭାଇ ଭଉଣୀ ଥିଲେ ଓ ସ୍ୱାଧୀନତା ପରେ ତାଙ୍କ ପରିବାରର ଅଧିକାଂଶ ପାକିସ୍ତାନକୁ ଚାଲି ଯାଇଥିଲା ବେଳେ ସେ ଭାରତରେ ଅବସ୍ଥାନ କରିଥିଲେ ।  ସେ ୧୯୪୮  ମସିହାରେ ୨୩ ବର୍ଷ ବୟସରେ ‘ରୟାଲ ଆକାଡେମୀ ଅଫ ଡ୍ରାମାଟିକ ଆର୍ଟସ’ (ରାଡା)ରେ ନାଟକ ଉପରେ ଉଚ୍ଚତର ତାଲିମ ଗ୍ରହଣ କରି

ଭାରତ-ଚୀନ ସୀମା ଅସ୍ପଷ୍ଟ କାହିଁକି ?

ଭାରତ ଓ ଚୀନ ମଧ୍ୟରେ ଗଲଓ୍ୱାନ ଘାଟୀରେ ସାମରିକ ଉତ୍ତେଜନା ଲାଗି ରହି ୨୦ ଜଣ ଯବାନ ଶହୀଦ ହେଲା ପରେ ଚୀନ ଭାରତ ଭିତରକୁ ପଶି ଆସି ଭାରତର ଭୂମି ଦଖଲ କରିଛି ବୋଲି ଉପଗ୍ରହ ଚିତ୍ର ଆଧାରରେ ରକ୍ଷା ବିଶେଷଜ୍ଞମାନଙ୍କର ମତ l ଭାରତର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହି ସାରିଛନ୍ତି ଯେ ଚୀନ ଭାରତର ଇଞ୍ଚେ ବି ଭୂଭାଗ ନେଇନାହିଁ l ଏହାକୁ ଚୀନ ସମର୍ଥନ କରିବା ସହ ସେମାନେ ଯାହା କରୁଛନ୍ତି ନିଜ ଭୂଭାଗରେ କରୁଛନ୍ତି ବୋଲି କହିବାକୁ ପଛାଇ ନାହିଁ । ତେବେ ଏ ସମସ୍ତ ଉକ୍ତି ଅର୍ଦ୍ଧସତ୍ୟ ଉପରେ ଆଧାରିତ, କାରଣ ଚୀନ ସହ ଭାରତର ସୀମା ପ୍ରାୟ ୩୪୮୮ କିଲୋମିଟର ପରିବ୍ୟାପ୍ତ ହୋଇଥିଲେ ବି ଉଭୟ ଦେଶ ମଧ୍ୟରେ କୌଣସି ସୁନିର୍ଦ୍ଦିଷ୍ଟ ସୀମାରେଖା ନାହିଁ l ଭାରତର କିଛି ଅଞ୍ଚଳ ଚୀନ ମାଡି ବସିଛି ବୋଲି ଭାରତ କହୁଥିବା ବେଳେ ଚୀନର କିଛି ଅଞ୍ଚଳ ଭାରତ ଦଖଲରେ ଅଛି ବୋଲି ଚୀନର ଅଭିଯୋଗ l ଉଭୟ ଦେଶଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳକୁ ଭିତ୍ତି କରି ସୀମାରେଖା ବଦଳରେ ଯାହା ଏବେ ଅଛି ତାହାର ବେଶି ଭାଗ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଭାବେ ବିଦିତ l ଯଦିଓ ଉଭୟ ଦେଶ ନିଜ ଦାବିରେ କାଏମ ରହିଛନ୍ତି ତଥାପି ମୋଟାମୋଟି ଭାବେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ର ବାସ୍ତବିକତାକୁ ଏକ ପ୍ରକାର ପରୋକ୍ଷରେ ଗ୍ରହଣ କରି ନେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ l ତେବେ ଉଭୟ ଦେଶର ସୀମାରେଖାକୁ ନେଇ ଥିବା ଅସ୍ପଷ୍ଟତା ହିଁ ଉତ୍ତେଜନା

ସ୍ୱଦେଶୀ କହିବା କାହାକୁ ?

କିଛି ଦିନ ଧରି ‘ଆତ୍ମନିର୍ଭର’, ‘ସ୍ଵଦେଶୀ’, ‘ଚାଇନା ସାମଗ୍ରୀ ବର୍ଜନ କର’ ଭଳି ଶବ୍ଦ ଓ ସ୍ଳୋଗାନମାନ ଏତେ ବେଶି ଶୁଣାଯାଉଛି ଯେ ମନେ ହେଉଛି ସତେ ଯେମିତି ଦେଶବାସୀଙ୍କ ମଧ୍ୟରେ ‘ସ୍ଵଦେଶୀ’ପ୍ରୀତି ଜାଗ୍ରତ ହୋଇ ଦେଶ ସ୍ଵାବଲମ୍ବୀ ହେବା ଦିଗରେ ଅଗ୍ରସର ହେଉଛି ଓ ତାହା ହୋଇ ପାରିଲେ ଭଲ । ତେବେ ବର୍ତ୍ତମାନ ସମଗ୍ର ବିଶ୍ଵ ଯେତେବେଳେ ଗୋଟିଏ ବଜାରରେ ପରିଣତ ହୋଇସାରିଛି ସେତେବେଳେ ସ୍ୱଦେଶୀ ପ୍ରସଙ୍ଗ ଉଠିଲେ ମନରେ ଯେଉଁ ପ୍ରଶ୍ନଗୁଡିକ ଉଙ୍କି ମାରୁଛି ସେଗୁଡିକର ଉତ୍ତର ଖୋଜି ପାଇଲେ ଆମେ ହୁଏତ ‘ସ୍ୱଦେଶୀ’ର ପ୍ରକୃତ ଅର୍ଥ ଓ ବାସ୍ତବିକତାର ନିକଟତର ହୋଇ ପାରିବା । ଭାରତୀୟ କମ୍ପାନୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପ୍ରତି ଆମର ଦୁର୍ବଳତା ଥିଲେ ବି ସବୁ କ୍ଷେତ୍ରରେ ସେହି ଉତ୍ପାଦଗୁଡିକୁ ସ୍ଵଦେଶୀ କହି ହେବ କି ? ଆଇନ ଅନୁଯାୟୀ ଭାରତରେ ପଂଜିକୃତ କମ୍ପାନୀଗୁଡିକୁ ଭାରତୀୟ କମ୍ପାନୀ କୁହାଯାଇଥାଏ । ତଦନୁସାରେ ଯେ କୌଣସି ବିଦେଶୀ ନାଗରିକ ବା କମ୍ପାନୀ ମଧ୍ୟ ଭାରତରେ କମ୍ପାନୀ ପ୍ରତିଷ୍ଠା କରି ପାରିବେ ଓ ତାହା ଭାରତୀୟ କମ୍ପାନୀ ଭାବେ ପରିଗଣିତ ହେବ । ଆଇନ ଦୃଷ୍ଟିରୁ ସେଗୁଡିକ ଭାରତୀୟ କମ୍ପାନୀ ହୋଇଥିଲେ ବି ସେଗୁଡିକୁ ନେଇ ଜଣେ ଭାରତୀୟ ପ୍ରକୃତ ଅର୍ଥରେ ସେତିକି ଗର୍ବ ଅନୁଭବ କରିଥାଏ କି ? ମଣିଷ ପରି ପ୍ରତିଟି କମ୍ପାନୀର ମଧ୍ୟ ନିଜସ୍ୱ ଏକ ସ୍ୱତନ୍ତ୍ର ସତ୍ତା ଥାଏ । ଏହାର ମାଲିକାନା ବଦଳି ଯାଇପାରେ, ହେଲେ କମ୍ପାନୀ ତା’ର ସ

ଅନ୍ତର୍ଜାତୀୟ ଆଦିବାସୀ ଦିବସ

ଜାତିସଂଘ ତରଫରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖ ଦିନଟି ‘ଅନ୍ତର୍ଜାତୀୟ ଆଦିବାସୀ ଦିବସ’ (ଇଣ୍ଡିଜିନସ ପିପୁଲସ ଡେ) ରୂପେ ପାଳିତ ହୋଇ ଆସୁଛି । ବିଭିନ୍ନ ଦେଶରେ ଇଣ୍ଡିଜିନସ ପିପୁଲସ ବା ମୂଳ ନିବାସୀଙ୍କୁ ଭିନ୍ନଭିନ୍ନ ନାମରେ ସମ୍ୱୋଧିତ କରା ଯାଇଥାଏ । ଭାରତରେ ଏମାନଙ୍କୁ ‘ଅନୁସୂଚୀତ ଜନଜାତି’ ବା ‘ଆଦିବାସୀ’ ବୋଲି କୁହା ଯାଉଥିବା ବେଳେ ଚୀନରେ ଏମାନେ ‘ଏଥନିକ୍ ମାଇନରିଟି’ ଭାବେ ପରିଚିତ । ସ୍କାଣ୍ଡିନେଭୀୟ ଦେଶ ଓ ଋଷିଆର କିଛି ଅଞ୍ଚଳରେ ଏମାନଙ୍କ ପାଇଁ ‘ସାମି’ ଶବ୍ଦର ବ୍ୟବହାର ହେଉଥିବା ବେଳେ ଆଫ୍ରିକାରେ ସେମାନଙ୍କୁ ସେମାନଙ୍କ ଜୀବିକା ଆଧାରରେ ସମ୍ୱୋଧନ କରା ଯାଇଥାଏ । ହେଲେ ସର୍ବତ୍ର ଏହି ଆଦିବାସୀଙ୍କ ଚଳଣି ଓ ସଂସ୍କୃତି ସେଠାକାର ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେମାନେ ଯେଉଁ ଭୂଖଣ୍ଡରେ ବସବାସ କରନ୍ତି ସେଠାକାର ପରିବେଶ ଓ ପ୍ରାକୃତିକ ସମ୍ପଦକୁ କେନ୍ଦ୍ର କରି ସେମାନଙ୍କ ଜୀବନଶୈଳୀ ଗଢି ଉଠିଥାଏ । ସେଥି ସହିତ ସେମାନେ ଏପରି ଓତଃପ୍ରୋତ ଭାବେ ଜଡିତ ହୋଇଥାଆନ୍ତି ଯେ ସେମାନଙ୍କ ପରିଚୟଠାରୁ ଆରମ୍ଭ କରି ଜୀବିକା, ସଂସ୍କୃତି, ସାମାଜିକ, ଧାର୍ମିକ ଗତିବିଧି ସବୁ କିଛି ତାରି ଉପରେ ନିର୍ଭର କରିଥାଏ । ବିଶ୍ୱର ୯୦ଟି ଦେଶରେ ପ୍ରାୟ ୪୮ କୋଟି ଆଦିବାସୀ ଲୋକ ବସବାସ କରନ୍ତି, ଯାହା ସମୁଦାୟ ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ପ୍ରତିଶତ । ବିଶ୍ୱ ବ୍ୟାଙ୍କର ଏକ ଅଧ୍ୟୟନରୁ ଜଣା ପଡିଛି ଯେ ବିଶ୍ୱରେ ସର୍ବତ୍ର ଆଦିବାସୀମାନେ

ପରିବେଶ ପାଇଁ ସ୍ୱର ଉତ୍ତୋଳନ

କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ନିକଟରେ ପରିବେଶଗତ ପ୍ରଭାବ ଆକଳନ ବା ଏନଭାଇରନମେଣ୍ଟାଲ ଇମ୍ପାକ୍ଟ ଆସେସମେଣ୍ଟ (ଇଆଇଏ) ଅଧିସୂଚନାକୁ ସଂଶୋଧନ କରିବା ପାଇଁ ପ୍ରସ୍ତୁତ ଚିଠାଟି ପରିବେଶବିଦ ଓ ଜନ ସାଧାରଣଙ୍କ ବିରୋଧର ସମ୍ମୁଖୀନ ହୋଇଛି । ସରକାର ଶିଳ୍ପାନୁଷ୍ଠାନ ଓ ପୁଞ୍ଜିପତିଙ୍କ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇ ପରିବେଶର ସୁରକ୍ଷା ପ୍ରତି ତାଙ୍କ କର୍ତ୍ତବ୍ୟରେ ଅବହେଳା କରୁଛନ୍ତି ବୋଲି କେହି କେହି ଅଭିଯୋଗ କରୁଛନ୍ତି । ତେବେ ଏହି ଚିଠା ଅଧିସୂଚନାରେ କ’ଣ ଏମିତି ରହିଛି ଯାହା ପରିବେଶ ପ୍ରତି ବିପଦ ସୃଷ୍ଟି କରି ପାରେ, ସେ ସମ୍ପର୍କରେ ଜନ ସଚେତନତା ବୃଦ୍ଧିର ଆବଶ୍ୟକତା ରହିଛି ।    ପ୍ରସ୍ତାବିତ ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପଗୁଡିକର ସାମାଜିକ, ଅର୍ଥନୈତିକ ତଥା ପରିବେଶ ଉପରେ ପଡିବାକୁ ଯାଉଥିବା ପ୍ରଭାବକୁ ଆକଳନ କରିବା ଇଆଇଏ ପ୍ରକ୍ରିୟାର ମୂଳ ଲକ୍ଷ୍ୟ । ଏ ସମ୍ପର୍କରେ ପ୍ରଥମେ ୧୯୬୯ ମସିହାରେ ଆମେରିକାରେ ଏକ ଜାତୀୟ ପରିବେଶ ନୀତି ପ୍ରଣୀତ ହୋଇଥିଲା । ତେବେ ବିଶ୍ୱ ସ୍ତରରେ ପରିବେଶ ସୁରକ୍ଷା ବିଷୟକୁ ଗୁରୁତ୍ୱ ଦେଇ ନିରନ୍ତର ବିକାଶକୁ ସୁନିଶ୍ଚିତ କରିବାର ଦାୟିତ୍ୱ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ଉପରେ ନ୍ୟସ୍ତ । ବର୍ତ୍ତମାନ ଭାରତ ସମେତ ବିଶ୍ୱର ଶହେରୁ ଅଧିକ ଦେଶ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୂର୍ବରୁ ଇଆଇଏକୁ ବା