ହୁଏତ ଆଉ ପଚାଶ ବର୍ଷ ପରେ ଆଗାମୀ ପିଢି ବିଶ୍ୱାସ କରି ନ ପାରେ ଯେ ଏଇ କାଳଖଣ୍ଡର ଭାରତରେ କିଛି ଲୋକ ହସପିଟାଲମାନଙ୍କରେ ଅକ୍ସିଜେନ ଅଭାବରୁ ସେମାନଙ୍କ ଆଖି ଆଗରେ ପ୍ରିୟଜନଙ୍କୁ ଶହ ଶହ ସଂଖ୍ୟାରେ ଛଟପଟ ହେଉଥିବାର ଓ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରାଣ ହରାଉଥିବାର ଦେଖୁଥିଲେ ବି ସେମାନଙ୍କ ପ୍ରାଣରକ୍ଷା ଲାଗି କିଛି ହେଲେ କରି ପାରି ନ ଥିଲେ । ଦୂରଦୃଷ୍ଟି, ଯୋଜନା ଓ ପ୍ରସ୍ତୁତି ଅଭାବରୁ ମନୁଷ୍ୟକୃତ ଏହି ସଙ୍କଟ କିପରି ଲୋକଙ୍କୁ ଅସହାୟ କରି ପକାଇଲା ଓ ଦେଶରେ ଏକ ବଡ ଧରଣର ଅକ୍ସିଜେନ ସଙ୍କଟ ସୃଷ୍ଟି ହେଲା ତାହାର ସ୍ମରଣ ହିଁ ମଣିଷକୁ ଆତଙ୍କିତ କରିବା ପାଇଁ ଯଥେଷ୍ଟ । ଏହି ସଙ୍କଟର କାରଣଗୁଡିକୁ ଅନୁଶୀଳନ କରି ସେଥିରୁ ଶିକ୍ଷା ଗ୍ରହଣ କରି ତାକୁ କାର୍ଯ୍ୟରେ ଲଗାଇ ପାରିଲେ ହୁଏତ ସେଭଳି ଭୁଲକୁ ଆଉ ଦୋହରାଇବାକୁ ପଡି ନ ପାରେ । ୨୦୨୧ ମସିହା ମାର୍ଚ୍ଚ ମାସରେ ଅଳ୍ପ କିଛି ରାଜ୍ୟରେ ଆରମ୍ଭ ହୋଇଥିବା କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ଏପ୍ରିଲ ୩୦ ତାରିଖ ସୁଦ୍ଧା ସାରା ଦେଶରେ କାୟାବିସ୍ତାର କରି ଦୈନିକ ସଂକ୍ରମଣ ପ୍ରାୟ ୪ ଲକ୍ଷ ଓ ମୃତ୍ୟୁ ହାରାହାରି ତିନି ହଜାରରୁ ଅଧିକ ହୋଇ ସାରିଥିଲା । ରୋଗୀସଂଖ୍ୟା ଦ୍ରୁତ ବଢିବା ଯୋଗୁ ହସପିଟାଲରେ ବେଡ ସମସ୍ୟା, ଅକ୍ସିଜେନ, ଭେଣ୍ଟିଲେଟରର ଉପଲବ୍ଧତାରେ ଉତ୍କଟ ସମସ୍ୟା ଦେଖା ଦେଇ ସ୍ଥିତି ଗମ୍ଭୀର ହେବାକୁ ଲାଗିଲା । ତେବେ ହସପିଟାଲଗୁଡିକରେ ଅକ୍ସିଜେନର ଅଭାବ ଏତେ ଅଧିକ ହେଲା ଯେ ସ୍ଥ...